ବ୍ୟାଙ୍କ ଅସହଯୋଗ କାରଣରୁ ରାଜ୍ୟରେ MSME ଅବସ୍ଥା ରୁଗଣ; ହସ୍ତକ୍ଷେପ ପାଇଁ କେନ୍ଦ୍ର ଓ ରାଜ୍ୟକୁ ଚିଠି

ଉତ୍କଳ ଚ୍ୟାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇର ସୂଚନା ଅନୁସାରେ, ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପଞ୍ଜୀକୃତ ଶିଳ୍ପାନୁଷ୍ଠାନର ସଂଖ୍ୟା ୫ ଲକ୍ଷରୁ ଅଧିକ। ଅନ୍ୟ ବଡ଼ ଶିଳ୍ପ ପ୍ରତିଷ୍ଠାନ ତୁଳନାରେ ଏହି ଏମଏସଏମଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସମ୍ଭାବନା ଯଥେଷ୍ଟ ଅଧିକ।

ବ୍ୟାଙ୍କ ଅସହଯୋଗ କାରଣରୁ ରାଜ୍ୟରେ MSME ଅବସ୍ଥା ରୁଗଣ

ବ୍ୟାଙ୍କ ଅସହଯୋଗ କାରଣରୁ ରାଜ୍ୟରେ MSME ଅବସ୍ଥା ରୁଗଣ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମଏସଏମଇରେ ନିଯୁକ୍ତି ସୁଯୋଗର ଭରପୂର ସମ୍ଭାବନା ରହିଛି। ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ତୁଳନାରେ ଛୋଟ ଶିଳ୍ପ ପ୍ରତିଷ୍ଠାନ ଜରିଆରେ ଅଧିକ ନିଯୁକ୍ତି ସମ୍ବଳ ସୃଷ୍ଟି କରାଯାଇପାରିବ। କିନ୍ତୁ ଏକ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ବ୍ୟବସ୍ଥା।

ଯଦି ଏଭଳି ସ୍ଥିତି ଜାରି ରହେ ତେବେ ରାଜ୍ୟରେ ଏମଏସଏମଇ ଶିଳ୍ପରେ ନିଯୁକ୍ତି ସୁଯୋଗ ସମ୍ଭାବନା ସଂକୁଚିତ ହେବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଲିଖିତ ଦାବି ରଖିଛି ଉତ୍କଳ ଚ୍ୟାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ୟୁସିସିଆଇ। ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ୟୁସିସିଆଇ ଦାବି ରଖିଛି। ୟୁସିସିଆଇର ଏହି ଦାବି ସହିତ ସହମତି ପ୍ରକାଶ କରିଛନ୍ତି ଅର୍ଥନୀତିଜ୍ଞ। ଏ ସମସ୍ୟାର ସମାଧାନ ପାଇଁ ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ଅର୍ଥନୀତିଜ୍ଞ ମତ ରଖିଛନ୍ତି।

କୋଭିଡ଼ କାରଣରୁ ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଗଭୀର ଭାବେ ପ୍ରଭାବିତ ହୋଇଛି ଶିଳ୍ପ ପ୍ରତିଷ୍ଠାନ। ଏହା ମଧ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମଏସଏମଇ। ଉତ୍କଳ ଚ୍ୟାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇର ସୂଚନା ଅନୁସାରେ, ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପଞ୍ଜୀକୃତ ଶିଳ୍ପାନୁଷ୍ଠାନର ସଂଖ୍ୟା ୫ ଲକ୍ଷରୁ ଅଧିକ। ଅନ୍ୟ ବଡ଼ ଶିଳ୍ପ ପ୍ରତିଷ୍ଠାନ ତୁଳନାରେ ଏହି ଏମଏସଏମଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସମ୍ଭାବନା ଯଥେଷ୍ଟ ଅଧିକ। ପାଖାପାଖି ବର୍ଷକୁ ପ୍ରାୟ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ଏହି ଏମଏସଏମଇ କ୍ଷେତ୍ରରୁ ହିଁ ହୋଇଥାଏ।

ବିଡ଼ମ୍ବନା ଯେ କୋଭିଡ଼ ସମୟରେ ସରକାରୀ ଉଦାସିନତା କାରଣରୁ ରାଜ୍ୟରେ ଏମଏସଏମଇ ଶିଳ୍ପ ରୁଗଣ ପ୍ରାୟ। ଉଭୟ ଜାତୀୟକରଣ ବ୍ୟାଙ୍କ ଓ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କ୍ଷେତ୍ରରେ ଏମଏସଏମଇ କ୍ଷେତ୍ର ପାଇଁ ବନ୍ଧକ ସର୍ତ୍ତ ରଖୁଥିବା କାରଣରୁ ସଂଖ୍ୟାଧିକ ଶିଳ୍ପ ଏବେ ବନ୍ଦ ହେବାକୁ ବସିଲାଣି।

ତାମିଲନାଡ୍ଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ ରାଜସ୍ଥାନ ତୁଳନାରେ ଏମଏସଏମଇ କ୍ଷେତ୍ରରେ ଏବେ ଓଡ଼ିଶା ପଛୁଆ। କରୋନା ସ୍ଥିତି ଧୀରେ ଧୀରେ ସ୍ୱଭାବିକ ହେବା ପରେ ବ୍ୟାଙ୍କ ଋଣ ମିଳୁ ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନେକ ଶିଳ୍ପୋଦ୍ୟୋଗୀ। ତେଣୁ ତୁରନ୍ତ ଏହି କ୍ଷେତ୍ରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଚିଠି ଲେଖିଛି ୟୁସିସିଆଇ।

ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷଙ୍କ ଟାଳଟୁଳ ନୀତି ବାଧକ ସାଜୁଛି। ତେଣୁ ଏଥିରେ ସରକାରୀ ହସ୍ତକ୍ଷେପ ଲୋଡ଼ା।

ୟୁସିସିଆଇର ଏଭଳି ଯୁକ୍ତିକୁ ବାସ୍ତବ ଉପଲବ୍ଧି ବୋଲି କହିଛନ୍ତି ଅର୍ଥନୀତିଜ୍ଞ। ବରିଷ୍ଠ ଅର୍ଥନୀତିଜ୍ଞ ଚିତରଞ୍ଜନ ବେହେରାଙ୍କ ମତରେ, ‘‘ସରକାର ଏଦିଗରେ ଠୋସ୍ ନୀତି ଆପଣାଇବା ଉଚିତ୍। ଏହାଦ୍ୱାରା ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହେଲା ଏହି ଶିଳ୍ପୋଦ୍ୟୋଗୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା। ଅଗ୍ରାଧିକାର ଭିତିରେ ଏଥିପାଇଁ ୫ ହଜାର କୋଟିର ଏକ କର୍ପସ ଫଣ୍ଡ ବ୍ୟବସ୍ଥା କରାଯିବା ଦରକାର। ଏହାଦ୍ବାରା ରାଜ୍ୟରେ ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିବ।’’

ୟୁସିସିଆଇ କହିଛି ପୂର୍ବରୁ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ତାକୁ ଅଣଦେଖା କରାଯାଉଛି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଉଭୟ ସରକାର ଏହାକୁ ଗୁରୁତର ସହ ବିଚାର କରିବା ଉଚିତ୍ ବୋଲି ୟୁସିସିଆଇ ଦୋହରାଇଛି।
Published by:Lipina Das
First published: