News 18 Odia Digital
ଭୁବନେଶ୍ୱର; ଘଟଣା ଦିନ ନବ ଦାସଙ୍କ ଦେହରେ ଅତି ନିକଟରୁ ଗୁଳି ବାଜିଥିଲା। ଗୁଳି ପଛପଟେ ବାହାରି ପଛରେ ଥିବା ଏକ କାରରେ ବାଜି ଥିଲା। ଘଟଣାକୁ ୫ ଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଗୁଳିକୁ ଖୋଜି ପାରି ନାହାଁନ୍ତି । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ (Crime branch) ଓ ସାଇଣ୍ଟିଫିକ୍ ଟିମ୍ ତନାଘନା କରୁଥିଲେବି ସଫଳ ହୋଇପାରିନି। ଘଟଣାସ୍ଥଳରୁ ଗୁଳି ନମିଳିବାରୁ କାର ଭିତରେ ଖୋଜୁଛି ତଦନ୍ତକାରୀ ଟିମ୍। ଏହା ବ୍ୟତୀତ ଗୋପାଳ ଚଳାଇଥିବା ଅନ୍ୟ ଗୁଳିର ମଧ୍ୟ ପତ୍ତା ମିଳିନି।
ଘଟଣା ଦିନ ଯେତେବେଳେ ଗୋପାଳକୁ ଧରିବାକୁ ଉଦ୍ୟମ ହୋଇଥିଲା, ସେ ଖସି ଯିବା ସମୟରେ ଫାୟାରିଂ କରିଥିଲା, ସେହି ଗୁଳିକୁ ଟିମ୍ ଖୋଜୁଛି। ଗୁଳିଟି ପାଖରେ ଥିବା ଏକ କାରରେ ବାଜି ଥିଲା। ସେହି କାର ଭିତରେ ଖୋଜା ଖୋଜି କରିଥିବା ବେଳେ ଏଯାଏଁ ଗୁଳି ମିଳିପାରି ନାହିଁ ।
ଯଦି ଗୁଳି ନମିଳେ ତଦନ୍ତ ବାଟବଣା ହେବାର ସନ୍ଦେହ କରାଯାଉଛି। କାରଣ ଘଟଣାସ୍ଥଳରୁ ୨ଟି ଖୋକା ମିଳିଥିଲା, କିନ୍ତୁ ଗୁଳି କୁଆଡେ ଗଲା ସେନେଇ କିଛି ଜଣାପଡିନି। ଯଦି ଗୁଳି ନମିଳେ ତାହେଲେ ପୋଲିସ କିପରି ଗୋପାଳକୁ ଦୋଷୀ ବୋଲି ପ୍ରମାଣିତ କରିବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ସବୁଠୁ ବଡ଼ କଥା ହେଲା ଗୁଳି କୁଆଡେ ଗଲା, ଘଟଣା ଦିନ ଅତି ନିକଟରୁ ଫାୟରିଂ କରିଥିଲା ଗୋପାଳ, ଗୁଳି ଆଖ ପାଖରେ ନିଶ୍ଚିତ ଭାବରେ ମିଳିବା କଥା । ହେଲେ ଏହା ପଛରେ କ'ଣ ରହସ୍ୟ ରହିଛି ତାହା ତ କେବଳ ତଦନ୍ତର ଦିଗରୁ ହିଁ ଜଣା ପଡ଼ିବ ।
ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ (Naba das) ଗଳି କରିବା ଘଟଣାରେ ନୂଆ ନୂଆ ମୋଡ ସାମ୍ନାକୁ ଆସିଛି । ଗୋପାଳ ଦାସ କାହିଁକି ଗୁଳି କଲା ତାହା ଲୋକ ଲୋଚନଙ୍କୁ ଏ ପର୍ଯ୍ୟନ୍ତ ଆସିନଥିବା ବେଳେ କ୍ରାଇମବ୍ରାଞ୍ଚ (Crime branch) ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଏହା ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମର୍ଡର କେସରେ ମୁଁ ରାଜନୀତି କରିବାକୁ ଚାହେଁନି କହିବା ସହ ତାରା କହିଛନ୍ତି, ଗତ କାଲି ନବ ଦାସଙ୍କ ସହ ଗୋପାଳର ଯେଉଁ ଫଟୋ ସବୁ ସାମ୍ନାକୁ ଆସିଛି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପ୍ରମାଣିତ କରୁଛି ନବଙ୍କ ସହ ଗୋପାଳଙ୍କର ସମ୍ପର୍କ ଖୁବ ପୁରୁଣା । ହତ୍ୟା ପଛରେ ନିଶ୍ଚିତଭାବରେ ରହସ୍ୟ ରହିଛି । ତେବେ ଏପରି ତଦନ୍ତ ପ୍ରକ୍ରିୟା ଉପରେ ମୋର ଭରସା ପାଉନି । ଏହି ଘଟଣାର ସିବିଆଇ ତଦନ୍ତ ହେବା ନିହାତି ଜରୁରୀ ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଝାରସୁଗୁଡାରେ ଗୋପାଳ ଦାସଙ୍କ ପରିବାରକୁ ପଚରା ଉଚରା କରିଛି । ଗୋପାଳଙ୍କ ସ୍ତ୍ରୀ, ପୁତୁରାଙ୍କୁ ଜେରା କରିବା ସହ ଗୋପାଳଙ୍କ ଭାଇଙ୍କୁ ମଧ୍ୟ ଏକ ସ୍ଥାନକୁ ନେଇ ପଚରାଉଚରା କରୁଛି । ତେବେ ଗୋପାଳଙ୍କ ସ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ମୁଁ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ।
ଏହି ଖବର ପଢନ୍ତୁ -
http://ମର୍ଡର କେସରେ ମୁଁ ରାଜନୀତି କରିବାକୁ ଚାହେଁନି; ତାରା ବାହିନୀପତିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।