ଜାନୁଆରୀ ୧ ରୁ ବନ୍ଦ ହେବ କଟକର ଅଧିକାଂଶ କଲ୍ୟାଣ ମଣ୍ଡପ; ନିୟମ ଉଲଙ୍ଘନ ଯୋଗୁଁ ହାଇ କୋର୍ଟ ଖଫା

ଏକ ଜନସ୍ବାର୍ଥ ମାମଲାର ବିଚ଼ାର କରି ହାଇ କୋର୍ଟ ନିୟମ ମାନୁ ନ ଥିବା ମଣ୍ଡପଗୁଡି଼କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଗତ ୨୩ ତାରିଖରୁ ବୁକିଂ ବନ୍ଦ କରିବା ସହ କେଉଁ କେଉଁ ତାରିଖରେ ବୁକିଂ ରହିଛି ସେ ନେଇ ଡିସିପିଙ୍କୁ ଅବଗତ କରେଇବା ପାଇଁ କହିଛନ୍ତି କୋର୍ଟ । ଫେବ୍ରୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି ।

ପ୍ରତୀକାତ୍ମକ ଛବି

ପ୍ରତୀକାତ୍ମକ ଛବି

  • Share this:
କଟକ: କଟକ ସହରରେ ବିନା ଲାଇସେନ୍ସରେ ଚ଼ାଲୁଥିବା ଏବଂ ନିୟମାବଳୀସବୁକୁ ମାନୁ ନଥିବା କଲ୍ୟାଣ ମଣ୍ଡପଗୁଡିକ ଜାନୁଆରୀ ୧ ତାରିଖରୁ ବନ୍ଦ କରିବା ପାଇଁ ଓଡ଼ିଶା ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସହରରେ ପ୍ରାୟ ୭୪ଟି କଲ୍ୟାଣ ମଣ୍ଡପ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସିଡିଏର ଏନ୍‌ଓସି ନାହିଁ । କଟକ ମ୍ୟୁନିସିପାଲ୍‌ କର୍‌ପୋରେସନ୍‌ (ସିଏମସି) ମାଲିକାନାରେ ଥିବା କଲ୍ୟାଣ ମଣ୍ଡପମାନେ ମଧ୍ୟ ନିୟମ ଖିଲାପ କରୁଥିବା କଲ୍ୟାଣ ମଣ୍ଡପଙ୍କ ତାଲିକାରେ ଅଛନ୍ତି ।

କଟକ ସହରରେ ଛୋଟ ବଡ଼ କରି ପ୍ରାୟ ଶହେଟି ମଣ୍ଡପ ରହିଛି । କିନ୍ତୁ ଅଧିକାଂଶ ମଣ୍ଡପ ଏଥି ପାଇଁ ଆବଶ୍ୟକ ଥିବା ନିୟମାବଳୀସବୁର ପାଳନ କରୁନାହାଁନ୍ତି । ଏ ନେଇ ହାଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହେବା ପରେ ଜାନୁଆରୀ ୧ ତାରିଖରୁ ସେହି ମଣ୍ଡପଗୁଡି଼କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି ଗତ ୨୩ ତାରିଖରୁ ବୁକିଂ ବନ୍ଦ କରିବା ସହ କେଉଁ କେଉଁ ତାରିଖରେ ବୁକିଂ ରହିଛି ସେନେଇ ଡିସେମ୍ବର ୨୬ ତାରିଖ ସୁଧା ଡିସିପିଙ୍କୁ ଅବଗତ କରେଇବା ପାଇଁ ମଧ୍ୟ କୋର୍ଟ କହିଛନ୍ତି ।

‘‘ମଣ୍ଡପ ଚ଼ାଲିବା ନେଇ ପାର୍କିଂ ସ୍ଥାନ, ବର୍ଜ୍ୟ ବସ୍ତୁ ପରିଚ଼ାଳନା, ଅଗ୍ନି ନିରାପତ୍ତା, ସିସିଟିଭି ଓ ସିଡିଏର ଏନଓସି ଭଳି ଅନେକ ନିୟମାବଳୀ ରହିଛି । କିନ୍ତୁ ମଣ୍ଡପ ମାଲିକମାନେ ଏହାର ଖୋଲାଖୋଲି ଉଲଙ୍ଘନ କରିଚ଼ାଲିଛନ୍ତି । ଫଳସ୍ବରୂପ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି,’’ କହିଛନ୍ତି ଆମିକସ୍ କ୍ୟୁରି ଅରୁଣ କୁମାର ବୁଦ୍ଧିଆ ।

ସହରରେ ପାଖାପାଖି ଶହେଟି ମଣ୍ଡପ ଥିବା ବେଳେ କଲ୍ୟାଣ ମଣ୍ଡପ ମାଲିକ ସଙ୍ଘରେ ୭୦ ଜଣ ପଞ୍ଜୀକୃତ ହୋଇଛନ୍ତି । କିନ୍ତୁ ଅଧିକାଂଶ ମଣ୍ଡପ ନିମୟମାବଳୀ ମାନୁନାହାଁନ୍ତି । ଆଶ୍ବର୍ଯ୍ୟର କଥା ଯେ ସିଏମସିର ମାଲିକାନାରେ ଥିବା ସହରର ଏକ ମାତ୍ର ମଣ୍ଡପରେ ମଧ୍ୟ ସିସିଟିଭି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏହାର ଲାଇସେନ୍ସ ମଧ୍ୟ ନବୀକରଣ ହୋଇ ନାହିଁ ।

‘‘ଆମେ ସମସ୍ତ ନିୟମାବଳୀକୁ ମାନୁଛୁ କିନ୍ତୁ ସିଡିଏର ଏନ୍‌ଓସି ପାଇବା ପାଇଁ ଥିବା ମାନଦଣ୍ଡକୁ ପୂରଣ କରିବା ଆମ ପକ୍ଷେ ସମ୍ଭବ ନୁହେଁ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋର ବୁକିଂ ରହିଛି ଏବଂ ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଁ ବୁକିଂ ବନ୍ଦ କରି ଦେଇଛି,” କହିଛନ୍ତି ମଧୁପାଟଣାରେ ଥିବା ଗୋବିନ୍ଦ କଲ୍ୟାଣ ମଣ୍ଡପର ମାଲିକ ଅମିତ ରାଉତ।

ଡିସେମ୍ବର ୨୬ ତାରିଖ ସୁଦ୍ଧା ବୁକିଂ ନେଇ ଡିସିପିଙ୍କୁ ଅବଗତ କରିବା ନେଇ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା କେହି ବି ବୁକିଂ ବାବଦ ତଥ୍ୟ ପ୍ରଦାନ କରି ନ ଥିବା ଡିସିପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି ।

“ବେଆଇନ ମଣ୍ଡପଗୁଡିକୁ ବନ୍ଦ କରିବା ନେଇ ସିଏମସି ପକ୍ଷରୁ ପୋଲିସର ସହଯୋଗ ଲୋଡ଼ାଗଲେ ସେ ନେଇ ବ୍ୟବସ୍ଥା କରାଯିବ,” କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକ ସହରରେ ଥିବା ମଣ୍ଡପ ଗୁଡିକରେ ଗୋଟିଏ ବାହାଘର ସିଜନ୍‌ରେ ପାଖାପାଖି ୪୦ଟି ବୁକିଂ ହୋଇଥାଏ । କଲ୍ୟାଣମଣ୍ଡପ ମାଲିକ ସଙ୍ଘ ଅଧୀନରେ ଥିବା ମଣ୍ଡପଗୁଡି଼କ ୭୦ଟି ମଣ୍ଡପରେ ଗୋଟିଏ ସିଜନ୍‌ରେ ପ୍ରାୟ ୨,୮୦୦ଟି ବାହାଘର ହୋଇଥାଏ । କିନ୍ତୁ କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଫଳରେ ସେହି ସବୁ ମଣ୍ଡପରେ ତାଲା ଝୁଲିବା ସ୍ଥିତି ସୃଷ୍ଟି ହୋଇଛି ।

‘ଆସନ୍ତା ଫେବ୍ରୁଆରୀ ମାସରେ ମୁଁ ପୁଅ ବାହଘର ପାଇଁ ମଣ୍ଡପ ଖୋଜୁଛି, କିନ୍ତୁ କୌଣସି ମଣ୍ଡପରେ ବୁକିଂ ରଖୁନାହାଁନ୍ତି । କେମିତି ଓ କେଉଁଠି ବାହାଘର କରିବି ଜାଣି ପାରୁନାହିଁ,” କହିଛନ୍ତି କଟକ ବାସିନ୍ଦା ରାଜୁ ମହାନ୍ତି ।
Published by:Anand Shankar Thankur Das
First published: