୧୨୫ କୋଟିରୁ ଉର୍ଦ୍ଧ ପ୍ରକଳ୍ପର ଶୁଭ ପୂଜନ କଲେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ

ବାଲେଶ୍ୱର ସହରରେ ୧୨୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ପୂଜନ କରିଛନ୍ତି ବାଲେଶ୍ୱର ସଦର ବିଧାୟକ l ଆଗାମୀ ଦିନରେ ସ୍ୱପ୍ନ ପୂରଣ ହେବ ବୋଲି ସହରବାସୀ ଆଶା ବାନ୍ଧି ବସିଛନ୍ତି ।

୧୨୫ କୋଟିରୁ ଉର୍ଦ୍ଧ ପ୍ରକଳ୍ପର ପୂଜନ କଲେ ବାଲେଶ୍ୱର ବିଧାୟକ (ପ୍ରତୀକାତ୍ମକ ଛବି)

୧୨୫ କୋଟିରୁ ଉର୍ଦ୍ଧ ପ୍ରକଳ୍ପର ପୂଜନ କଲେ ବାଲେଶ୍ୱର ବିଧାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ୱରରେ ମାରାଥନ ପ୍ରକଳ୍ପ ପୂଜନ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ । ମଙ୍ଗଳବାର ବାଲେଶ୍ୱର ସହରରେ ୧୨୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ପୂଜନ ସହ ତଦାରଖ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ l

ଗତ ନଭେମ୍ବର ୨୬ ତାରିଖରେ ବାଲେଶ୍ୱର ଗସ୍ତରେ ଆସିଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ୧୨୫କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ଶୁଭ ଶିଳାନ୍ୟାସ ସହ ଉଦଘାଟନ କରିଥିଲେ l ବିଧାୟକ ଶ୍ରୀ ଦାସ ଦଳୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀଙ୍କ ସହ ମାରାଥନ ଗସ୍ତକରି ଏହି ସବୁ ପ୍ରକଳ୍ପର ଶୁଭ ପୂଜନ କରିଛନ୍ତି l

ପ୍ରଥମେ ବିଧାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଯାଇ ପୂର୍ତ୍ତ ବିଭାଗ ତରଫରୁ ୬.୯୯ କୋଟି ଟଙ୍କାରେ ନିର୍ମିତ ନୂତନ କୋମର୍ସ ବ୍ଲକ, ୫ କୋଟି ଟଙ୍କାରେ ନିର୍ମିତ ଏକାଡେ଼ମିକ ବିଲଡିଂ, କେ.କେ.ଏସ ମହିଳା କଲେଜରେ ୮୬.୪୨ ଲକ୍ଷରେ ନବ ନିର୍ମିତ ଏକାଡେ଼ମିକ ବ୍ଲକ, ପୌରପାଳିକା ପରିସରରେ ୫୦ ଲକ୍ଷ ଟଙ୍କାର ନୂତନ ମିଶନ ଶକ୍ତି ଭବନ, ୮.୪୪ କୋଟି ଟଙ୍କା ବ୍ୟୟରେ ହୋଟେଲ ନିଶି ଛକ ଠାରୁ କୌଶଲ୍ୟା ମେମୋରିଆଲ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା, ୩.୬୬ କୋଟି ଟଙ୍କା ବ୍ୟୟରେ ଆଜିମାବାଦ ଠାରୁ ଏଫ.ଏମ କଲେଜ ରାସ୍ତା, ୫.୫୫ କୋଟି ଟଙ୍କାର ଷ୍ଟେସନ ଛକଠାରୁ ପାତ୍ରପଡା ରାସ୍ତା, ୧୩.୦୬ କୋଟି ଟଙ୍କାର ତାମୂଳିଆ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ତଦାରଖ କରିଛନ୍ତି।

ବିଧାୟକ ସ୍ୱରୂପ ଦାସ କହିଛନ୍ତି," ବାଲେଶ୍ୱର ଉପନିର୍ବାଚନରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵରର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ। ବାଲେଶ୍ୱରର ବିକାଶ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ କିଭଳି ସାଧାରଣ ଲୋକେ ଉପକୃତ ହୋଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରିବେ କହିଥିଲେ । ତେବେ ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତ ସମୟରେ ୧୨୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହି କାର୍ଯ୍ୟଗୁଡ଼ିକର ମୁଁ ନିଜେ ତଦାରଖ କରିଛି ଓ ଭୂମି ପୂଜା କରିଛି । ଶୀଘ୍ର ବାଲେଶ୍ଵର ବାସୀ ଏହାର ସୁବିଧା ପାଇପାରିବେ। "

ଅଙ୍ଗାରଗଡ଼ିଆ ଠାରେ ୧୧.୦୯ କୋଟି ଟଙ୍କାର ମଲ୍ଟିପାର୍ପୋଜ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ୯.୭୧ କୋଟି ଟଙ୍କାର ନୂତନ ମୋଡେଲ ବସ ଷ୍ଟାଣ୍ଡ, ଓ ନୁଣିଆଜୁଡ଼ିଠାରେ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ଫ୍ଲାଏ ଓଭର ବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନର ବିଧାୟକ ଶୁଭ ପୂଜନ କରିଛନ୍ତି l ସେହିପରି ବାଲେଶ୍ୱର ପୌରପାଳିକା ତରଫରୁ ୨ ନମ୍ବର ୱାର୍ଡ଼ର ୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବଡଖୁଆ ପୋଖରୀର ଉନ୍ନତିକରଣ ଓ ୭୦ ଲକ୍ଷ ଟଙ୍କାର ହେବାକୁ ଥିବା ଗଡ଼ଗଡ଼ିଆ ପୋଖରୀ ଉନ୍ନତିକରଣର ଶୁଭ ପୂଜନ ହୋଇଅଛି l

"ଆମେ ସବୁ ଆଶା ବାନ୍ଧି ରଖିଥିଲୁ ଯାହା ଏବେ ପୂର୍ଣ୍ଣ ହେଉଛି । ବଡ଼କଥା ହେଉଛି ସରକାରୀ ଯୋଜନାର ସଠିକ ଭାବରେ କାର୍ଯ୍ୟ କରିବା ସରକାରୀ ଅଫିସର ମାନଙ୍କର ଦାୟିତ୍ୱ ହେଲେ ଅନେକ ସମୟରେ ଏଥିରେ ବିଚ୍ୟୁତି ଦେଖାଯାଏ। ଏଣୁ ବିଧାୟକ ନିଜେ ଏହି ସବୁ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଲଗାତାର ତଦାରଖ କଲେ ଏହା ଠିକ ଭାବରେ ସମ୍ପୂର୍ଣ୍ଣ ହେବ ବୋଲି ଆମର ଆଶା," କହିଛନ୍ତି ବାଲେଶ୍ଵର ବାସିନ୍ଦା ଦିଗାମ୍ବର ରାଉତ।

"ନିର୍ବାଚନ ଆସିଲେ ବାଲେଶ୍ୱରର ବିକାଶ କଥା ସଭିଙ୍କୁ ଦିଶେ । ପୂର୍ବରୁ ମଧ୍ୟ ନିର୍ବାଚିତ ଲୋକ ପ୍ରତିନିଧି ଆମକୁ ବଡ଼ ବିଜେନେସ କରିଡର , ରିଙ୍ଗ ରୋଡ଼ ଆଦିର ସ୍ୱପ୍ନ ଦେଖିଥିଲେ ହେଲେ ଶେଷବୁ କେବଳ ନିର୍ବଚନୀ ଭାଷଣ ମଧ୍ୟରେ ସୀମିତ ହୋଇ ରହିଗଲା । ଏବେ ଏସବୁ କଣ ହେଉଛି ତାକୁ ଅପେକ୍ଷା," କହିଛନ୍ତି ଜଣେ ବାଲେଶ୍ଵର ବାସିନ୍ଦା ଦିବ୍ୟ ରଞ୍ଜନ ବେହେରା। "

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ବାଲେଶ୍ୱର ଟାଉନ ସଭାପତି ସନତ ଦାସ,  ଟାଉନ ମହିଳା ସଭାପତି ମିନା ମହାନ୍ତି, ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
Published by:Soumya Das
First published: