News18 Odia Digital
ବାଲେଶ୍ବର: ପୁଣି ଅଶାନ୍ତ ବାଲେଶ୍ୱର। ଲଗାତାର ଲୁଟ ସହରରେ ଲାଗି ରହିଥିବା ବେଳେ ଶୁକ୍ରବାର ରାତିରେ ଘଟିଛି ବିଭତ୍ସ ହତ୍ୟା। ହତ୍ୟା ପଛରେ ବଡ଼ ଗ୍ୟାଙ୍ଗର କିଛି କୁଖ୍ୟାତ ଅପରାଧୀ ଥିବା ଚର୍ଚ୍ଚା ହେଉଥିବା ବେଳେ ହତ୍ୟାର ଅନେକ ଘଣ୍ଟା ପରେ ବି ପୋଲିସର ହାତ ଖାଲି ଥିବା ବେଳେ ଜିଲ୍ଲା ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ସବୁ ମହଲରୁ ପ୍ରଶ୍ନ ଉଠିଲାଣି।
ଶୁକ୍ରବାର ରାତିରେ ଚାନ୍ଦିପୁର ଥାନା ଚାନ୍ଦିପୁର ରାସ୍ତାର ଆଇଓସିଏଲ ଛକ ନିକଟରେ ସୁନହଟ୍ ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ଓରଫ୍ ବାପୁନର ହତ୍ୟା ହୋଇଛି। ଏହି ବିଭତ୍ସ ହତ୍ୟା ପରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ ହୋଇଛି।
ପୋଲିସ କେସ ନମ୍ବର ୫୬/୨୦୨୨ରେ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛି। କିଏ ଓ କାହିଁକି ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କଲେ, ସେମାନଙ୍କ ସହ ବାପୁନୁର ଶତ୍ରୁତା କଣ ଥିଲା, କିଏ ଏହାର ମାଷ୍ଟରମାଇଣ୍ଡ୍, ହତ୍ୟା ପାଇଁ କିପରି ହୋଇଥିଲା ଷଡ଼ଯନ୍ତ୍ର ଓ କେତେ ଜଣ ଏଥିରେ ସାମିଲ ଥିଲେ, ଏମିତି ତମାମ୍ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି।
ତେବେ ପୋଲିସ ପକ୍ଷରୁ ଏନେଇ କିଛି ସୂଚନା ମିଳିନଥିବା ବେଳେ ବ୍ୟାପକ ସୁଧ କାରବାର, ନିଶା ବେପାର ଓ ଦାଦାବଟି ଆଦାୟରେ ସେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ବାପୁନୁ ହତ୍ୟା ପଛର ଏହା କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଇଛି।
ସତ୍ୟବ୍ରତ ଦାସ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଟାଉନ ଥାନା, ସହଦେବଖୁଣ୍ଟା ଥାନା ଓ ଚାନ୍ଦିପୁର ବଳରାମଗଡ଼ି ସାମୁଦ୍ରିକ ଥାନାରେ ୭ରୁ ଅଧିକ ମାମଲା ତାଙ୍କ ନାଁରେ ବିଚାରାଧୀନ ରହିଥିବା ବେଳେ ପୂର୍ବରୁ ଗିରଫ ହୋଇ ଜେଲରେ ଥିଲା ବାପୁନୁ।
ଦୀର୍ଘ ବର୍ଷ ପୂର୍ବରୁ ଷ୍ଟେସନ ବଜାର ନିକଟରେ ଚୋରା ଗଞ୍ଜେଇ ବେପାର କରୁଥିବା ବେଳେ ଧରାପଡ଼ି ଜେଲ୍ ଯାଇଥିଲା। ପରେ ଜେଲରୁ ବାହାରି ବ୍ରାଉନ ସୁଗାର ବେପାର କରି ଗିରଫ ମଧ୍ୟ ହୋଇଥିଲା। ଏହାପରେ ସେ ଜେଲରୁ ବାହାରି ବାଲେଶ୍ଵର ସହର, ସୁନହଟ୍, ପାତ୍ରପଡ଼ା, ଶ୍ରୀକୋଣା ଓ ଚାନ୍ଦିପୁର ଅଞ୍ଚଳରେ ଟଙ୍କା ସୁଧ କାରବାର ଚଳାଇଥିଲା। ଧାର୍ଯ୍ୟ ତାରିଖରେ ଯିଏ ତାଙ୍କ କିସ୍ତି ଟଙ୍କା ସୁଝୁନଥିଲେ ସତ୍ୟବ୍ରତ ସେମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିଲା ବୋଲି କିଛି ଲୋକ ନାଁ ଗୋପନ ରଖି କହିଛନ୍ତି।
ବାପୁନୁ ସହିତ ପାତ୍ରପଡ଼ା ଅଞ୍ଚଳର ଜଣେ ମୁଷ୍ଟିମେୟ ମଦ ମାଫିଆର ସମ୍ପର୍କ ରହିଥିବା ଜଣା ପଡ଼ିଛି। ଫୁଲାଡ଼ି, ବଳରାମଗଡ଼ି ଓ ପାତ୍ରପଡ଼ା ଛକ ନିକଟରେ ଏକ ମଦ ଦୋକାନ ଖୋଲାଯାଇଥିବା ବେଳେ ସତ୍ୟବ୍ରତ ବଳରାମଗଡ଼ି ମଦ ଦୋକାନଟିକୁ ବୁଝାବୁଝି କରୁଥିଲା। ସେହିପରି ଜମି କାରବାରରେ ଜଡ଼ିତ ଥିବା ମାଫିଆଙ୍କ ସହ ମଧ୍ୟ ତାଙ୍କର ଲିଙ୍କ୍ ରହିଥିଲା।
ତେବେ ତାଙ୍କ ଘର ତରଫରୁ ଏସବୁକୁ ଅସ୍ବୀକାର କରାଯାଇଥିବା ବେଳେ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସକୁ ଜଣାଯାଇଥିଲା। ହତ୍ୟାକାଣ୍ଡକୁ ନେଇ ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ଏସବୁ ଦର୍ଶାଯାଇ ଥିବା ତାଙ୍କ ଭାଇ ସୁବ୍ରତ ଦାସ କହିଛନ୍ତି।
ଅପରାଧୀ ଗ୍ୟାଙ୍ଗକୁ ଧରିବା ପାଇଁ ବାଲେଶ୍ଵର ସିଟି ଡିଏସ୍ପିଅମୂଲ୍ୟ ଧର ଓ ସଦର ଏସ୍ଡିପିଓ ମଲ। ପଦାରବିନ୍ଦ ତ୍ରିପାଠୀଙ୍କ ନେତୃତ୍ବରେ ଚାନ୍ଦିପୁର ଥାନା ଆଇଆଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଆଇଆଇସି ଗୋପାଳ ଚନ୍ଦ୍ର କଅଁଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛି ପୋଲିସ ବିଭାଗ।
ସେପଟେ ସହରରେ ଲଗାତାର ଲୁଟ ଓ ଆକ୍ରମଣ ଘଟଣା ଘଟି ଚାଲିଥିବା ପୁଣି ଏହି ହତ୍ୟାକୁ ନେଇ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ମୁଖ୍ୟତଃ ଏହି ହତ୍ୟା ପଛରେ କିଛି ପେସାଦାର ଅପରାଧୀ ଥିବା ସନ୍ଦେହ କରାଯାଉଥିବା ବେଳେ ପୁଣି ପୁରୁଣା ଗ୍ୟାଙ୍ଗ ସକ୍ରିୟ ହେବା ଆଶଙ୍କା ଦେଖାଯାଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।