ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟର ପାଖାପାଖି ଅଧାରୁ ଅଧିକ ଗ୍ରାମ ପଞ୍ଚାୟତରେ ଏବେ ବି ନାହିଁ ବ୍ୟାଙ୍କ୍ ଶାଖା

ରାଜ୍ୟର ପାଖାପାଖି ଅଧାରୁ ଅଧିକ ଗ୍ରାମ ପଞ୍ଚାୟତରେ ଏବେ ବି ନାହିଁ ବ୍ୟାଙ୍କ୍ ଶାଖା

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଅତି କମ୍‌ରେ ପ୍ରତି ଗାଁର ପାଞ୍ଚ କି.ମି. ଅଞ୍ଚଳ ଭିତରେ ବ୍ୟାଙ୍କ୍ ସେବା ମିଳିବା ଦରକାର । ଗତ କିଛି ବର୍ଷ ଭିତରେ ରାଜ୍ୟରେ ସଡ଼କ ଯୋଗାଯୋଗର ଉନ୍ନତି ହୋଇଥିବା ସତ୍ୱେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଲୋକଙ୍କୁ ବ୍ୟାଙ୍କ୍ ସେବା ପାଇବା ପାଇଁ ୫୦ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି ।

ରାଜ୍ୟର ପାଖାପାଖି ଅଧାରୁ ଅଧିକ ଗ୍ରାମ ପଞ୍ଚାୟତରେ ଏବେ ବି ନାହିଁ ବ୍ୟାଙ୍କ୍ ଶାଖା
ସହରରେ ଏକ ବ୍ୟାଙ୍କ ଶାଖାର ଫାଇଲ୍‌ ଫଟୋ
  • News18 Odia
  • Last Updated: December 28, 2019, 1:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମନୋଜ ଜେନା | News18 Odia Digital

ଭୁବନେଶ୍ବର: ଓଡ଼ିଶାର ପାଖାପାଖି ଅଧା ଲୋକ ସର୍ବନିମ୍ନ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଅଧିକାଂଶ ସ୍ଥାନରେ ବ୍ୟାଙ୍କ ସେବା ପାଇଁ କିମ୍ବା ସରକାରୀ ଯୋଜନାରୁ ମିଳୁଥିବା ଅର୍ଥ ପାଇଁ ସେମାନଙ୍କୁ ଲମ୍ବା ଦୂରତା ଯିବାକୁ ପଡୁଛି ।

ରାଜ୍ୟରେ ଥିବା ମୋଟ୍‌ ୬,୭୯୬ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪,୯୨୧ ଗ୍ରାମ ପଞ୍ଚାୟତାରେ ନାହିଁ ବ୍ୟାଙ୍କ୍‌ ଶାଖା । ଯେଉଁ କେତେକ ହାତଗଣତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ମିଳୁଛି ସେଠାରେ ନିୟମିତଭାବେ ସବୁ ପ୍ରକାର ଅନଲାଇନ୍‌ ବ୍ୟାଙ୍କ ସେବା ମିଳିପାରୁ ନାହିଁ; କେବଳ ଅସ୍ଥାୟୀଭାବେ ମିଳୁଛି ଅଳ୍ପ କିଛି ବ୍ୟାଙ୍କ୍‌ ସୁବିଧା ।

ନିକଟରେ ଭୁବନେଶ୍ବରରେ ଆୟୋଜିତ ୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (State Level Bankers Committee – SLBC)  ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ଗତ କିଛି ବର୍ଷ ଭିତରେ ରାଜ୍ୟରେ ସଡ଼କ ଯୋଗାଯୋଗର ହୋଇଛି ଉନ୍ନତି । ଅନେକ ଅପହଞ୍ଚ ସ୍ଥାନକୁ ଗମନାଗମନ ପାଇଁ ରାସ୍ତା ମଧ୍ୟ ଫିଟିଛି । ତା ସତ୍ତ୍ବେ ରାଜ୍ୟରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଲୋକେ ବ୍ୟାଙ୍କ୍‌ ସେବା ପାଇବା ପାଇଁ ୫୦ କିମି ପର୍ଯ୍ୟନ୍ତ ରାସ୍ତା ଯିବାକୁ ପଡୁଛି । ଗତ ସେପ୍ଟେମ୍ବରରେ ଶେଷ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଗତ ତିନି ମାସର ସ୍ଥିତି ସମୀକ୍ଷା ଅବସରରେ ଏହି ମତ ପ୍ରକାଶ ପାଇଛି ।

ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଯୋଗାଯୋଗର ଉନ୍ନତି ସହ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ତୁରନ୍ତ ଖୋଲିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (State Bank of India - SBI) ର ଦୁଇଟି ନୂଆ ଶାଖା । ଏ ନେଇ SLBC ବୈଠକରେ ହୋଇଛି ବିସ୍ତୃତ ଆଲୋଚନା ।

‘‘ଆମର ପ୍ରାଥମିକ ଲକ୍ଷ୍ୟ ସେଠାକାର ଲୋକଙ୍କ ହାତ ପାଆନ୍ତାରେ ସରକାରୀ ଯୋଜନା ବାବଦ ଅର୍ଥ ରାଶିକୁ ତ୍ବରିତ ଗତିରେ ପହଞ୍ଚାଯିବା । ସେଠାକାର ପ୍ରାୟ ଅଧା ଅଞ୍ଚଳରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ତେଣୁ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ତୁରନ୍ତ ପହଞ୍ଚାଇବା ପାଇଁ କୁହାଯାଇଛି,’’ କହିଛନ୍ତି ମହାପାତ୍ର ।

ଉନ୍ନୟନ କମିଶନର ଆହିରି କହିଛନ୍ତି ଯେ ଆସନ୍ତା ବର୍ଷରୁ ସବୁ ସରକାରୀ ଯୋଜନାଗୁଡି଼କ ବାବଦ ଅର୍ଥ ନଗଦ ନୁହେଁ, ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବା ପାଇଁ ହୋଇଛି ସରକାରୀ ନିଷ୍ପତ୍ତି । ତେଣୁ ସବୁ ଅଞ୍ଚଳରେ ଅଧିକ ବ୍ୟାଙ୍କ ସେବା ଉପଲବ୍ଧ କରିବା ପାଇଁ ଗୁରୁତ୍ବ ଦିଆଯାଉଛି । ‘‘ତା’ଛଡା କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ମଧ୍ୟ କହୁଛି ଅତିକମରେ ପ୍ରତି ଗାଁର ୫ କିମି ଅଞ୍ଚଳ ଭିତରେ ବ୍ୟାଙ୍କ ସେବା ମିଳିବା ଦରକାର । ତେଣୁ ଏହି ଗାଇଡଲାଇନକୁ ଆମେ ଗୁରୁତ୍ବ ଦେଉଛୁ,’’ ସେ କହିଛନ୍ତି ।

ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସେବା ପ୍ରଦାନକୁ ସରକାର ଗୁରୁତ୍ବ ଦେଉଛନ୍ତି । ‘‘ଗ୍ରାମାଞ୍ଚଳରେ ନୂଆ ବ୍ୟାଙ୍କ ଶାଖା ଚ଼ଳେଇବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବ୍ୟବହାର କରିବାକୁ ସୁଯୋଗ ଦେବେ,’’ ସେ କହିଛନ୍ତି ।

ବୈଠକର ମୁଖ୍ୟ ଆୟୋଜକ ୟୁକୋ ବ୍ୟାଙ୍କ୍‌ର ଏମଡି ତଥା ସିଇଓ ଏ.କେ. ଗୋୟଲ କହିଛନ୍ତି ଯେ ଆଗକୁ ଅଧିକ ବ୍ୟାଙ୍କ ଶାଖା ଖୋଲିବା ନେଇ ସବୁ ବ୍ୟାଙ୍କଗୁଡିକୁ ପ୍ରସ୍ତାବ ଦିଆଯାଇଛି ।

‘‘ଗତ ଛଅ ମାସ ଭିତରେ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡିକୁ ଦିଆଯାଇଥିବା ଲକ୍ଷ୍ୟର ଆମେ ୫୨ ପ୍ରତିଶତ ପୂର୍ଣ୍ଣତା ହାସଲ ପରିପାରିଛୁ । କୃଷି କ୍ଷେତ୍ରରେ ଆମକୁ ମାତ୍ର ୩୮ ପ୍ରତିଶତ ସଫଳତା ମିଳିଥିବା ବେଳେ ଏମଏସଏମଇ କ୍ଷେତ୍ରରେ ମିଳିଛି ୯୨ ପ୍ରତିଶତ ସଫଳତା । ତେଣୁ ଅଧିକ କୃଷି ଋଣ ବାବଦ ଅର୍ଥରାଶିକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ବ ପ୍ରଦାନ କରୁଛି । ତା’ ସହିତ ମୁ୍ଦ୍ରା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ୍‌ କରାଯିବା ଉପରେ ମଧ୍ୟ ଆମେ ପ୍ରାଥମିକତା ଦେଉଛୁ,’’ କହିଛନ୍ତି ଗୋୟଲ ।
Published by: Anand Shankar Thankur Das
First published: December 28, 2019, 1:27 PM IST