ଛତୁ କିଲୋ ଲକ୍ଷେ ଟଙ୍କା; ଛତୁ ବିକି ଲକ୍ଷପତି ହେଲେ ସମ୍ବଲପୁରର କୃଷି ବିଜ୍ଞାନୀ ଦିବ୍ୟରାଜ
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ବଲପୁର; ଛତୁର ଦାମ କେଜିକୁ ୧ ଲକ୍ଷ ଟଙ୍କା । ଆଉ ଏପରି ଲକ୍ଷେ ଟଙ୍କିଆ ଛତୁ ଫୁଟିଛି ସମ୍ବଲପୁର ଖଣ୍ଡୁଆଲରେ । ଏହି ଲକ୍ଷେ ଟଙ୍କିଆ ଛତୁ ଚାଷ କରିଛନ୍ତି ସମ୍ବଲପୁରର କୃଷି ବିଜ୍ଞାନୀ ଦିବ୍ୟରାଜ ଵେରିହା । ଅନେକ ଔଷଧୀୟ ଗୁଣରେ ଭରପୂର ଥିବା ଏହି ବିରଳ ଛତୁର ବଜାର ଦର କିଲୋ ପ୍ରତି ୧ ଲକ୍ଷ ଟଙ୍କା । ମୁଖ୍ୟତଃ ବାହର ଦେଶରେ ଉତ୍ତର ଗୋଲାର୍ଦ୍ଧରେ ପ୍ରାକୃତିକ ପରିବେଶରେ ସ୍ବଳ୍ପ ପରିମାଣରେ ଏହି ଛତୁ ହୋଇଥାଏ । ଆଉ ଏହି ଛତୁର ନାମ ହେଉଛି କଡିସେପ୍ ମିଲିଟାରିଜ୍ ଓ ହିନ୍ଦୀରେ ଏହାକୁ କିଡ଼ା ଜଡ଼ି କୁହାଯାଏ । ଏହି ଛତୁ ଦିବ୍ୟରାଜ ନିଜ ସମ୍ବଲପୁର ଖଣ୍ଡୁଆଳ ସ୍ଥିତ ଫାର୍ମ ହାଉସ୍ରେ ସଫଳତାର ସହ ଉତ୍ପାଦନ କରିଛନ୍ତି ।
ଦିବ୍ୟରାଜଙ୍କ କହିବା ଅନୁଯାୟୀ ଏହା ବିଶ୍ଵର ସବୁଠୁ ଦାମୀ ଛତୁ । ଏହାକୁ କେହି କେହି ଛତୁ ରୂପରେ ଖାଉଥିଲେ ବି ଅତ୍ୟଧିକ ମୂଲ୍ୟ କାରଣରୁ ଏହା ମୁଖ୍ୟତଃ ଫାର୍ମା କମ୍ପାନି ବା ଔଷଧ ଶିଳ୍ପ ଦ୍ୱାରା ବ୍ୟବହୃତ ହୁଏ । ଏହି ଛତୁରେ କଡିସେପିନ୍ ନାମକ ଆଣ୍ଟିମେଟାବୋଲାଇଟ୍ ବା ଆଣ୍ଟିବାୟୋଟିକ୍ ପ୍ରଚୁର ପରିମାଣରେ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିକ୍ୟାନ୍ସର ଗୁଣ ମଧ୍ୟ ଏହି ଛତୁରେ ରହିଛି । ଏପରିକି କର୍କଟ ରୋଗର ଚିକିତ୍ସା, ରୋଗ ପ୍ରତିଷେଧକ ବୃଦ୍ଧି, ଜୀବକୋଷ ନିର୍ମାଣ, ସ୍ମରଣ ଶକ୍ତି ବୃଦ୍ଧି, ଶକ୍ତି ବର୍ଦ୍ଧକ ଆଦି ଔଷଧ ଭାବେ ଏହାର ବ୍ୟବହାର କରାଯାଏ ।
ନିଜ ପରୀକ୍ଷାଗାରରେ ଏହି ଛତୁ ଉତ୍ପାଦନ କରିବା ପାଇଁ ଅବଶ୍ୟ ଦିବ୍ୟରାଜଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଛି । ପରୀକ୍ଷାଗାରରେ ଛତୁ ପାଇଁ ପ୍ରାକୃତିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ସେ ତାପମାତ୍ରାକୁ ନିୟନ୍ତ୍ରଣ କରିଥିଲେ । ବୋତଲ ଭିତରେ ସେ ଏହି ଛତୁ ଚାଷ କରିଥିଲେ । ଏଥି ପାଇଁ ବିଜୁଳି ଓ ଅନ୍ୟାନ୍ୟ ବାବଦକୁ ଅର୍ଥ ଖର୍ଚ୍ଚ ହୋଇଥିଲେ ବି ବ୍ୟବସାୟିକ ଢଙ୍ଗରେ ଏହାକୁ ଉତ୍ପାଦନ କଲେ ଜଣେ ଯଥେଷ୍ଟ ଲାଭ ପାଇ ପାରିବ ବୋଲି କହିଛନ୍ତି ଦିବ୍ୟରାଜ । ପୂର୍ବରୁ କଳା ଧାନ, କଳା ଗହମ, କଳା ହଳଦୀ, କଳା ଅଦା, ଷ୍ଟ୍ରବେରି, ବାୟୋଫ୍ଲକ୍ସ ,ମାଛ, ଛେଳି, କୁକୁଡ଼ା, ଜୈବିକ ପନିପରିବା, ମୁକ୍ତା ଓ କାଶ୍ମିରୀ କେସର ଆଦି ଚାଷରେ ସଫଳତା ଲାଭ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦିବ୍ୟରାଜ ଏହି ଦାମୀ ଛତୁ ଚାଷ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।