News18 Odia Digital
ଭୁବନେଶ୍ବର: ନବ ଦାସଙ୍କୁ ହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି। ହେଲେ ଏଯାବତ ଜଣା ପଡ଼ିନି କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାରିଲା ଏଏସଆଇ ଗୋପାଳ କୃଷ୍ଣ ଦାସ? ଏହା ପଛର କାରଣ କ’ଣ? ଏହି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କିମାରୁଛି।
ସେପଟେ ଜେଲ ଗଲେ ଅଭିଯୁକ୍ତ ଗୋପାଳ ଦାସ। ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ସୋମବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି। ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।
କ୍ରାଇମବ୍ରାଞ୍ଚର ପଚରାଉଚରାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ନିଜ ଦୋଷ ମାନିଥିଲେ। ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।
ସେହିପରି ଚାକିରିରୁ ବହିଷ୍କୃତ ହୋଇଛନ୍ତି ଏଏସଆଇ ଗୋପାଳ ଦାସ। ଗୋପାଳଙ୍କୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି। ଧାରା ୩୧୧ ଅନୁସାରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଛି। ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ ଗୋପାଳ। ରବିବାର ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ଗୋପାଳ। ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ସୋମବାର ଗୋପାଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।