ତେଲ ପରେ ବଜାର ଦର ହ୍ରାସ ପ୍ରସଙ୍ଗ; ଉପଭୋକ୍ତାଙ୍କ ମତ ସହିତ ସହମତି ପ୍ରକାଶ କଲେ ବ୍ୟବସାୟୀ

ହଠାତ୍ ତେଲ ଦର କମିବା ନିଷ୍ପତ୍ତି ନୂଆ ବିତର୍କ ସୃଷ୍ଟି କରିଛି। ଅନେକ ଉପଭୋକ୍ତାଙ୍କ ମତ ଯେ, ପେଟ୍ରୋଲ ଓ ଡିଜେଲ ଦର କମିଥିଲେ ମଧ୍ୟ ସେହି ଆଧାରରେ ବଜାର ରେଟ୍ ମଧ୍ୟ କମିବା ଉଚିତ୍। କାରଣ ତେଲ ଦର ବୃଦ୍ଧି ପାଇଲେ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥାଏ।

ତେଲ ପରେ ବଜାର ଦର ହ୍ରାସ ପ୍ରସଙ୍ଗ

ତେଲ ପରେ ବଜାର ଦର ହ୍ରାସ ପ୍ରସଙ୍ଗ

  • Share this:
News18 Odia Digital

ଭୁବନେଶ୍ବର: ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ଏବେ ଗ୍ରାହକଙ୍କ ମୁହଁରେ ହସ। କାରଣ ଲମ୍ବା ସମୟ ବ୍ୟବଧାନରେ କମିଛି ଏହି ତେଲ ଦର। ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୭ ଟଙ୍କା ଥିବାବେଳେ ଅଧିକାଂଶ ଉପଭୋକ୍ତାଙ୍କ ମତ ହେଲା ଏବେ ବଜାର ଦର କମିବା ଉଚିତ୍। କାରଣ ତେଲ ରେଟ ବଢ଼ିଲା ବେଳେ ବିଭିନ୍ନ ସାମଗ୍ରୀର ଦାମ ବଢ଼ିଥାଏ, ଯାହା ଗ୍ରାହକଙ୍କୁ ବାଧିଥାଏ।

ବାରମ୍ବାର ଦର ବୃଦ୍ଧି କାରଣରୁ ଦୀର୍ଘ ସମୟ ଧରି ପେଟ୍ରୋଲ ଓ ଡିଜେଲ ଉପଭୋକ୍ତାଙ୍କ ଭିତରେ ମଧ୍ୟ ଅସନ୍ତୋଷ ଦାନା ବାନ୍ଧୁଥିଲା। ବିଶେଷ କରି ଋଷ ଓ ୟୁକ୍ରେନ ଯୁଦ୍ଧରେ ଆଗକୁ ସ୍ଥିତି ଗମ୍ଭୀର ହେବ ଓ ପେଟ୍ରୋଲ ଡ଼ିଜେଲ ଦର ଲିଟର ପିଛା ୧୫୦ ଟଙ୍କା ଛୁଇଁବ ବୋଲି ଆକଳନ ମଧ୍ୟ କରାଯାଉଥିଲା। ଏଥିସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ଭାଟ କମ୍ କରିବା ପାଇଁ ମତ ମଧ୍ୟ ପ୍ରକାଶ କରୁଥିଲେ। ଏଭଳି ସମୟରେ ହଠାତ୍ ତେଲ ଦର କମିବା ନିଷ୍ପତ୍ତି ନୂଆ ବିତର୍କ ସୃଷ୍ଟି କରିଛି।

ଅନେକ ଉପଭୋକ୍ତାଙ୍କ ମତ ଯେ, ପେଟ୍ରୋଲ ଓ ଡିଜେଲ ଦର କମିଥିଲେ ମଧ୍ୟ ସେହି ଆଧାରରେ ବଜାର ରେଟ୍ ମଧ୍ୟ କମିବା ଉଚିତ୍। କାରଣ ତେଲ ଦର ବୃଦ୍ଧି ପାଇଲେ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥାଏ। ଏହାକୁ ନେଇ ବିରୋଧ ଓ ତର୍କବିତର୍କ ହେଉଥିଲେ ମଧ୍ୟ ବଜାର ରେଟ୍‌ରେ କୌଣସି ପରିବର୍ତ୍ତନ ହୁଏନାହିଁ। ତେଣୁ ଏଥର ତେଲ ରେଟ୍ କମିଥିବାରୁ ସମାନୁପାତିକ ଭିତିରେ ବିଭିନ୍ନ ସାମଗ୍ରୀର ମୂଲ୍ୟ କମିବା ଉଚିତ୍ ବୋଲି ଅନେକ ଉପଭୋକ୍ତା ମତ ରଖିଛନ୍ତି।

ସାମାଜିକ କର୍ମୀ ଅଶୋକ କୁମାର ପାଲଟାସିଂଙ୍କ ମତରେ, ନିହାତି ଭାବେ ତେଲ ଦରର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଖରେ ରହିବା ଉଚିତ। ଅତଏବ ଲୋକଙ୍କ ଆର୍ଥିକସ୍ଥିତିକୁ ଵିଚାରକୁ ନେଇ ଏଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଧାର୍ଯ୍ୟ ହେବା ଦରକାର।

ଉପଭୋକ୍ତାଙ୍କ ଆଶଙ୍କା ସହିତ ସହମତି ପ୍ରକାଶ କରିଛନ୍ତି ଖୁଚୁରା ବ୍ୟବସାୟୀ ଓ ରାଜ୍ୟ ବ୍ୟବସାୟୀ ମହାସଙ୍ଘ। ଭୁବନେଶ୍ୱର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ଗଡେଶ୍ବର ହାଟ ବଣିକ ସଙ୍ଘ ସଭାପତି ଲକ୍ଷ୍ମଣ ସାହୁଙ୍କ ମତରେ, ତେଲ ଦର ବୃଦ୍ଧି ବଜାର ସାମଗ୍ରୀକୁ ବିଭିନ୍ନ ସମୟରେ ପ୍ରଭାବିତ କରିଥାଏ। ଏହା ସ୍ୱଭାବିକ ପ୍ରକ୍ରିୟା। କିନ୍ତୁ ଅନେକ ସମୟରେ ତେଲ ଦର କମିବା ସମୟରେ କିଛି ଖୁଚୁରା ବ୍ୟବସାୟୀମାନେ ଦର ହ୍ରାସ କରିନଥାନ୍ତି ବୋଲି ଅଭିଯୋଗ ହୋଇଥାଏ। ଏହାକୁ ସରକାରୀସ୍ତରରେ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ସେଥିପ୍ରତି ସରକାରୀ ବିଭାଗ ସଜାଗ ରହିବା ଆବଶ୍ୟକ। ଖାଲି ଅନ୍ୟକୁ ଦୋଷ ନ ଦେଇ ଖୁଚୁରା ବ୍ୟବସାୟୀଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଘ ମହା ସଚିବ ସୁଧାକର ପଣ୍ଡା।

ମୋଟ ଉପରେ ତେଲ ଦର ହ୍ରାସ ପ୍ରସଙ୍ଗକୁ ନେଇ ଅନେକ କେନ୍ଦ୍ରକୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କେତେକ ଉପଭୋକ୍ତାଙ୍କ ମତରେ ଉଭୟ ପେଟ୍ରୋଲ ଡ଼ିଜେଲ ଦର ଶହେ ଟଙ୍କା ଭିତରେ ସୀମିତ ରଖିବାକୁ ଉଦ୍ୟମ ହେବା ଦରକାର। ଏଥିପାଇଁ ରାଜନୈତିକ ବୟାନବାଜି ନୁହେଁ ବରଂ ଠୋସ ଉଦ୍ୟମ ଦରକାର।
Published by:Lipina Das
First published: