News 18 Odia Digital
ଭୁବନେଶ୍ୱର; ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତାଙ୍କ ନିରନ୍ତର ତଦାରଖ ଏବଂ ପ୍ରାଥମିକତା ଅଧୀନରେ ରହିଛି । ମାନ୍ୟବର ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ନିରୀକ୍ଷଣ କରିଛନ୍ତି ଏବଂ ଭୁବନେଶ୍ୱରରୁ ତାଳଚେର ପର୍ଯ୍ୟନ୍ତ (ଅନଗୁଳ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି । ଶ୍ରୀ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ବିସ୍ତୃତ ଚଳପ୍ରଚଳ ସ୍ଥାନ, ଟିକେଟ ସଂରକ୍ଷଣ କେନ୍ଦ୍ର, ଷ୍ଟେସନ ଏବଂ ପ୍ଲାଟଫର୍ମରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ଗୁଡିକର ଯାଞ୍ଚ କରିଛନ୍ତି । ମହାପ୍ରବନ୍ଧକ ପ୍ରସ୍ତାବିତ ନୂତନ ଷ୍ଟେସନ୍ ବିଲ୍ଡିଂର ଡିଜାଇନ ଆଦି ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ ।
ଭୁବନେଶ୍ୱରରୁ ତାଳଚେରକୁ (ଭାୟା ଅନଗୁଳ) ଦେଇ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ସାଇଡିଙ୍ଗର ମଧ୍ୟ ନିରୀକ୍ଷଣ କରିଥିଲେ । ଯାଞ୍ଚ ସମୟରେ ସେ ବିଭିନ୍ନ ଜନ ସଂଗଠନ ଦ୍ୱାରା ଦିଆଯାଇଥିବା ସ୍ମାରକପତ୍ର ଗ୍ରହଣ କରିଥିଲେ ଏବଂ ଅଭିଯୋଗଗୁଡିକର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।
ଭୁବନେଶ୍ୱର ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଗୁଡିକ ଯେପରି ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ ।
ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧଙ୍କକ ସହିତ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।