ଖୋଲିଲା ଫଟୋଗ୍ରାଫର ମାନସ ସ୍ବାଇଁ ମର୍ଡର ମିଷ୍ଟ୍ରି; ମାଷ୍ଟର ମାଇଣ୍ଡ ୱେବ୍ ପୋର୍ଟାଲ ମାଲିକାଣୀ ଫେରାର

ଚାନ୍ଦବାଲିରୁ ଅପହରଣ ପରେ ମାନସଙ୍କୁ ଭୁବନେଶ୍ବର ଅଣାଯାଇ ନିର୍ଯାତନା ଦିଆଯାଇଥିଲା। ମାନସଙ୍କ ମୃତ୍ୟୁ ହେବା ପରେ ଶବକୁ ନେଇ ପୋତାଯାଇଥିଲା ନୟାଗଡ଼ ରାଜସୁନାଖଳା ପାଖ ବଧିପାଟଣା ପାହାଡ଼ ତଳେ।

ଖୋଲିଲା ଫଟୋଗ୍ରାଫର ମାନସ ସ୍ବାଇଁ ମର୍ଡର ମିଷ୍ଟ୍ରି

ଖୋଲିଲା ଫଟୋଗ୍ରାଫର ମାନସ ସ୍ବାଇଁ ମର୍ଡର ମିଷ୍ଟ୍ରି

  • Share this:
News18 Odia Digital

ଭୁବନେଶ୍ବର: ଖୋଲିଲା ଫଟୋଗ୍ରାଫର ମାନସ ସ୍ବାଇଁ ମର୍ଡର ମିଷ୍ଟ୍ରି। ଭଦ୍ରକ ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ବରରେ ନିର୍ଯାତନା ପରେ ହତ୍ୟା। ନୟାଗଡ଼ରେ ଡେଡବଡି ଡିସପୋଜାଲ। ତିନି ଅଭିଯୁକ୍ତ ଗିରଫ। ମାଷ୍ଟର ମାଇଣ୍ଡ ୱେବ୍ ପୋର୍ଟାଲ ମାଲିକାଣୀ ଫେରାର। ମର୍ଡର ପଛରେ ଅଶ୍ଳୀଳ ଭିଡିଓ ଭଦ୍ରକ କାହାଣୀ। ଆଉ ଚାନ୍ଦବାଲିରୁ ଅପହରଣ। ଭୁବନେଶ୍ବରରେ ନିର୍ଯାତନା ପରେ ହତ୍ୟା କରାଯାଇଥିଲା।

ନୟାଗଡ଼ ଜିଲ୍ଲା ରଣପୁର ଗୋଡିପୋଖରୀ ଗାଁର ଫଟୋଗ୍ରାଫର ମାନସ ସ୍ବାଇଁଙ୍କ ମୃତ୍ୟୁ ପଛରେ ଲୁଚିଥିବା ଏହି ଲୋମହର୍ଷକ କାଣ୍ଡର ଖୁଲାସା କରିଛି ଭଦ୍ରକ ପୋଲିସ। ନିଖୋଜ ହେବାର ପ୍ରାୟ ପାଞ୍ଚ ସପ୍ତାହ ପରେ ଫିଟିଛି ମାନସ ହତ୍ୟାକାଣ୍ଡର ରହସ୍ୟ। ହତ୍ୟାକାଣ୍ଡରେ ସମ୍ପୃକ୍ତି ତିନି ଅଭିଯୁକ୍ତ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଧମଡ଼ା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ବରର ମୋହରିର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ। ମର୍ଡରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଏକ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ।

ପୂରା ଘଟଣାଟି ହେଲା ଯେ ଗତ ଫେବୃଆରୀ ୭ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଏକ ବିବାହ କାର୍ଯ୍ୟକ୍ରମର ସୁଟିଂ ପାଇଁ ଯାଇଥିଲେ ମାନସ। ସୁଟିଂ ସାରି ଘରକୁ ଫେରୁଥିବା ବେଳେ ନାଲଗୁଣ୍ଡା ପାଖରୁ ତାଙ୍କୁ ଅପହରଣ କରାଯାଇଥିଲା। ପ୍ରଥମେ ରଣପୁର ପରେ ଭୁବନେଶ୍ବର ଓ ଶେଷରେ ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ହେବା ନେଇ ଏତଲା ଦେଇଥିଲେ ପରିବାର ଲୋକ। ମାନସ ଫେରୁଥିବା ବୋଲେରୋ ଗାଡ଼ିର ଡ୍ରାଇଭର ଭାଗ୍ୟଧର ନାୟକଙ୍କୁ ପଚରାଉଚରା ଉପରେ ହତ୍ୟାକାଣ୍ଡର ଖିଅ ପାଇଥିଲା ଚାନ୍ଦବାଲି ପୋଲିସ। ଗୋଟି ଗୋଟି କରି ସତ ବଖାଣିଥିଲା ଭାଗ୍ୟଧର।

ଚାନ୍ଦବାଲିରୁ ଅପହରଣ ପରେ ମାନସଙ୍କୁ ଭୁବନେଶ୍ବର ଅଣାଯାଇ ନିର୍ଯାତନା ଦିଆଯାଇଥିଲା। ମାନସଙ୍କ ମୃତ୍ୟୁ ହେବା ପରେ ଶବକୁ ନେଇ ପୋତାଯାଇଥିଲା ନୟାଗଡ଼ ରାଜସୁନାଖଳା ପାଖ ବଧିପାଟଣା ପାହାଡ଼ ତଳେ। ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପଙ୍କ କହିବା ଅନୁଯାୟୀ, ଗିରଫ ବୋଲେରୋ ଡ୍ରାଇଭର ଭାଗ୍ୟଧରଙ୍କୁ ନେଇ ପାହାଡ଼ ତଳୁ ଗଳିତ ମୃତ ଦେହ ଉଦ୍ଧାର କରିଥିଲା ଚାନ୍ଦବାଲି ପୋଲିସର ସ୍ପେଶାଲ ଟିମ୍।

ଭୁବନେଶ୍ବରରେ ଥିବା ‘ସଂପୂର୍ଣ୍ଣା’ ନାମକ ଏକ ୱେବ୍ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ ମାନସ। ଆଉ ସେହି ୱେବ୍ ପୋର୍ଟାଲ ଚଲାଉଥିଲେ ଶର୍ମିଷ୍ଠା ରାଉତ। ସନ୍ଦେହ କରାଯାଉଛି, ମାନସଙ୍କ ପାଖରେ କିଛି ଆପତ୍ତିଜନକ ଭିଡିଓ ରହିଥିଲା। ଯେଉଁ ଅଶ୍ଳୀଳ ଭିଡିଓ ମାନସଙ୍କ ହତ୍ୟା ପଛର ମୂଳ କାରଣ ପାଲଟିଥିଲା। ହତ୍ୟା ପଛର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ବୋଲି ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର ଲୋକେ।

ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠାଙ୍କ ତଲାସ କରିବା ସହ ଭୁବନେଶ୍ବର ସୁନ୍ଦରପଦା ପାଖ କଣ୍ଟିଲୋରେ ଥିବା ଏକ ବୃଦ୍ଧାଶ୍ରମରେ ଚଢ଼ାଉ କରିଛି ଚାନ୍ଦବାଲି ପୋଲିସ। ସନ୍ଦେହ କରାଯାଉଛି, ଅପହରଣ ପରେ ମାନସଙ୍କୁ ଏହି ବୃଦ୍ଧାଶ୍ରମକୁ ଅଣାଯାଇ ହତ୍ୟା କରାଯାଇଛି। ବୃଦ୍ଧାଶ୍ରମର କିଛି ଅନ୍ତେବାସୀ କହିଛନ୍ତି, ଉପର ମହଲାରେ ନିୟମିତ ଭାବେ ସୁଟିଂ ଚାଲେ। ପୁଅ ଝିଅମାନେ ଆସନ୍ତି ସୁଟିଂ କରିବାକୁ। ସେତେବେଳେ କାହାରିକୁ ଉପର ମହଲାକୁ ଛଡ଼ାଯାଉନଥିଲା। ମାନସ ବି ବେଳେ ବେଳେ ଏଠାକୁ ଆସନ୍ତି ବୋଲି ବୃଦ୍ଧାଶ୍ରମର କେୟାର ଟେକର କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବୃଦ୍ଧାଶ୍ରମର ଉପର ମହଲାରେ କି ପ୍ରକାର ସୁଟିଂ କରାଉଥିଲେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା? କାହିଁକି ସୁଟିଂ ବେଳେ ଉପର ମହଲାକୁ କାହାରିକୁ ଛଡ଼ାଯାଉନଥିଲା? କିଛି ଆପତ୍ତିଜନକ କାର୍ଯ୍ୟ ଚାଲୁ ନ ଥିଲା ତ ସେଠାରେ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଶର୍ମିଷ୍ଠାଙ୍କ ପିଛା କରୁଛି ଚାନ୍ଦବାଲି ପୋଲିସର ସ୍ପେଶାଲ ଟିମ୍।
Published by:Lipina Das
First published: