ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜାମରେ କାୟା ମେଲାଉଛି ଡେଙ୍ଗୁ; ମେଡ଼ିକାଲ କ୍ୟାମ୍ପ ଖୋଲିବାକୁ ଦାବି କରୁଛନ୍ତି ଗ୍ରାମବାସୀ

ଗଞ୍ଜାମରେ କାୟା ମେଲାଉଛି ଡେଙ୍ଗୁ; ମେଡ଼ିକାଲ କ୍ୟାମ୍ପ ଖୋଲିବାକୁ ଦାବି କରୁଛନ୍ତି ଗ୍ରାମବାସୀ

ଆର୍ଯ୍ୟପଲ୍ଲୀ ପଞ୍ଚାୟତରୁ ପ୍ରାୟ ୩୦ରୁ ଅଧିକ ଡ଼େଙ୍ଗୁ ରୋଗୀ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି।

ଗଞ୍ଜାମରେ କାୟା ମେଲାଉଛି ଡେଙ୍ଗୁ; ମେଡ଼ିକାଲ କ୍ୟାମ୍ପ ଖୋଲିବାକୁ ଦାବି କରୁଛନ୍ତି ଗ୍ରାମବାସୀ
ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ୫୦ରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଭୟଙ୍କର ରୂପ ନେଲାଣି । ବିଶେଷ କରି ସହରାଞ୍ଚଳ ଅପେକ୍ଷା ବର୍ତ୍ତମାନ ଗ୍ରାମାଞ୍ଚଳରେ ଡ଼େଙ୍ଗୁ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଳକ ଆର୍ଯ୍ୟପଲ୍ଲୀରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ଛୁଇଁଲାଣି। ସରକାରୀ ସ୍ତରରେ ୩୦ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ କହୁଥିବା ବେଳେ ବେସରକାରୀ ରିପୋର୍ଟ ଏହାର ଦୁଇଗୁଣା ରହିଛି । ଏହାକୁ ନେଇ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି।

ଡେଙ୍ଗୁ ରୋଗରେ ପୀଡ଼ିତ ଅନେକ ଲୋକେ ଭୟରେ ମେଡ଼ିକାଲକୁ ଯାଉନଥିବା ବେଳେ କେହି ଘରେ ରହି ଚିକିତ୍ସିତ ହେଉଛନ୍ତି ତ ଆଉ କେହି ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆର୍ଯ୍ୟପଲ୍ଲୀରେ ସଫେଇ କାର୍ଯ୍ୟ ନିୟମିତ ହେଉନଥିବା ବେଳେ ମଶାମାରିବାଠାରୁ ଆରମ୍ଭ କରି ଡ଼େଙ୍ଗୁ ନିରାକରଣ ନିମନ୍ତେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖୁବଶୀଘ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆର୍ଯ୍ୟପଲ୍ଲୀରେ ଏକ ମେଡ଼ିକାଲ କ୍ୟାମ୍ପ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

‘‘ଆର୍ଯ୍ୟପଲ୍ଲୀ ପଞ୍ଚାୟତରୁ ପ୍ରାୟ ୩୦ରୁ ଅଧିକ ଡ଼େଙ୍ଗୁ ରୋଗୀ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ସରକାରୀ ମେଡ଼ିକାଲକୁ ନ ଯାଇ ଅନେକ ଡ଼େଙ୍ଗୁ ରୋଗୀ ଘରୋଇ ହସ୍‌ପିଟାଲ ଓ କିଛି ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି,‘‘ କହିଛନ୍ତି ସାନଆର୍ଯ୍ୟପଲ୍ଲୀ ବାସିନ୍ଦା ଏନ.ଦୀନବନ୍ଧୁ।

‘‘ଗତ ଦୁଇ ମାସ ପୂର୍ବରୁ ପ୍ରଥମେ ଆର୍ଯ୍ୟପଲ୍ଲୀରେ ୫ରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହି ସମୟରେ ଏକ ସ୍ବାସ୍ଥ୍ୟଟିମ୍‌ ଗାଁକୁ ଆସି ରୋଗୀଙ୍କ ଚିକିତ୍ସା କରିବା ସହିତ ଗାଁରେ କିଭଳି ଡ଼େଙ୍ଗୁ ରୋଗର ମୁକାବିଲା କରିବେ ସେ ନେଇ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । କିନ୍ତୁ ବର୍ତ୍ତମାନ ୫୦ରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସୁଦ୍ଧା ଗାଁକୁ ସ୍ବାସ୍ଥ୍ୟ ଟିମ୍‌ ଆସିନାହିଁ । ଗାଁର ଅନେକ ସ୍ଥାନରେ ପରିମଳ ବିପର୍ଯ୍ୟସ୍ତ ହୋଇ ପଡ଼ିରହିଥିବା ବେଳେ ନିୟମିତ ଭାବେ ସଫେଇ ମଧ୍ୟ କରାଯାଉନାହିଁ । ଜିଲ୍ଲା ପ୍ରଶାସନ ଡ଼େଙ୍ଗୁ ରୋଗକୁ ନେଇ ତତ୍ପର ଥିବା ନେଇ ଡ଼ିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଗାଁରେ ପରିଲକ୍ଷିତ ହେଉଛି,‘‘ କହିଛନ୍ତି ଆର୍ଯ୍ୟପଲ୍ଲୀ ବାସିନ୍ଦା ସୁକାନ୍ତ ଦାସ ।

‘‘ଆର୍ଯ୍ୟପଲ୍ଲୀରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସୂଚନା ପାଇବା ପରେ ସେଠାକୁ ଏକ ସ୍ବାସ୍ଥ୍ୟ ଟିମ୍‌ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି । ଏହାଛଡ଼ା ଯେଉଁମାନଙ୍କ ନିକଟରେ ଡ଼େଙ୍ଗୁର କୌଣସି ଲକ୍ଷଣ ଦେଖାଯାଉଛି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଗତ ସପ୍ତାହ ପୂର୍ବରୁ ଉକ୍ତ ଗ୍ରାମରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ । ବର୍ତ୍ତମାନ ଡ଼େଙ୍ଗୁ ରୋଗ ନିୟନ୍ତ୍ରଣକୁ ଆସୁଛି । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସେହି ଗାଁ ଉପରେ ନଜର ରଖିବା ସହିତ ନିୟମିତ ଭାବେ କିଭଳି ଗ୍ରାମବାସୀ ମାନେ ଚିକିତ୍ସା ସେବା ପାଇବେ ସେ ନେଇ ଉଦ୍ୟମ କରାଯାଉଛିଜ଼‘‘ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଉମା ଶଙ୍କର ମିଶ୍ର ।

‘‘ଜିଲ୍ଲାରେ ଡ଼େଙ୍ଗୁ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ସହିତ ବୈଠକ କରାଯାଇଛି । କିଭଳି ଭାବେ ଡ଼େଙ୍ଗୁକୁ ନିୟନ୍ତ୍ରଣ କରାଯିବା ସହିତ ଏହାର କାରଣ ଓ ନିରାକରଣ ନେଇ ଲୋକଙ୍କୁ ସଚେତନ କରାଯିବ ସେ ନେଇ ପଦକ୍ଷେପ ନିଆଯାଉଛି,‘‘ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
Published by: Soumya Das
First published: November 10, 2021, 6:07 PM IST