News18 Odia Digital
କଟକ: ରାୟଗଡ଼ାରେ ଋଷିୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା କ୍ରମ ସାମ୍ନାକୁ ଆସୁଛି। ଯାହାକି ଏହି ମାମଲା ପଛରେ ଜଡ଼ିତ ଥିବା ସନ୍ଦେହକୁ ଦୁର କରିବ କଣ ବରଂ ସେହି ରହସ୍ୟକୁ ଆହୁରି ଗଭୀର କରିବାରେ ଲାଗିଛି। ମାମଲାର ଗୁରୁତ୍ବକୁ ବୁଝି ଏହାର ତଦନ୍ତ ଭାର ନିଜ ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତର ତରିକାକୁ ଆହୁରି ବ୍ୟାପକ କରିଛି।
ଏହି ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପୂର୍ବରୁ ଜଣେ ଡିଏସପିଙ୍କ ନେତୃତ୍ବରେ ଗୋଟିଏ ୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମ ଗଠନ କରିଥିବା ବେଳେ ଏବେ ପ୍ରସଙ୍ଗର ବ୍ୟାକତାକୁ ଉପଲବ୍ଧି କରି ଆଉ ଏକ ଟିମ ଗଠନ କରିଛି। ଏହା ସହିତ ସଦ୍ୟ ଗଠିତ ଏହି ତଦନ୍ତକାରୀ ଟିମକୁ ତୁରନ୍ତ ରାୟଗଡ଼ା ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଫଳସ୍ବରୂପ ଏହି ଦ୍ବିତୀୟ ଟିମଟି ଗୁରୁବାର ସନ୍ଧ୍ୟାରେ ହିଁ ରାୟଗଡ଼ା ଅଭିମୁଖେ କରିଥିଲା।
ଏହି ଦ୍ବିତୀୟ ଟିମଟି ପୂର୍ବ ଟିମ ଠାରୁ ଅଧିକ ବଡ଼ ବରଂ ବହୁ ବିଶେଷଜ୍ଞ ବିଶିଷ୍ଟ ରହିଛି। କ୍ରାଇମବ୍ରାଞ୍ଚର ଡିଏସପି ସରୋଜକାନ୍ତ ମହନ୍ତୋଙ୍କ ନେତୃତ୍ବରେ ଗଠିତ ଏହି ଟିମରେ ଜଣେ ଇନିସପେକ୍ଟର, ଜଣେ ଏଏସଆଇ, ଦୁଇ ଫରେନ୍ସିକ ଏକ୍ସପର୍ଟଙ୍କ ସହ ଜଣେ ଫଟୋଗ୍ରାଫର ମଧ୍ୟ ସାମିଲ ଅଛନ୍ତି। ଏହି ଟିମର ସଦସ୍ୟମାନେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ରାୟଗଡ଼ାରେ ହେଟେଲ ସାଇ ଇଣ୍ଟରନାସନାଲକୁ ଯାଇ ସେଠାରେ ଘଟଣା ସ୍ଥଳ ଯାଞ୍ଚ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ଜେରା କରିବେ ଓ ପ୍ରମାଣ ସଂଗ୍ରହ କରିବେ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।
ସେପଟେ ମୃତ୍ୟୁ ବରଣ କରିଥିବା ଦୁଇ ଋଷିୟ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତ ଦେହକୁ ପୋଡ଼ାଯିବା ଘଟଣାକୁ ମଧ୍ୟ ଗୁରୁତର ସହ ନେଇଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ମୁତାବକ କୋଲକାତା ଠାରେ ଥିବା ଋଷର ବାଣିଜ୍ୟ ଦୂତବାସ ପକ୍ଷରୁ ରାୟଗଡ଼ା ଏସପିଙ୍କୁ ମିଳିଥିବା ଏକ ଚିଠି ପରେ ହିଁ ଉଭୟ ମୃତକଙ୍କ ମୃତଦେହକୁ ରାୟଗଡ଼ା ପୋଲିସ ପୋଡ଼ି ଦେଇଥିବା ସ୍ପଷ୍ଟ ହୋଇଛି। ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ପରେ ଋଷର ବାଣିଜ୍ୟ ଦୂତବାସ ପକ୍ଷରୁ ରାୟଗଡ଼ା ଏସପିଙ୍କୁ ମିଳିଥିବା ଏକ ଚିଠି ବା "ପାୱାର ଅପ ଆର୍ଟର୍ଣ୍ଣି" ଏବେ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ସେହି ଚିଠିଟି ଗତ ୨୬ ତାରିଖ ଦିନ ଲେଖାଯାଇଥିବା ବେଳେ ସେଥିରେ ପାବେଲ ଆଣ୍ଟୋଭଙ୍କ ମୃତଦେହକୁ ପୋଷ୍ଟମଟମ କରିବା, ପୋଷ୍ଟମଟମ ପରେ ଏହାର ରିପୋର୍ଟକୁ ରାୟଗଡ଼ା ଭ୍ରମଣରେ ଆସିଥିବା ଋଷିୟ ନାଗରିକ ମିଖାଇଲ ଟୁରୁଭୋଙ୍କ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ଏହା ସହ ପୋଷ୍ଟମଟମ ପରେ ପାବେଲଙ୍କ ମୃତଦେହକୁ ପୋଡ଼ି ଦେବା ସହ ତାଙ୍କର ଦେହାବଶେଷକୁ ଋଷ ପଠାଇବା ପାଇଁ ବ୍ୟବସ୍ଥା କରିବା କଥା ଉଲ୍ଲେଖ ରହିଛି।
ବଡ଼ କଥା ହେଉଛି କି ଏହି ଚିଠିକୁ "ପାୱାର ଅପ ଆର୍ଟର୍ଣ୍ଣି" ବା ସମ୍ମତି ପତ୍ର ବୋଲି ବିବେଚନା କରିବା ପାଇଁ ସେଥିରେ ଉଲ୍ଲେଖ ରହିଛି। ଏପରିକି ଏହି ଚିଠି ସହ ପାବେଲଙ୍କ ସହ ତାଙ୍କର ଦୁଇ ପତ୍ନୀଙ୍କ ଛାଡ଼ପତ୍ର ହୋଇଯାଇଥିବାରୁ ତାଙ୍କ ଝିଅ ଆନ୍ନା ଆଣ୍ଟୋଭାଙ୍କ ପକ୍ଷରୁ ଜାରି କରାଯାଇଥିବା "ପାୱାର ଅପ ଆର୍ଟର୍ଣ୍ଣି" ଓ ଆନ୍ନାଙ୍କ ଜନ୍ମପ୍ରମାଣ ପତ୍ର ଓ ପାସପୋର୍ଟର ନକଲ ମଧ୍ୟ ସଂଲଗ୍ନ କରାଯାଇଛି।
ତେବେ ଏହି "ପାୱାର ଅପ ଆର୍ଟର୍ଣ୍ଣି"ର ସତ୍ୟତା ଯାଞ୍ଚ କରିବା ପାଇଁ ଏବେ ଉଦ୍ୟମ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ ଉଭୟଙ୍କ ମୃତକଙ୍କ ପରିବାର ଲୋକଙ୍କ ଯୋଗାଯୋଗ ସ୍ଥାପନ କରିବାକୁ ଯାଉଛି। ଏହା ସହ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖିନ ହେଉଥିବା ଦମ୍ପତିଙ୍କ ଠାରୁ ମିଳୁଥିବା ସୂଚନା ଗୁଡ଼ିକର ସତ୍ୟାସତ୍ୟ ଜାଣିବା ପାଇଁ ଉଦ୍ୟମ କରାଯିବ। ବିଶେଷ କରି ପାନ ସେଙ୍କୋ ଓ ଟୁରଭୋ ଉଭୟଙ୍କ ମୃତକଙ୍କୁ ନେଇ ଦେଇଥିବା ବୟାନକୁ ଦୁଇ ମୃତକଙ୍କ ପରିବାର ଲୋକଙ୍କ କଥା ସହିତ ମେଳ କରାଯିବ ବୋଲି ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ରାୟଗଡ଼ା ଆସିଥିବା ଋଷ ପର୍ଯ୍ୟଟକଙ୍କ ଟ୍ରଭେଲ ହିଷ୍ଟ୍ରି ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ କହିଛି କ୍ରାଇମବ୍ରାଞ୍ଚ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।