News 18 Odia Digital
ଭୁବନେଶ୍ୱର; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ୱର୍ଗତ ନବ କିଶୋର ଦାସଙ୍କ (Naba kishor das) ଗୁଳିମାଡ ଘଟଣାକୁ ନେଇ ରାଜନୀତି (Politics) ସରଗରମ ହୋଇଛି । ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡି (BJD) ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଶ୍ରୀମୟୀ କହିଛନ୍ତି ଯେ, ବିଜେପିର ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର ଜଣେ ହତ୍ୟା ଅଭିଯୁକ୍ତ । ଆପଣ ଜାଣିଥିବେ ବିଜୁ ଜନତା ଦଳର ଜଣେ କର୍ମୀଙ୍କ ହତ୍ୟା ମାମଲାରେ ସେ ସମୃକ୍ତ ହୋଇ ନିଜେ ଜେଲକୁ ଯାଇଥିଲେ । ଜେଲରେ ଅନେକ ଦିନ କାଟିବା ପରେ କୋର୍ଟରୁ ତାଙ୍କୁ ଜାମିନ ମିଳିଲା ତାପରେ ସେ ବାହାରକୁ ବାହାରିଲେ । ଆପଣ ସମସ୍ତେ ଜାଣିଛନ୍ତି ଏକ ଦୁଃଖର ସମୟ ଚାଲିଛି । ଗୋଟେ ଅଘଟଣ ଘଟିଛି ଯାହା ଆମ ସମସ୍ତଙ୍କୁ ଦୁଃଖିତ, ମର୍ମାହତ କରିଛି । ମାନ୍ୟବର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତଃ ନବ କିଶୋର ଦାସ ମହୋଦୟଙ୍କର ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଯାଇଛି । ମତେ ଲାଗୁଛି ଶ୍ରୀ ଜୟନାରାୟଣ ମିଶ୍ର ମହୋଦୟ ନିଜେ ଯେହେତୁ ଜଣେ ହତ୍ୟା ଅଭିଯୁକ୍ତ ତେଣୁକରି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ବୋଧହୁଏ ତାଙ୍କୁ ବିଚଳିତ କରିଛି । ତାଙ୍କ ମନରେ ଭୟ ସୃଷ୍ଟି କରିଛି । ଯେଉଁଥିପାଇଁ ସେ ବାଉଳିଚାଉଳି ହୋଇ କଣ କହିବେ ବୁଝିପାରୁନାହାନ୍ତି ଏବଂ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ମୁଁ ଗଣମାଧ୍ୟମ ଜରିଆରେ ସ୍ପଷ୍ଟ କହିରଖିବାକୁ ଚାହେଁ ବିଜୁ ଜନତା ଦଳ ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ଆଦୌ ଗୁରୁତ୍ୱ ଦେଇନାହିଁ ବା ଦେବନାହିଁ ।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି ଯେ, ମୁଁ ଯେତିକି ଖବର ପାଇଛି ଗୋପାଳ ଦାସ ଗୁଳି କରିବାର କିଛି ସମୟ ମଧ୍ୟରେ ହିଁ ଘଟଣାସ୍ଥଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପରେ ଏତେ ଡ୍ରାମା କରିବା କଣ ଦରକାର ଥିଲା ଜୟନାରାୟଣ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଜୟନାରାୟଣ ଏକଥା ମଧ୍ୟ କହିଛନ୍ତି, ଚିକିତ୍ସା ପାଇଁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡାରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ତେବେ ସେଠାକାର ଡାକ୍ତରଙ୍କ ପରାମର୍ଶ ଥିଲା କି ଭୁବନେଶ୍ୱର ସ୍ଥାନାନ୍ତରିତ ପାଇଁ ?
ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଗୃହ ବିଭାଗ ଦାୟିତ୍ୱରେ ଯିଏ ଅଛନ୍ତି ତାଙ୍କଠାରୁ କଣ ଆଉ ଆଶା କରିବା । ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି କିନ୍ତୁ କଣ ଫଳ ଆସିବ ସେନେଇ କିଛି କହିହେବନି । କାରଣ ବିଗତ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଅନେକ ଘଟଣାର ତଦନ୍ତ କରିଛି କିନ୍ତୁ ଫଳ ଶୂନ ।
ସେହିପରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ଆଜି ପର୍ଯ୍ୟନ୍ତ ପରୀ ଘଟଣାର ତଦନ୍ତ ସାମ୍ନାକୁ ଆସିପାରିନି । ପୁଣି ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଫଳ ଯାହା ଆସିବ ତାହା ଜଣାପଡୁଛି । ଏସଆଇଟି ତଦନ୍ତ କଲେ ସତ୍ୟ ସାମ୍ନାକୁ ଆସିବ ।
ଏହି ଖବର ପଢ଼ନ୍ତୁ -
http://ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ୍; ଗୁଳିମାଡ ପଛରେ ଅଛି କି ଲିଙ୍କ୍ ?Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।