ରାଜ୍ୟରେ ଫେଲ୍ ମାରିଛି ‘ମୁକ୍ତା’ ଯୋଜନା; କର୍ମ ନିଯୁକ୍ତି ସୃଷ୍ଟି କରିବା ଥିଲା ଲକ୍ଷ୍ୟ

ମୁକ୍ତା ଯୋଜନା ଦ୍ୱାରା ରାଜ୍ୟର ବିଭିନ୍ନ ଛୋଟ ବଡ଼ ସହରରେ ନିଶ୍ଚିତ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଏହାର ମୂଳ ଲକ୍ଷ୍ୟ ହେଲା ନଷ୍ଟ ହେଉଥିବା ବର୍ଷା ଜଳର ସଂରକ୍ଷଣ ସହିତ କମି କମି ଯାଉଥିବା ଭୂତଳ ଜଳର ପରିମାଣ ବୃଦ୍ଧି କରିବା।

ରାଜ୍ୟରେ ଫେଲ୍ ମାରିଛି ‘ମୁକ୍ତା’ ଯୋଜନା

ରାଜ୍ୟରେ ଫେଲ୍ ମାରିଛି ‘ମୁକ୍ତା’ ଯୋଜନା

  • Share this:
News18 Odia Digital

ଭୁବନେଶ୍ବର: ବର୍ଷା ଜଳର ସଂରକ୍ଷଣ ସହିତ ଭୂତଳ ଜଳର ପରିମାଣ ବୃଦ୍ଧି ଉଦ୍ଦେଶ୍ୟରେ ୨୦୨୧, ଫେବୃୟାରୀ ପହିଲାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏକ ଅଭିନବ ଯୋଜନା ଯାହାର ନାଁ ଥିଲା ‘ମୁକ୍ତା’ ଯୋଜନା। ଯୋଜନାର ଲକ୍ଷ୍ୟ ଥିଲା ବର୍ଷା ଜଳକୁ ଧରି ରଖିବା ସହିତ ଏହି ଯୋଜନା ଦ୍ୱାରା ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।

ହେଲେ ବର୍ଷକ ପରେ ମଧ୍ୟ ଏହି ଯୋଜନାର ବାସ୍ତବ ଚିତ୍ର ସାମ୍ନାକୁ ଆସି ପାରିନାହିଁ। ରାଜ୍ୟର ୧୧୪ଟି ଛୋଟ ବଡ଼ ସହରରେ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ରୂପ ନେଇପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଯୋଜନା ଢ଼ାଞ୍ଚାରେ ଏକ ସମନ୍ତରାଳ ଯୋଜନା ଆରମ୍ଭ ପାଇଁ ୨୦୨୧ ମସିହାରେ ରାଜ୍ୟ ସରକାର ଉଦ୍ୟମ କରିଥିଲେ। ଏହି ଯୋଜନା ନାଁ ହେଲା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନା ବା ମୁକ୍ତା ଯୋଜନା। ଯୋଜନା ଦ୍ୱାରା ରାଜ୍ୟର ବିଭିନ୍ନ ଛୋଟ ବଡ଼ ସହରରେ ନିଶ୍ଚିତ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଏହାର ମୂଳ ଲକ୍ଷ୍ୟ ହେଲା ନଷ୍ଟ ହେଉଥିବା ବର୍ଷା ଜଳର ସଂରକ୍ଷଣ ସହିତ କମି କମି ଯାଉଥିବା ଭୂତଳ ଜଳର ପରିମାଣ ବୃଦ୍ଧି କରିବା।

ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ଛୋଟ ବଡ଼ ୧୧୪ଟି ସହରରେ ଏହି ଯୋଜନା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ ବାର୍ଷିକ ପ୍ରାୟ ୧୫୦୦ ମିଲିମିଟର ବର୍ଷା ହେଉଥିବା ବେଳେ ସେ ଭିତରୁ ୮୦ ପ୍ରତିଶତରୁ ଅଧିକ ବର୍ଷା ଜଳ ସମୁଦ୍ରରେ ମିଶିଥାଏ। ଏହି ଯୋଜନା ଦ୍ୱାରା ପ୍ରାୟ ୬୦ ପ୍ରତିଶତ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିଲା। ଏହାସହିତ ସ୍ୱତନ୍ତ୍ର ଜଳ ବିଭାଜିକା ବ୍ୟବସ୍ଥା ଦ୍ୱାରା ସଂରକ୍ଷିତ ବର୍ଷା ଜଳକୁ ଭୂତଳ ଜଳରେ ଛାଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୧୦,୦୦୦ ଛୋଟ ଛୋଟ ଜଳ ସଂରକ୍ଷଣ ପ୍ରକଳ୍ପର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ମୋଟ ଉପରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ପରିବେଶ ସୁରକ୍ଷା ଦିଗରେ ଏହା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବର୍ଷକ ପରେ ଏହାର ପୂର୍ଣ୍ଣାଙ୍ଗ ଫଳାଫଳ ସାମ୍ନାକୁ ଆସିପାରିନାହିଁ। ରାଜ୍ୟ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଇ. ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ମତରେ ଯୋଜନା ଭଲ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତାରେ ସମନ୍ୱୟର ଅଭାବ କାରଣରୁ ଏହା ଅଧାପନ୍ତରିଆ ଓ ଅନୁପଯୋଗୀ ହୋଇଛି। ଏଥିରୁ ସମସ୍ତେ ଶିକ୍ଷା କରିବା ଉଚିତ୍।

ଏହି ସ୍ଥିତିକୁ ନେଇ ଉଦବେଗ୍ ପ୍ରକାଶ କରିଛି ରାଜ୍ୟ ପରିବେଶ ସମିତି। ରାଜ୍ୟ ପରିବେଶ ସମିତିର ସମ୍ପାଦକ ଡ଼. ଜୟକୃ‌ଷ୍ଣ ପ୍ରାଣୀଗ୍ରାହି କହିଛନ୍ତି, ‘‘ବିଭିନ୍ନ କାରଣରରୁ ଏହି ଯୋଜନା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ସରକାରୀ ସ୍ତରରେ ଆନ୍ତରିକ ଉଦ୍ୟମର ଅଭାବ କାରଣରୁ ଜଳ ସଂରକ୍ଷଣ ଲକ୍ଷ୍ୟ ହାସଲ ହୋଇପାରିନାହି। ଯେଉଁ ଲକ୍ଷ୍ୟ ରଖି ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ତାହା ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇଛି। ଏଥିରେ ସରକାରୀ ହସ୍ତକ୍ଷେପ ଲୋଡ଼ା।’’

ଦିନକୁ ଦିନ ବ୍ୟବହାର ଉପଯୋଗୀ ପାଣିର ପରିମାଣ କମି କମି ଯାଉଛି। ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ ପାଇଁ ସରକାରୀ କଟକଣା ନ ଥିବାରୁ ଏହାର ପରିମାଣ ମଧ୍ୟ କମିବାରେ ଲାଗିଛି। ଆଗକୁ ଏହି ସ୍ଥିତି ମାରାତ୍ମକ ହୋଇପାରେ। ତେଣୁ ଏବେଠାରୁ ଏନେଇ ସଜାଗ ଓ ସଚେତନ ହେବା ଉଚିତ୍ ବୋଲି ମତ ଏକ୍ସପର୍ଟ।
Published by:Lipina Das
First published: