News18 Odia Digital
ଭୁବନେଶ୍ବର: କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲ୍ୟୁ କବଜାରେ ଦୁଇ ହାର୍ଡକୋର ଅପରାଧି। ୨କୋଟି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇରୁ ଉଭୟଙ୍କୁ ଗିରଫ କରିଛି ଇଓଡବ୍ଲୁ। ଦୁଇ ଅଭିଯୁକ୍ତ ହେଲେ ରାକେଶ କୁମାର ଗିରିଜା ଶଙ୍କର ପାଣ୍ଡେ ଓ ସରମାନ ସିଂ ତୋମର। ଗିରଫ ପରେ ମୁମ୍ବାଇ ବାନ୍ଦ୍ର ସ୍ଥିତ ହୋଲିଡେ କୋର୍ଟରେ ହାଜର କରି ଉଭୟଙ୍କୁ ଟ୍ରାଞ୍ଜିଟିଂ ରିମାଣ୍ଡରେ ଭୁବନେଶ୍ୱର ଆଣି ଜେରା କରୁଛି ତଦନ୍ତକାରୀ ସଂସ୍ଥା।
କ୍ରାଇମ୍ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁର ସୂଚନା ଅନୁସାରେ ଡନ୍ ରାକେଶକୁ ଧରିବା ପାଇଁ ବେଶ କସରତ କରିଥିଲା କ୍ରାଇମ୍ ବ୍ରାଞ୍ଚ। ପ୍ରଥମେ ରକେଶର ପ୍ରେମିକାର ସୁରାକ ପାଇଥିଲା ତଦନ୍ତକାରୀ ସଂସ୍ଥା । ପରେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଥିବା ବେଳେ ତାକୁ କାବୁ କରିବାକୁ ସକ୍ଷମ ହୋଇଥିଲେ ତଦନ୍ତକାରୀ ଟିମ। ଚଢ଼ାଉ ବେଳେ ତା ପାଖରୁ ଏକ ଅଷ୍ଟ୍ରିଆ କମ୍ପାନୀ ବନ୍ଧୁକ ସହ ୮ ରାଉଣ୍ଡ ଜୀବନ୍ତ ଗୁଳି ଓ ୫୦ ହଜାର ଟଙ୍କା ଜବତ କରିଛି କ୍ରାଇମ୍ ବ୍ରାଞ୍ଚ।
ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଉଭୟଙ୍କୁ ଗିରଫ କରି ରିମାଣ୍ଡରେ ଅଣାଯାଇଛି। ୧୦୦ କୋଟି ଟଙ୍କା ଋଣ କରାଇ ଦେବାକୁ କହି ଝାରସୁଗୁଡାର ବ୍ୟବସାୟୀ ଅଶୋକ କୁମାର ସିଂଙ୍କ ଠାରୁ ନେଇଥିଲେ ୨ କୋଟି ଟଙ୍କା। ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଏନେଇ କ୍ରାଇମ୍ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି EOW ଏସପି ଦିଲିପ ତ୍ରିପାଠୀ।
ଓଡ଼ିଶାରୁ ଠକେଇ କରି ମୁମ୍ବାଇରେ ମଉଜ କରୁଥିଲା ରାକେଶ ଓ ସରମାନ। ଫାଇଭ ଷ୍ଟାର ହୋଟେଲରେ ରହୁଥିଲା, ଦାମୀ ଗାଡିରେ ବୁଲୁଥିଲା। ନିଜର ଖାତିର ପାଇଁ ପାଖରେ ରଖୁଥିଲା ଅଷ୍ଟ୍ରିଆ ନିର୍ମିତ ବନ୍ଧୁକ। ମୁମ୍ବାଇ ପୋଲିସ ପାଇଁ ସେ ଥିଲା ହାର୍ଡକୋର କ୍ରିମିନାଲ। ଶେଷରେ ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଡନ୍କୁ ବାନ୍ଧିଲା କ୍ରାଇମ୍ ବ୍ରାଞ୍ଚର ଇଓଡ଼ବ୍ଲ୍ୟୁ।
"ତଦନ୍ତ ବେଳେ କ୍ରାଇମ୍ ବ୍ରାଞ୍ଚ ଜାଣିବାକୁ ପାଇଛି, ରାକେଶ ନାଁରେ ୟୁପିରେ ୧୫ରୁ ଅଧିକ ଅପରାଧିକ ମମାଲା ରହିଛି। ଅପହରଣ, ହତ୍ୟା, ଦାଦାବଟି ଭଳି ସାଙ୍ଘାତିକ ଅପରାଧରେ ରାକେଶର ନା ଆଗୁଆ ରହିଛି। ଏହି ଘଟଣାରେ ଓଡ଼ିଶାର ମାଷ୍ଟରମାଇଣ୍ଡ କିଏ ତାକୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା," କହିଛନ୍ତି ଇଓଡ଼ବ୍ଲ୍ୟୁ ଏସପି।
ଉଭୟଙ୍କୁ ଗିରଫ ପରେ ଏବେ ରିମାଣ୍ଡରେ ଆଣି ଜେରା କରିବାକୁ ଅଣ୍ଟା ଭିଡ଼ିଛି ତଦନ୍ତକାରୀ ସଂସ୍ଥା। ରିମାଣ୍ଡ ବେଳେ ରାଜ୍ୟରେ ଆଉ କାହାକୁ ଟଙ୍କା ଠକେଇ କରୁଛନ୍ତି କି ନାହିଁ? ଠକେଇ ଟଙ୍କା ଯେଉଁଠି ବିନିଯୋଗ ହୋଇଛି ସେସବୁର ତଥ୍ୟ ଖୋଜିବ କ୍ରାଇମ୍ ବ୍ରାଞ୍ଚ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।