ପୁଅର ହତ୍ୟାକାରୀକୁ ଗିରଫ କରିବା ପାଇଁ ରାସ୍ତାକୁ ଓହ୍ଳାଇଛି ମା'; ନ୍ୟାୟ ଦାବିରେ ପରିବାର

ମେ ମାସ ୩ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ଗଣେଶ ଡାକୁଆକୁ ଗଣ୍ଡଗୋଳ ଘଟଣାରେ ପୋଲିସ ପଚରାଉଚରା ସମୟରେ ସେ ଆତ୍ମହତ୍ୟା କରି ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଥିବା ବେଳେ ପୋଲିସ ଗଣେଶଙ୍କୁ ମାଡ଼ ମାରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ପୁଅର ହତ୍ୟାକାରୀକୁ ଗିରଫ କରିବା ପାଇଁ ରାସ୍ତାକୁ ଓହ୍ଳାଇଛି ମା'

ପୁଅର ହତ୍ୟାକାରୀକୁ ଗିରଫ କରିବା ପାଇଁ ରାସ୍ତାକୁ ଓହ୍ଳାଇଛି ମା'

  • Share this:
News18 Odia Digital

ବ୍ରହ୍ମପୁର: ହାଜତ ମୃତ୍ୟୁକୁ ବିତିଗଲାଣି ସାତ ମାସ ତଥାପି ମିଳିପାରିଲା ନାହିଁ ପରିବାରକୁ ନ୍ୟାୟ । ଯାହାଫଳରେ ମାଁ ନିଜ ପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଏବେ ରାଜରାସ୍ତାକୁ ଓହ୍ଳାଇଛି। ବହୁ ଚର୍ଚ୍ଚିତ ବ୍ରହ୍ମପୁର ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପାଞ୍ଚ ଜଣଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ରହିଥିବା ବେଳେ ଆଉ ଦୁଇ ଜଣ ହେଉଛନ୍ତି ବିଜେଡ଼ି ନେତା ।

ଗତ ମେ ମାସ ୩ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ଗଣେଶ ଡାକୁଆକୁ ଗଣ୍ଡଗୋଳ ଘଟଣାରେ ପୋଲିସ ପଚରାଉଚରା ସମୟରେ ସେ ଆତ୍ମହତ୍ୟା କରି ତାଙ୍କର ମୃତ୍ୟୁ ହୋଇଥିବା ନେଇ କହିଥିବା ବେଳେ ପୋଲିସ ଗଣେଶଙ୍କୁ ମାଡ଼ ମାରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ଘଟଣାର ନ୍ୟାୟିକ ତଦନ୍ତ ପରେ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଶୀଘ୍ର ତାଙ୍କୁ ଗିରଫ କରିବା ନିମନ୍ତେ ଦାବି କରିଛନ୍ତି ପରିବାର ଲୋକେ। ସେପଟେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।

ପୁଅ ପାଇଁ ନ୍ୟାୟ ମାଗୁଛି ମା'


ପୁଅର ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ମା'। ପୁଅକୁ ପୋଲିସ ଥାନା ଭିତରେ ମାଡ଼ ମାରି ହତ୍ୟା କରିଥିବା ନେଇ ମା' ଅଭିଯୋଗ କରିଛି। ବାରମ୍ବାର ଦାବି ପରେ ପୁଅକୁ ହତ୍ୟା ଘଟଣାରେ ତିନି ପୋଲିସ ଅଧିକାରୀଙ୍କ ସମେତ ଦୁଇ ବିଜେଡ଼ି ନେତାଙ୍କ ନାମରେ ମାମଲା ରୁଜୁ ହୋଇଛି କିନ୍ତୁ ତାଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ କରିଛନ୍ତି ମା'। ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ବ୍ରହ୍ମପୁର ଗୋଳନ୍ଥରା ଥାନାରୁ।

ଗତ ମେ ମାସ ୩ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ଗଣେଶକୁ ଗଣ୍ଡଗୋଳ ଘଟଣାରେ ପୋଲିସ କାବୁ କରିଥିଲା। ଗଣେଶଙ୍କୁ ଗୋଳନ୍ଥରା ଥାନାକୁ ଆଣି ପୋଲିସ ପଚରାଉଚରା କରିଥିଲା। ଏହି ସମୟରେ ହଠାତ୍ ଗଣେଶ ରିସିପଶନରେ ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ଗଣେଶଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନାହାଁନ୍ତି ପରିବାର ଲୋକେ। ପୋଲିସ ହିଁ ଗଣେଶଙ୍କୁ ମାଡ଼ ମାରି ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ଗଣେଶଙ୍କ ମା' ଶୋଭା ଡ଼ାକୁଆ ।

ଗଣେଶଙ୍କ ଭାଇ କାର୍ତ୍ତିକ ଡ଼ାକୁଆ କହିଛନ୍ତି, ‘‘ ମୋ ଭାଇ ଗଣେଶ କୌଣସି ଭୁଲ କରିନଥିବା ବେଳେ ପୋଲିସ ତାଙ୍କୁ କିଛି ରାଜନୈତିକ ଚାପରେ ନେଇ ଥାନାରେ ଅଟକ ରଖି ତାଙ୍କୁ ଏଭଳି ହତ୍ୟା କରିଛି। ତେଣୁ ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଗୋଳନ୍ଥରା ଥାନାର ପୂର୍ବତନ ଥାନା ଅଧିକାରୀ ବାବୁଲି ନାୟକ, ଥାନାର ଏଏସଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, ପୋଲିସ କନେଷ୍ଟବଳ ଦିପ୍ତି ପ୍ରକାଶ ଜେନା, ରଙ୍ଗେଇଲୁଣ୍ଡା ବ୍ଳକ ଉପାଧ୍ୟକ୍ଷ ଅଜିତ କୁମାର ଦାସ ଓ ଅମିତ କୁମାର ଦାସଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ।’’

ଗଣେଶଙ୍କ ହାଜତ ହତ୍ୟା ଘଟଣାକୁ ଇତି ମଧ୍ୟରେ ସାତ ମାସ ବିତିଯାଇଛି। ତଥାପି ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଯୋଗୁଁ ଏବେ ବିଭିନ୍ନ ସଙ୍ଗଠନ ଓ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଗଣେଶଙ୍କ ପରିବାର ଓ ତାଙ୍କ ଗ୍ରାମବାସୀଙ୍କୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଗଣେଶଙ୍କ ମା' ଓ ତାଙ୍କ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ସେହିପରି ଗୋଳନ୍ଥରା ବିଜେପି ପକ୍ଷରୁ ଗୋଳନ୍ଥରା ଥାନା ଘେରାଉ କରାଯାଇଛି। ଖୁବ୍ ଶୀଘ୍ର ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରିଛନ୍ତି ଗୋଳନ୍ଥରା ବିଜେପି ମଣ୍ଡଳ ସଭାପତି ସନତ ନାହକ।

ଏହି ମାମଲାରେ ବ୍ରହ୍ମପୁର ଏସପି ପୀନାକ ମିଶ୍ର କହିଛନ୍ତି, ‘‘ଏହି ହତ୍ୟା ଘଟଣାର ତଦନ୍ତ ଚାଲୁ ରହିଥିବା ବେଳେ ଜାତୀୟ ମାନବ ଅଧିକାର କମିଶନର ନିୟମାବଳୀକୁ ଅନୁକରଣ କରାଯାଇଥିଲା । ଜିଲ୍ଲା କୋର୍ଟକୁ ଜଣାଇବା ସହ ଏକ ନ୍ୟାୟିକ ତଦନ୍ତ ନିମନ୍ତେ ପୋଲିସ ପକ୍ଷରୁ ଲେଖି ଦିଆଯାଇଥିଲା । ଏସଡ଼ିଜେଏମ ନ୍ୟାୟିକ ତଦନ୍ତ କରି ଏହାର ଏକ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟକୁ ନେଇ ଜାତୀୟ ମାନବ ଅଧିକାର କମିଶନ ଓ ଓଡ଼ିଶା ମାନବ ଅଧିକାର କମିଶନଙ୍କୁ ମଧ୍ୟ ବ୍ରହ୍ମପୁର ପୋଲସ ପକ୍ଷରୁ ଅବଗତ କରାଯାଇଥିଲା । ଘଟଣାରେ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।’’

ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କିଭଳି ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ସେ ନେଇ ବ୍ରହ୍ମପୁର ପୋଲିସ ପଦକ୍ଷେପ ନେବା ଏବେ ଜରୁରୀ।
Published by:Lipina Das
First published: