ଉଦଘାଟିତ ହେଲା ନନ୍ଦନକାନନ ବହୁତଳ ପାର୍କିଂ ସ୍ଥଳ; ଖର୍ଚ୍ଚ ହୋଇଛି ୩୫ କୋଟିରୁ ଅଧିକ ଟଙ୍କା

ରାଜ୍ୟ ସରକାର ଏଠାରେ ଏକ ୩ ମହଲା ବହୁତଳ ପାର୍କିଂ ନିର୍ମାଣ କରିଛନ୍ତି। ଏହା ୩୫ କୋଟି ୪୨ ଲକ୍ଷ୍ୟ ୭୯ ହଜାର ଟଙ୍କାରେ ନିର୍ମାଣ ହୋଇଥିବା ବହୁତଳ ପାର୍କିଂକୁ ଶୁକ୍ରବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟିତ ହେଲା ନନ୍ଦନକାନନ ବହୁତଳ ପାର୍କିଂ ସ୍ଥଳ

ଉଦଘାଟିତ ହେଲା ନନ୍ଦନକାନନ ବହୁତଳ ପାର୍କିଂ ସ୍ଥଳ

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ନନ୍ଦନକାନନ ପରିସରରେ ଏହି ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଏନେଇ ଖର୍ଚ୍ଚ ହୋଇଛି ୩୫ କୋଟି ୪୨ ଲକ୍ଷ୍ୟ ୭୯ ହଜାର ଟଙ୍କା।

ତିନି ମହଲା ବିଶିଷ୍ଟ ଏହି ପାର୍କିଙ୍ଗ ସ୍ଥଳରେ ୫୮୩ଟି ଚାରି ଚକିଆ ଯାନ ରହିବାର ସୁବିଧା ରହିଛି। ପ୍ରତ୍ୟେକ ପାର୍କିଂ ମହଲା ୫ ହଜାର ୬ ଶହ ବର୍ଗ ମିଟରରେ ନିର୍ମିତ ହୋଇଛି। ପାର୍କିଂର ଚତୁର୍ପାଶ୍ୱରେ ଦୁଇ ହଜାର ଦୁଇ ଚକିଆ ଯାନ ରହିବାର ସୁବିଧା ରହିଛି।

ସେହିପରି ବିଭିନ୍ନ ଗାଡ଼ି ପାଇଁ ଭିନ୍ନ ଭିନ୍ନ ଭଡ଼ା ରହିଛି। ସାଇକେଲ ପାଇଁ ୫ ଟଙ୍କା ଭଡ଼ା ଥିବା ବେଳେ ବାଇକ ପାଇଁ ୨୦ ଟଙ୍କା, କାର ପାଇଁ ୫୦ ଟଙ୍କା, ବସ ପାଇଁ ୭୦ ଟଙ୍କା ଟିକେଟ ମୂଲ୍ୟ ରହିଛି। ୬ ଘଣ୍ଟା ଗାଡି ପାର୍କିଂରେ ରଖିଲେ ଏହି ଅନୁସାରେ ଭଡ଼ା ଦେବାକୁ ପଡ଼ିବ। ଏହି ମଲ୍ଟି ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ସିସି କ୍ୟାମେରା ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସମସ୍ତ ମହଲାରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ମଧ୍ୟ ରଖାଯାଇଛି।

ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକେଟ ଘର କରାଯାଇଛି। ଏଥିସହ ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭରମାନଙ୍କ ପାଇଁ ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି।

ନନ୍ଦନକାନନକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନି ମହଲା ବିଶିଷ୍ଟ ଗାଡ଼ି ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଏହା ଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଏଥି ପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ତେଣୁ ଏହାର ଲମ୍ବା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଏକ ବହୁତଳ ବିଶିଷ୍ଠ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି।

ଉଦଘାଟନୀ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।
Published by:Lipina Das
First published: