କପିଳାସ ହାତୀ ଉଦ୍ଧାର କେନ୍ଦ୍ରର କାଠ ଖୁଆଡ ଭିତରେ ଛୁଆକୁ ଖୋଜୁଛି ମା' ହାତୀ

ଜଗତପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବଣୁଆ ହାତୀପଲଙ୍କ ମଧ୍ୟରୁ ନରହନ୍ତା ମାଈ ହାତୀକୁ କାବୁ କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି।

କପିଳାସ ହାତୀ ଉଦ୍ଧାର କେନ୍ଦ୍ରର କାଠ ଖୁଆଡ ଭିତରେ ଛୁଆକୁ ଖୋଜୁଛି ମା' ହାତୀ

କପିଳାସ ହାତୀ ଉଦ୍ଧାର କେନ୍ଦ୍ରର କାଠ ଖୁଆଡ ଭିତରେ ଛୁଆକୁ ଖୋଜୁଛି ମା' ହାତୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଢେଙ୍କାନାଳ: କପିଳାସ ହାତୀ ଉଦ୍ଧାର କେନ୍ଦ୍ରର କାଠ ଖୁଆଡ ଭିତରେ ଛୁଆକୁ ଖୋଜୁଛି ମା ହାତୀ। ଛୁଆ କଥା ମନେ ପଡ଼ିଗଲେ ମାଈ ହାତୀଟି ହିଂସ୍ର ହୋଇ ଉଠୁଛି ଓ ଜୋର ଗର୍ଜନ କରୁଛି। ଜଗତପୁର ଅଞ୍ଚଳରୁ ନଦୀ ପାର ହୋଇ କେଉଁଆଡ଼େ ପଳାୟନ କରିଥିବା ଛୁଆ ହାତୀଟି ତା'ର ବୋଲି ଅନୁମାନ କରାଯାଉଛି।

ଜଗତପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବଣୁଆ ହାତୀପଲଙ୍କ ମଧ୍ୟରୁ ନରହନ୍ତା ମାଈ ହାତୀକୁ କାବୁ କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ଏଠାରେ ହାତୀଟିକୁ କାଠ ଖୁଆଡ ଭିତରେ ରଖାଯାଇ ଚାରିପାଖରେ ଜାଲି ଲଗାଯାଇଛି। ୨୦ ବର୍ଷୀୟ ଗଜା ମାଈ ହାତୀ ହୋଇଥିବାରୁ କାଠ ଖୁଆଡ ଭିତରେ ଉଗ୍ର ରୂପ ଧାରଣ କରୁଛି। ଖୁଆଡ ଭିତରୁ କାଠ ଭିଡ଼ିବାକୁ ଚେଷ୍ଟା କରିବା ସହିତ ଜୋର ଗର୍ଜନ ମଧ୍ୟ କରୁଛି ବୋଲି ବନବିଭାଗ ପକ୍ଷରୁ କୁହା ଯାଇଛି।

ମାଈ ହାତୀଟି ଡିହାଇଡ୍ରେସନର ଶିକାର ହେବା ସହ ଶରୀରର କିଛି ସ୍ଥାନରେ ସାମାନ୍ୟ କ୍ଷତ ସୃଷ୍ଟି ମଧ୍ୟ ସୃଷ୍ଟି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ତାକୁ ବିଶ୍ରାମର ଆବଶ୍ୟକ ରହିଛି। ଏପଟେ ନନ୍ଦନକାନନ ଓ ସାତକୋଶିଆର ଡାକ୍ତରୀ ଟିମ ଦ୍ୱାରା ତାକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯିବା ସହ ସମୟ ବ୍ୟବଧାନରେ କମ ପରିମାଣର ନିଶ୍ଚେତକ ମଧ୍ୟ ଦିଆଯାଉଛି। ତେଣୁ ହାତୀଟି ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଅନୁମାନ କରାଯାଉଛି।

ଉଦ୍ଧାର ହାତୀଟି ବଣୁଆ ହୋଇଥିବାରୁ ତାକୁ କଦଳୀ ସେଓ କିମ୍ବା କୌଣସି କିଣା ଖାଦ୍ୟ ବଦଳରେ ଜଙ୍ଗଲରୁ ବରଗଛର ଡାଳ ପତ୍ର ଖାଇବାକୁ ଦିଆଯାଉଛି। ଯେହେତୁ ହାତୀଟି ପ୍ରାପ୍ତ ବୟସର ଓ ଜଙ୍ଗଲ ମଧ୍ୟରେ ଖାଦ୍ୟ ସଂଗ୍ରହ କରିବାର ନିଜସ୍ୱ ଦକ୍ଷତା ରହିଛି। ତେଣୁ କରି ଯଦି ସେ ଶାନ୍ତ ହେବାପରେ ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ଛାଡ଼ି ଦିଆଯାଏ ସେ ପୁଣି ଜଙ୍ଗଲ ଜାତୀୟ ଖାଦ୍ୟ ଖାଇ ପାରିବ ତାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଜଗତପୁର ଅଞ୍ଚଳରୁ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିବା ହାତୀ ଛୁଆଟିକୁ ଯଦି ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ମା ହାତୀ ପାଖରେ ଶିଘ୍ର ଛାଡ଼ି ଦିଆଯାଏ ତେବେ ତା'ର ହିଂସ୍ରତା କମି ଯାଇପାରେ ବୋଲି ଆଶା କରାଯାଉଛି। ତେଣୁ ହାତୀର ଉତ୍ତମ ଚିକିତ୍ସା କରିବା ସହିତ ମା ଓ ଛୁଆ ହାତୀକୁ ଏକାଠି କରିବା ପାଇଁ ବନବିଭାଗକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ରଥ।

"କାଠ ଖୁଆଡ ଭିତରେ ହାତୀକୁ ଚଳପ୍ରଚଳ ପାଇଁ ସମ୍ପୁର୍ଣ୍ଣ ଖୋଲା ଛାଡି ଦିଆଯାଇଛି।ଏବଂ ତା'ର ଚିକିତ୍ସା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି।ଗଜା ମାଇ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯିବ ନା ଅନ୍ୟତ୍ର ଛଡାଯିବ ସେନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଡିନେନୀ।"
Published by:Lipina Das
First published: