News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଓ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଗାମୀ ୨ ଡିସେମ୍ବରରେ ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ l
ଗତକାଲି ପଦ୍ମପୁର ଉପନିର୍ବାଚନ ମଇଦାନରେ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାସକ ଦଳର ଗୁମର ଗୁଡିକୁ ଗୋଟି ଗୋଟି ଖୋଲିଦେଇଥିଲେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ଭାଷଣ ସମୟରେ ବିଜେଡିର ଏକ ପ୍ରଚାର ଗାଡି ଅତିକ୍ରମ କରିବାରୁ କିଛି ସମୟ ପାଇଁ ଧର୍ମେନ୍ଦ୍ର ନିଜ ବକ୍ତବ୍ୟକୁ ଅଟକାଇଦେଇଥିଲେ । କହିଲେ ଦୁଇ ଚାରିଦିନ ଏମାନେ ଏମିତି କମ୍ପେଇବେ । ବିଜେଡି ପ୍ରଚାର ଗାଡି ଅତିକ୍ରମ କରିବା ପରେ ପୁଣି କଥା ଆରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ପଦ୍ମପୁର ଉପନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛି ବିଜେପି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ଯ ପ୍ରଚାର କରିସାରିଛନ୍ତି। ପ୍ରଚାର ସମୟରେ ଏକ ନିର୍ବାଚନୀ ମଣ୍ଡଳୀ ସଭାରେ ଅଶ୍ୱିନ ବୈଷ୍ଣବ କହିଥିଲେ ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁର ଲୋକଙ୍କୁ ମିଛ କହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ସ୍ଥାନ ମିଳୁନଥିବାରୁ ବରଗଡ଼ ଓ ନୂଆପଡ଼ା ଭାୟା ପଦ୍ମପୁର ରେଳ ପ୍ରକଳ୍ପ କାମ ଆଗେଇ ପାରୁନି । ପୂର୍ବରୁ ଓଡ଼ିଶାକୁ ରେଳ ପ୍ରକଳ୍ପ ପାଇଁ ୮ ଶହ କୋଟି ଟଙ୍କା ଆସୁଥିଲା । ବିଜେପି ସରକାରରେ ଏହା ୧୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ।
ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପଦ୍ମପୁରବାସୀଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।