News18 Odia Digital
ଗଞ୍ଜାମ: ଗଞ୍ଜାମ ବହୁ ଚର୍ଚ୍ଚିତ ଗାଙ୍ଗପୁର ଥାନା IIC ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ। ଘଟଣା କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଘଟଣାର ଅସଲ କାରଣ ପଦାକୁ ଆସିପାରିଲା ନାହିଁ। ଏମିତି କି ପୋଲିସ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ମିଳିନାହିଁ। କେବଳ କିଛି ଅଡିଓ, ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଘଟଣା ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାର ବରିଷ୍ଟ ନାଗରିକମାନେ।
ଚଳିତ ମାସ ୨୨ ତାରିଖ ଦିନ ଅପରାହ୍ନ ସମୟରେ ହଟାତ ଗାଙ୍ଗପୁର ଥାନା ଅଧିକାରୀଙ୍କ କ୍ଵାଟରେ ଫୁଟିଥିଲା ଗୁଳି। ଆଉ ସେହିଠାରେ ହିଁ ଟଳିପଡ଼ିଥିଲେ ନୂଆ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ। ଯାହାକି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହ ପୁରା ପୋଲିସ ବିଭାଗ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲା। କେମିତି ତାଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠିଥିଲା। ହେଲେ କିନ୍ତୁ ଘଟଣାକୁ ୯ ଦିନ ବିତି ଗଲାଣି। ତଥାପି ଥାନା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ ପେଢ଼ି ଖୋଲିପାରିଲା ନାହିଁ ଜିଲ୍ଲା ପୋଲିସ ବିଭାଗ। କେବଳ ତଦନ୍ତ ଆଳରେ ଦିନ ଗଡୁଥିବା ବେଳେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜିଲ୍ଲାର ବରିଷ୍ଠ ନାଗରିକମାନେ।
ଏମିତି କି ଏହି ଘଟଣାର ଏକ ଜୁଡିସିଆଲ ତଦନ୍ତ କରାଗଲେ ଘଟଣାର ଅସଲ କାରଣ ଜଣାପଡ଼ିବ ବୋଲି ଜିଲ୍ଲାର ବରିଷ୍ଠ ନାଗରିକ ତଥା ଆଇନଜୀବୀ ଅନିଲ ପାଣିଗ୍ରହୀ କହିଛନ୍ତି।
ଖାଲି ଏତିକି ନୁହେଁ ଘଟଣା ଉପରେ ଜିଲ୍ଲା ବାସୀଙ୍କ ନଜର ଏବେ ବି ହଟି ନଥିବା ବେଳେ ଏବେ ଦିନ ଯେତିକି ବଢୁଛି ଅଡିଓ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଘୁରିବୁଲିବାରେ ଲାଗିଛି। ତେବେ ଘଟଣା ପଛରେ କଣ ରହସ୍ୟ ରହିଛି ତାକୁ ଏବେ ଜାଣିବା ପାଇଁ ସମସ୍ତେ ଚାହିଁ ବସିଥିବା ବେଳେ ପୋଲିସ ବିଭାଗ କିମ୍ବା ମୃତ ଥାନା ଅଧିକାରୀଙ୍କ ପରିବାର ପକ୍ଷରୁ କୌଣସୀ ମତ ରଖା ଯାଉନାହିଁ ଗଣମାଧ୍ୟମ ସାମ୍ନାରେ। ଯାହାକି ଘଟଣା ଏକ ରୋଚକ ମୋଡ଼ ଆଡକୁ ଗତି କରୁଛି।
ତଥାପି ଘଟଣାର ତୁରନ୍ତ ତଦନ୍ତ କରାଯିବା ସହ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ରହସ୍ୟ ଉନ୍ନୋଚନ କରାଯିବାର ଆବଶ୍ୟକତା ରହିଛି ବୋଲି ଗାଙ୍ଗପୁର ଗ୍ରାମର ବରିଷ୍ଠ ନାଗରିକ ଶୁଭ୍ରମନ୍ୟୁ ରାଓ କହିଛନ୍ତି।
ତେବେ ଦେଖାଯାଉ ଏହି ଘଟଣାର ପ୍ରକୃତ କାରଣର ଖିଅ କେବେ ଧରିବାରେ ସଫଳ ହୋଇପାରୁଛି ଗଞ୍ଜାମ ପୋଲିସ ବିଭାଗ, ଯାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।