News18 Odia Digital
ଭୁବନେଶ୍ବର: ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି ଶାନ୍ତିର ପ୍ରତୀକ ଧଉଳି ଶାନ୍ତିସ୍ତୁପ। ଶାନ୍ତିସ୍ତୁପର ୫୦ବର୍ଷ ପୂର୍ତ୍ତି ଅବସରରେ ଆୟୋଜନ ହେଉଛି ସ୍ବର୍ଣ୍ଣ ଜୟନ୍ତୀ। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହେବେ ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ।
ରାଜ୍ୟ ସରକାରଙ୍କ ଉଦ୍ୟମରେ ଶାନ୍ତିସ୍ତୁପର ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସଜେଇ ହେଉଛି ଧଉଳି ଶାନ୍ତିସ୍ତୁପ। ଆସନ୍ତାକାଲି ଶାନ୍ତିସ୍ତୁପର ହେବ ଗୋଲ୍ଡେନ ଜୁବଲି ଉତ୍ସବ। ଶାନ୍ତିସ୍ତୁପ ନିକଟରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲିପି କଳିଙ୍ଗ ଓ ବୌଦ୍ଧ ଧର୍ମର ୨୩୦୦ ବର୍ଷ ପୁରୁଣା ସମ୍ପର୍କର ମୁଖସାକ୍ଷୀ।
ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ତୁପର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟିର ଅନୁଦାନ ମିଳିଛି। ସ୍ତୁପର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି।
ନିଜେ ମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରସ୍ତୁତି କାର୍ଯ୍ୟ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅଥିତି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ଠାରୁ ପୁଣି ଶାନ୍ତିସ୍ତୁପରେ ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡର ଶୋ। ସେପଟେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଲିଫ୍ଟର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବୌଦ୍ଧ ଭିକ୍ଷୁଙ୍କ ପୂଜାର୍ଚ୍ଚନା ପାଇଁ ଆସନ୍ତା କାଲି ସକାଳ ୮ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ।
ଅନ୍ୟପଟେ ଶାନ୍ତିର ପ୍ରତୀକ ଶାନ୍ତିସ୍ତୁପକୁ ଛୁଟିଛନ୍ତି ଦେଶବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ। ସୁବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବରୁ ଗୁରୁବାର ବୌଦ୍ଧ ସନ୍ଥ ଓ ଭିକ୍ଷୁମାନଙ୍କ ଦ୍ବାରା ଭୁବନେଶ୍ବରରୁ ଧଉଳି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ଶାନ୍ତି ପଦଯାତ୍ରା। ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସନ୍ଥ ଓ ଭିକ୍ଷୁମାନଙ୍କ ଶାନ୍ତିମନ୍ତ୍ର ଉଚ୍ଚାରଣ ଫଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।
୫୦ବର୍ଷ ପୂର୍ବେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଜ ହାତରେ ସ୍ତୁପ ନିର୍ମାଣ କରିଥିବା ସନ୍ଥଙ୍କ ସମେତ ଜାପାନ, ଆମେରିକା, ୟୁକ୍ରେନ ଓ କାଜକିସ୍ଥାନରୁ ଆସିଛନ୍ତି ବହୁ ସନ୍ଥ। ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ସେମାନେ ସାମିଲ ହେବାର ସୁଯୋଗ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।
ସମ୍ରାଟ ଅଶୋକ ଏହି ସ୍ଥାନରୁ ଧର୍ମର ଜୟ ପତାକା ଉଡାଇ ବୌଦ୍ଧ ଧର୍ମର ପ୍ରଚାର କରିଥିବାରୁ ଏହି ସ୍ଥାନର ମହତ୍ତ୍ବ ବେଶ ଅଧିକ ଥିବା କହିଛନ୍ତି ସନ୍ୟାସୀ। ୫୦ ବର୍ଷରେ ଶାନ୍ତି ସ୍ତୁପର ଏ ଉନ୍ନତି ନେଇ ବେଶ ଖୁସି ପ୍ରକାଶ କରିଛନ୍ତି।
ଶୁକ୍ରବାର ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଶାନ୍ତିସ୍ତୁପର ସ୍ବର୍ଣ୍ଣ ଜୟନ୍ତୀ ପାଳନ ପୂର୍ବରୁ ଆଜି ଧଉଳିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ଼।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।