News 18 Odia Digital
ନବରଙ୍ଗପୁର; ବିଗିଡ଼ିବାରେ ଲାଗିଛି ସ୍ୱାସ୍ଥ୍ୟବସ୍ଥା । ଝାଡ଼ାବାନ୍ତି ଆକ୍ରନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । କିଛିଦିନ ହେବ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରେ ଭୟଙ୍କର ଆତଙ୍କ ଖେଳାଇଛି ଝାଡ଼ାବାନ୍ତି ରୋଗ । ଖଡ଼ିଆଗୁଡ଼ା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣରୁ ଉର୍ଦ୍ଧ ରୋଗୀ ଏବେ ସ୍ଥାନିୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଏବେ ପୁଣି ୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଂଗ୍ରେସର ୫ଜଣିଆ ପ୍ରତିନିଧି ସ୍ଥାନିୟ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ବୁଲିଦେଖିଛନ୍ତି । କାଶିପୁର କଲେରା ବିଭୀଷିକା ସହ ଏହାକୁ ତୁଳନା କରିଛନ୍ତି କଂଗ୍ରେସ ଟିମ୍ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ କଂଗ୍ରେସ ଦାବି କରିଛି । ଏଥିସହ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଅନୁଧ୍ୟାନ କରିବା ସହ ଅସ୍ଥାୟୀ ଚିକିତ୍ସାଳୟ ଖୋଲି ଲୋକଙ୍କୁ ସଚେତନ କରୁଥିବା ପ୍ରକାଶ କରିଛି ।
ସୂଚନାନୁସାରେ, ୪ ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୁଭଦ୍ରା ମାଝୀ (୮୦) ଙ୍କ ମୃତ୍ୟୁ ହୋଇଥିଲା । ସେହି ପରି ଗତ ଶୁକ୍ରବାର ସକାଳେ ଥବିର ମାଝୀ (୭୦)ଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟିଥିଲା । ସମସ୍ତ ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇଥିଲେ । କିନ୍ତୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇନଥିବା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ସ୍ଥାନିୟ ଅଞ୍ଚଳରେ ପାଣି ଏବଂ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ବିଶୋଧନ ସିଂଚନ ସହ ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବର୍ଷା ଋତୁରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।