ଛାତରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲି ପାରେ ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ୍‌

ଛାତ୍ରୀଙ୍କ ଶବକୁ ଦେଖି ସେ ଆପାର୍ଟମେଣ୍ଟର ବାସିନ୍ଦାମାନେ ସ୍ତବ୍ଧ ହୋଇଯାଇଥିଲେ । ତାଙ୍କ ମଥାରେ ଇଂରାଜୀରେ ‘‘ପରଫେକ୍ଟ’’ (Perfect) ଲେଖାହୋଇଥିଲା । ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ସେ ‘ବାଏ ବାଏ ପିପୁଲ୍’’ (Bye, bye, people) ଲେଖି ପୋଷ୍ଟ କରିଥିଲେ । ଜଣେ ସାଙ୍ଗଙ୍କ ‘‘କୁଆଡେ ଯାଉଛ?’’ ପ୍ରଶ୍ନର ଉତ୍ତରରେ ସେ ଲେଖିଥିଲେ ‘‘ହେଭେନ୍’’ (heaven, ସ୍ୱର୍ଗ) ।

ଛାତରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲି ପାରେ ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ୍‌
ଅଷ୍ଟମ ଶ୍ରେଣୀର ଛାତ୍ରୀ କୃତିକା ମିଶ୍ର ଜଣେ ମେଧାବୀ ଛାତ୍ରୀ ଥିଲେ ।
  • News18 Odia
  • Last Updated: February 17, 2020, 4:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ କାଲି (ରବିବାର) ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ବିଜେବି ନଗରରେ ଥିବା ଏକ ଆପାର୍ଟମେଣ୍ଟର ଚ଼ତୁର୍ଥ ମହଲାର ଟେରାସରୁ ତଳକୁ ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟଣା ରହସ୍ୟ ଘେରରେ ଅଛି ।

ବି.ଜେ.ଇ.ଏମ୍‌. ସ୍କୁଲର ଏହି ଛାତ୍ରୀ କୃତ୍ତିକା ମିଶ୍ର ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଜଣେ ସାଙ୍ଗଙ୍କ କରିଥିବା ବାର୍ତ୍ତାଳାପ ଓ ସେଥିରେ ସେ ନିଜେ ପୋଷ୍ଟ କରିଥିବା କିଛି ମେସେଜରୁ ତାଙ୍କୁ ମୃତ୍ୟୁ ପାଇଁ ବାହ୍ୟ ପ୍ରେରଣା ମିଳିଥିବା ଓ ସେ ଗଭୀର ବିଷାଦ (ଡିପ୍ରେସନ)ରେ ଥିବାର ସଙ୍କେତ ମିଳିଛି ।

କୃତିକାଙ୍କ ଶବକୁ ଦେଖି ସେ ଆପାର୍ଟମେଣ୍ଟର ବାସିନ୍ଦାମାନେ ସ୍ତବ୍ଧ ହୋଇଯାଇଥିଲେ । କୃତିକାଙ୍କ ମଥାରେ ଇଂରାଜୀରେ ‘‘ପରଫେକ୍ଟ’’ (Perfect) ଲେଖାହୋଇଥିଲା, ଯାହାର ନିହିତ ଅର୍ଥ କେହି ବୁଝି ପାରି ନ ଥିଲେ । ଏହି ଶବ୍ଦ ତାଙ୍କ ମଥାରେ କିଏ ଓ କାହିଁକି ଲେଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତା’ ଛଡ଼ା ମୃତ୍ୟୁ ପୂର୍ବରୁ କୃତ୍ତିକା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କେତେକ ବାକ୍ୟକୁ ନେଇ ସସ୍ପେନ୍ସ ଆରମ୍ଭ ହୋଇଛି।

ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ କୃତିକା କରିଥିବା କିଛି ବାର୍ତ୍ତାଳାପ


ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଜଣେ ସାଙ୍ଗଙ୍କ ସହ ଚ଼ାଟ୍‌ କରିଥିବା ବେଳେ କୃତ୍ତିକା ‘‘ବାଏ ବାଏ ପିପୁଲ’’ (Bye, bye, people) ଲେଖି ପୋଷ୍ଟ କରିଥିଲେ । ତାଙ୍କର ଜଣେ ସାଙ୍ଗ ତାଙ୍କୁ ପଚ଼ାରିଥିଲେ ‘‘କୁଆଡେ ଯାଉଛ?’’ ଏହାର ଉତ୍ତରରେ କୃତ୍ତିକା ଲେଖିଥିଲେ ‘‘ହେଭେନ’’ (heaven, ସ୍ୱର୍ଗ) । କୃତ୍ତିକାଙ୍କ ଏଭଳି ପୋଷ୍ଟ ଏହି ଅପମୃତ୍ୟୁ ଘଟଣାକୁ ଅଧିକ ରହସ୍ୟାବୃତ କରିଛି ।

କୃତିକା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ହାରାହାରି ୯୦ ପ୍ରତିଶତ ମାର୍କ ରଖୁଥିବା ଜଣା ପଡ଼ିଛି । ସ୍କୁଲରେ ଚ଼ାଲିଥିବା କ୍ଲାସ୍‌ ପରୀକ୍ଷାରେ ଆଜି (ସୋମବାର) ତାଙ୍କର ସଂସ୍କୃତ ବିଷୟର ପରୀକ୍ଷା ଥିଲା ।

ଇନଷ୍ଟାଗ୍ରାମରେ କୃତିକାଙ୍କ ଜଣେ ବନ୍ଧୁଙ୍କ ପୋଷ୍ଟ


‘‘ଏ ସବୁ କଥା (ଇନଷ୍ଟାଗ୍ରାମ୍‌ ପୋଷ୍ଟ୍‌) ବିଷୟରେ ପୂର୍ବରୁ ଆମକୁ କିଛି ଜଣା ନ ଥିଲା । ଏବେ ଏସବୁ ଜାଣି ଆମେ ଭାବୁଛୁ ଏ ଘଟଣାରେ ଅନ୍ୟ ଦିଗ ରହିଛି । ଆମେ ଏ ପର୍ଯ୍ୟନ୍ତ କେବଳ ଏତିକି ଜାଣିଥିଲୁ ଯେ ପିଲାଟି ଟେରାସରୁ ତଳକୁ ଖସି ପଡ଼ି ମୃତ୍ୟୁ ବରଣ କରିଛି । ମୁଁ ନିଜେ ଇନଷ୍ଟାଗ୍ରାମରେ ନାହିଁ । ତେବେ ଯଦି ସେ ପିଲାର ଇନଷ୍ଟାଗ୍ରାମ୍‌ ପୋଷ୍ଟରୁ କିଛି ସଙ୍କେତ ମିଳୁଛି ବା ତା’ ସାଙ୍ଗମାନେ ସେମିତି କିଛି କହୁଛନ୍ତି, ତାହେଲେ ସେ ସବୁର ଅନୁସନ୍ଧାନ ହେବା ଦରକାର,’’ କହିଛନ୍ତି ବି.ଜେ.ଇ.ଏମ୍‌. ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟା ଜେନା ।

ବଡ଼ଗଡ଼ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତଦନ୍ତରେ ଇନଷ୍ଟାଗ୍ରାମରେ ହୋଇଥିବା କୃତିକାର ବାର୍ତ୍ତାଳାପ ମହତ୍ୱପୂର୍ଣ୍ଣ ଭୂମିକା ନିଭେଇବ ବୋଲି କହିଛନ୍ତି ଜଣେ ପୋଲିସ୍‌ ଅଧିକାରୀ ।
First published: February 17, 2020, 4:14 PM IST