• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଆରମ୍ଭ ହେଲା ସକାଳୁଆ ସ୍କୁଲ; ୨ଟି ସିଫ୍ଟରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ; ଖରାକୁ ଦେଖି ହେଲା ମର୍ଣ୍ଣିଂ କ୍ଲାସ୍

ଆରମ୍ଭ ହେଲା ସକାଳୁଆ ସ୍କୁଲ; ୨ଟି ସିଫ୍ଟରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ; ଖରାକୁ ଦେଖି ହେଲା ମର୍ଣ୍ଣିଂ କ୍ଲାସ୍

ଅସମ୍ଭାଳ ହେଲାଣି ଖରା ଗରମ। ତା ସାଙ୍ଗକୁ ଅଣାୟତ କରୁଚି ଝାଞ୍ଜି ପବନ ଓ ଗୁଳୁଗୁଳି। ଯାହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟ ପରିବର୍ତ୍ତନ ହୋଇଛି। ଆରମ୍ଭ ହୋଇଛି ମର୍ନିଂ କ୍ଳାସ। ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀଙ୍କ କ୍ଳାସ ସମୟ ରହିଛି।

ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆରମ୍ଭ ହେଲା ସକାଳୁଆ ସ୍କୁଲ

  • Share this:
News18 Odia Digital

ଭୁବନେଶ୍ବର: ଖରାରେ ସିଝୁଛି ସାରା ଓଡ଼ିଶା। ଅଧା ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ଗ୍ରୀଷ୍ମପ୍ରବାହକୁ ନଜର ରଖି ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୬.୩୦ରୁ ୧୧.୩୦ ସୁଦ୍ଧା ଛୁଟି ହୋଇଛି। ସେପଟେ ଦୁଇ ବର୍ଷ ପରେ ଆଜିଠୁ ମଧ୍ୟାହ୍ନ ଭୋଜନ ମଧ୍ୟ ସ୍କୁଲ ଗୁଡ଼ିକରେ ପୁନଃ ଆରମ୍ଭ ହୋଇଛି। ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍କୁଲରେ କରାଯାଇ ଥିବାବେଳେ ଅଂଶୁଘାତ ନେଇ ସଚେତନ କରାଯାଉଛି ସ୍କୁଲ ପିଲାଙ୍କୁ।

ଅସମ୍ଭାଳ ହେଲାଣି ଖରା ଗରମ। ତା ସାଙ୍ଗକୁ ଅଣାୟତ କରୁଚି ଝାଞ୍ଜି ପବନ ଓ ଗୁଳୁଗୁଳି। ଯାହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟ ପରିବର୍ତ୍ତନ ହୋଇଛି। ଆରମ୍ଭ ହୋଇଛି ମର୍ନିଂ କ୍ଳାସ। ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀଙ୍କ କ୍ଳାସ ସମୟ ରହିଛି।

ସକାଳ ୬.୩୦ ରୁ ୧୦.୩୦ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଳାସ ହେଉଥିବାବେଳେ ସକାଳ ୭ ରୁ ୧୧.୩୦ ରହିଛି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ। ପିଲାମାନେ ଆସିବା ବେଳେ ସାଙ୍ଗରେ ପାଣି ବୋତଲ ଓ ଛତା ନେଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସ୍କୁଲରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ସହ ବାହାରେ ଖେଳିବା ବୁଲିବାକୁ ବାରଣ ହୋଇଛି। ପାଠପଢ଼ା ସାଙ୍ଗକୁ ଖରା ଦାଉରୁ କିଭଳି ରକ୍ଷା ପାଇବେ ଅଂଶୁଘାତ କ'ଣ ଓ ଏହାର ପ୍ରତିକାର କିଭଳି ହୋଇପାରିବ ସେ ନେଇ ଶିକ୍ଷକମାନେ ଅବଗତ କରାଉଛନ୍ତି ଛାତ୍ରଛାତ୍ରୀଙ୍କୁ। ସେପଟେ ଦୁଇବର୍ଷ ପରେ ସ୍କୁଲରେ ପୁଣି ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ପ୍ରକ୍ରିୟା। ପିଲାମାନେ ପୁଣି ସ୍କୁଲରେ ବସି ପୂର୍ବ ଭଳି ରନ୍ଧା ଖାଦ୍ୟ ଖାଇଛନ୍ତି। କରୋନା ପରେ ସ୍ଥିତି ସ୍ୱାଭାବିକ ହେବା ନେଇ ଉତ୍ସାହିତ ଛାତ୍ରଛାତ୍ରୀ।

"ଗଣଶିକ୍ଷା ବିଭାଗ ଯେଉଁ ନିର୍ଦ୍ଦେଶ ଦେଇଛି ତାରି ଆଧାରରେ ଆମେ ସମସ୍ତ କାର୍ଯ୍ୟ ନିର୍ବାହ କରୁଛୁ। ସମୟ ଅନୁଯାୟୀ କ୍ଳାସ ଆରମ୍ଭ ହୋଇଛି। ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଛି। ସେହିଭଳି ମଧ୍ୟାହ୍ନ ଭୋଜନ ମଧ୍ୟ ଆଜିଠୁ ଆରମ୍ଭ କରିଛୁ। କୋଭିଡ ନିୟମ ସହ କିଭଳି ସ୍କୁଲ ଚାଲିବ ପାଠପଢ଼ା ହେବ ସେଠିପ୍ରତି ଧ୍ୟାନ ଦେଉଛୁ," କହିଛନ୍ତି କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ।

ଅନ୍ୟପଟେ ଆଉରି ୫ ଦିନ ପର୍ଯ୍ୟନ୍ତ ଖରା ଗରମରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ କହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକା ରହୁଥିବା ବେଳେ ଉପକୂଳରେ ସ୍ବଭାବିକ ବା ତା ଠାରୁ ସାମାନ୍ୟ ଅଧିକ ରହିଛି।

ବଙ୍ଗୋପସାଗରରୁ ଉପକୂଳକୁ ଜଲୀୟବାଷ୍ପ ଆସୁଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସହ ଦେଶର ଦ୍ଵିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ କୁହାଯାଇଛି। ଆବଶ୍ୟକ ଥିଲେ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ରହିଛି। ସେହିଭଳି ବୃଦ୍ଧ, ବାଳକ ଓ ରୋଗୀ ଘରେ ରହିବାକୁ ଏହି ସମୟରେ କୁହାଯାଇଛି।

"ବର୍ତ୍ତମାନ ଆଭ୍ୟନ୍ତରୀଣରେ ଶୁଷ୍କ ବାୟୁର ପ୍ରଭାବ ରହୁଛି କିନ୍ତୁ ଉପକୂଳରେ ବଙ୍ଗୋପସାଗରରୁ ଜଳବାୟୁ ପ୍ରବେଶ କରୁଛି। ଫଳରେ ଆଭ୍ୟନ୍ତରୀଣରେ ଖରାର ପ୍ରଭାବ ଅଧିକା ରହୁଛି ଓ ଉପକୂଳରେ ଗୁଳୁଗୁଳି ଅଧିକ ରହୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ," କହିଛନ୍ତି ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ।

ଚଳିତ ବର୍ଷ ଗ୍ରୀଷ୍ମକାଳୀନ ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ। ଖରା ଛୁଟିରେ କୋର୍ସ ଶେଷ କରିବା ଓ ପରୀକ୍ଷା କରିବା ଲକ୍ଷ ରହିଛି ଗଣଶିକ୍ଷା ବିଭାଗ। ସେପଟେ ଖରାକୁ ଲକ୍ଷ ରଖି ସକାଳୁଆ କ୍ଳାସ ଜାରି ରହିବ।
Published by:Lipina Das
First published: