OTV ବିରୁଦ୍ଧରେ ସାଂସଦ ଅନୁଭବ ମହାନ୍ତି ଦାୟର କଲେ ଏକ ଆପରାଧିକ ମାନହାନି ମକଦ୍ଦମା

ଗଣମାଧ୍ୟମ ସଂସ୍ଥା ବା ସାମ୍ବାଦିକମାନଙ୍କ ଉପରେ ଆପରାଧିକ ମାନହାନି ମକଦ୍ଦମା ରୁଜୁ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି । ‘‘କେବଳ ମାନହାନି ମକଦ୍ଦମା ରୁଜୁ ହେଉ, ଆପରାଧିକ ମାନହାନି ମକଦ୍ଦମା କହିଁକି?’’ ପଚାରିଛନ୍ତି ରବି ଦାସ ।

OTV ବିରୁଦ୍ଧରେ ସାଂସଦ ଅନୁଭବ ମହାନ୍ତି ଦାୟର କଲେ ଏକ ଆପରାଧିକ ମାନହାନି ମକଦ୍ଦମା
ମିଡ଼ିଆ (ପ୍ରତୀକାତ୍ମକ ଛବି) ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: October 8, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟର ପ୍ରମୁଖ ଟେଲିଭିଜନ୍‌ ନ୍ୟଜ୍‌ ଚ୍ୟାନେଲ୍‌ ଓଟିଭିର କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ଆପରାଧିକ ମାନହାନି ମକଦ୍ଦମା ରୁଜୁ କରିଛନ୍ତି ବିଜେଡି ସାଂସଦ ତଥା ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି । ଏହି ମକଦ୍ଦମାରେ ଓଟିଭି, ଏହାର ପରିଚାଳନା ନିର୍ଦ୍ଦେଶିକା ଓ ବାର୍ତ୍ତା ସମ୍ପାଦକଙ୍କୁ ପକ୍ଷଭୃକ୍ତ କରାଯାଇଛି । ସିଆରପିସିର ଦଫା ୧୯୦ R/W ଧାରା ୨୦୦ ଅନୁଯାୟୀ ସେମାନଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଏଫଆଇଆର କରିବା ପାଇଁ ଅନୁଭବ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଦିଲ୍ଲୀ ଡିଷ୍ଟିକ୍ଟ କୋର୍ଟରେ ଦାୟର ହୋଇଥିବା ଏହି ମାମଲାରେ ଅନୁଭବ ଲେଖିଛନ୍ତି ଯେ ଓଟିଭିରେ ଜାଣିଶୁଣି ତାଙ୍କ ବିଷୟରେ ‘‘ମିଥ୍ୟା ଖବର’’ ପ୍ରସାରଣ କରାଯାଇ ତାଙ୍କ ଚରିତ୍ର ସଂହାର କରାଯାଇଛି । ଏହା ଦ୍ବାରା ତାଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ସହ ସମ୍ମାନ ହାନି ହୋଇଛି ଓ ସେ ମାନସିକ ଆଘାତ ପାଇଛନ୍ତି ବୋଲି ଅନୁଭବ କହିଛନ୍ତି । ‘‘ରାଜନୈତିକ ଫାଇଦା ହାସଲ କରିବା ପାଇଁ ଏପରି କରାଯାଇଛି,’’ କହିଛନ୍ତି ଅନୁଭବ । ଏହି ମାମଲା ଦାୟର କରିବା ସମ୍ପର୍କରେ ଅନୁଭବ ନିଜ ଟ୍ୱିଟର୍‌ ହ୍ୟାଣ୍ଡଲରେ ବି ଉଲ୍ଲେଖ କରିଛନ୍ତି ।

“ଅନୁଭବଙ୍କ ବିରୁଦ୍ଧରେ ଲଗାତାର ଭାବେ ମିଛ ଖବର ପ୍ରସାରଣ କରିବା ଯୋଗୁଁ ଓଟଭି ବିରୁଦ୍ଧରେ ଏହି ମାମଲାଟି ଦାୟର ହୋଇଛି । ପୂର୍ବରୁ ସେମାନଙ୍କୁ ନୋଟିସ ମଧ୍ୟ ଜାରି ହୋଇଥିଲା । ଏହି ମାମଲା ଦେଶର ଯେକୌଣସି ସ୍ଥାନରେ ଦାୟର ହୋଇ ପାରିବ । କିନ୍ତୁ ଯେହେତୁ ଅନୁଭବ ଜଣେ ସାଂସଦ ଏବଂ ଦିଲ୍ଲୀରେ ରହନ୍ତି, ତାଙ୍କ ବିରୁଦ୍ଧରେ ଓଟିଭିରେ ମିଥ୍ୟା ଖବରଗୁଡ଼ିକ ପ୍ରସାରିତ ହେବା ପରେ ଦିଲ୍ଲୀରେ ମଧ୍ୟ ଅନେକ ଲୋକ ତାଙ୍କୁ ଏହି ବାବଦରେ ପଚାରିଛନ୍ତି । ତେଣୁ ସେ ଦିଲ୍ଲୀ ଡିଷ୍ଟ୍ରିକ୍ଟ କୋର୍ଟରେ ଏହି ମକଦ୍ଦମା ରୁଜୁ କରିଛନ୍ତି” କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ବିନୀ ଦୁବେ ।

ଅନୁଭବ ମହାନ୍ତି ଓ OTV କର୍ତ୍ତୃପକ୍ଷ କରିଥିବା ଟ୍ୱିଟ୍


ଏହି ପ୍ରସଙ୍ଗରେ ନିଜର ସ୍ପଷ୍ଟୀକରଣ ଦେଇ ଓଟିଭି ପକ୍ଷରୁ ନିଜର ଟ୍ୱିଟର୍‌ ହାଣ୍ଡଲରେ କୁହାଯାଇଛି: “ଓଟିଭି ସବୁ ବେଳେ ସତ୍ୟ ଓ ତଥ୍ୟକୁ ଆଧାର କରି ଖବର ପ୍ରସାରଣ କରିଥାଏ । ନିର୍ଦ୍ଦିଷ୍ଟ ଭାବେ କେଉଁ ଖବର ବାବଦରେ ଅଭିଯୋଗ ରହିଛି ତାହା ଅନୁଭବ ଦର୍ଶାଇ ନାହାଁନ୍ତି” ।

ଓଟିଭି ଓ ଏହାର କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଆପରାଧିକ ମାନହାନି ମକଦ୍ଦମାର ଆଇନଗତ ବ୍ୟବସ୍ଥା ବାବଦରେ କହି ଓଡ଼ିଶା ହାଇ କୋର୍ଟର ଆଇନଜୀବୀ ସତ୍ୟବ୍ରତ ମହାନ୍ତି କହିଛନ୍ତି ଯେ ଏମିତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ଦୁଇ ବର୍ଷର ଜେଲ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି ।

ବରିଷ୍ଠ ସାମ୍ବାଦିକ ରବି ଦାସ


‘‘କିନ୍ତୁ ଅନୁଭବଙ୍କୁ କୋର୍ଟରେ ପ୍ରମାଣିତ କରିବାକୁ ହେବ ଯେ ଓଟିଭିର ଖବର ପ୍ରସାରଣ ଫଳରେ ତାଙ୍କ ସମ୍ମାନ ହାନି ହୋଇଛି ଏବଂ ସେହି ଖବରଗୁଡ଼ିକ ମିଛ ବା ତଥ୍ୟ-ଆଧାରିତ ନୁହେଁ । ଏହା ପରେ କୋର୍ଟ ଓଟିଭି କତ୍ତୃପକ୍ଷଙ୍କୁ ନୋଟିସ କରି ସେମାନଙ୍କ ପକ୍ଷ ମଧ୍ୟ ଶୁଣିବେ । ଯଦି ଅନୁଭବ ଏହି କଥାକୁ ପ୍ରମାଣ କରି ନ ପାରନ୍ତି ତେବେ ଏହି ମାମଲାଟି ଖାରଜ ହୋଇଯିବ ଏବଂ ଓଟିଭି ମଧ୍ୟ ତାଙ୍କ ବିରୁଦ୍ଧରେ ପାଲଟା ମାମଲା ଦାୟର କରିପାରିବ,” କହିଛନ୍ତି ସତ୍ୟବ୍ରତ ମହାନ୍ତି ।

ଏହା ବି ପଢ଼ନ୍ତୁ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଗଣମାଧ୍ୟମ ସଂସ୍ଥା ବା ସାମ୍ବାଦିକମାନଙ୍କ ଉପରେ ଆପରାଧିକ ମାନହାନି ମକଦ୍ଦମା ରୁଜୁ କରାଯିବା ଏକ ଯୁକ୍ତିଯୁକ୍ତ କଥା ନୁହେଁ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ଦେଇଛନ୍ତି । ‘‘ଏହା ସପକ୍ଷରେ ମୁଁ ଆରମ୍ଭରୁ ନାହିଁ । ଏହା ହେବା ମଧ୍ୟ ଉଚିତ ନୁହେଁ । କେବଳ ମାନହାନୀ ମକଦ୍ଦମା ରୁଜୁ କରାଯାଉ, ଆପରାଧିକ ମାନହାନି ମକଦ୍ଦମା କହିଁକି? କୌଣସି ଖବରକୁ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ଜାଣିବା ଦରକାର ହୋଇଥାଏ । ସେଥି ପାଇଁ ପ୍ରକାଶକ ଓ ପ୍ରସାରକଙ୍କ ପାଖରେ ପ୍ରମାଣ ମଧ୍ୟ ଥାଏ । ତଥ୍ୟ ପ୍ରମାଣ ନ ରଖି କେହି କୌଣସି ଖବର ପ୍ରକାଶ କରିବା ମଧ୍ୟ ଉଚିତ ନୁହେଁ,” କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।



ଗତ ଦୁଇ ମାସ ମଧ୍ୟରେ ଓଟିଭି ନ୍ୟୁଜ ଚାନେଲ୍ ବିରୁଦ୍ଧରେ ଏହାକୁ ମିଶାଇ ମୋ’ଟ ଚାରିଟି ମାମଲା ରୁଜୁ ହୋଇ ସାରିଛି । ପ୍ରଥମ ମାମଲାଟି କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିବା ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହିତ କଥାବାର୍ତ୍ତାର ଅଡ଼ିଓକୁ ପ୍ରସାରିତ କରିବା ପରେ ସମ୍ପୃକ୍ତ ହସ୍ପିଟାଲ କତ୍ତପକ୍ଷଙ୍କ ପକ୍ଷରୁ ଦାୟର ହୋଇଥିଲା । ଏହା ପରେ ଭୁବନେଶ୍ବରରେ ଘଟିଥିବା କଥିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର କର୍ମଚାରୀ ସମ୍ପୃକ୍ତ ଥିବା ନେଇ ଦ୍ବିତୀୟ ମାମଲାଟି ଦାୟର ହୋଇଥିଲା । ସାରୁଅ ଜମି ଜାଲିଆତି ଅଭିଯୋଗ ନେଇ ତୃତୀୟ ମାମଲାଟି ରୁଜୁ ହୋଇଛି ।
Published by: Anand Shankar Thankur Das
First published: October 8, 2020, 11:59 PM IST
corona virus btn
corona virus btn
Loading