• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଗଞ୍ଜାମ ଜିଲ୍ଲାରେ ୨ ମାସରେ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା; କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଲେ SP

ଗଞ୍ଜାମ ଜିଲ୍ଲାରେ ୨ ମାସରେ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା; କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଲେ SP

ବର୍ତ୍ତମାନର ଆଧୁନିକ ଯୁଗରେ ବି ଗଞ୍ଜାମ ଜିଲ୍ଲାରେ ରାଜ କରୁଛି ସାମାଜିକ ବାସନ୍ଦ। ଏଭଳି କହିବାର କାରଣ ଗତ ଦୁଇ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା ସାମ୍ନାକୁ ଆସିଛି।

ଗଞ୍ଜାମ ଜିଲ୍ଲାରେ ୨ ମାସରେ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା

ଗଞ୍ଜାମ ଜିଲ୍ଲାରେ ୨ ମାସରେ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଏକ ବ୍ୟାଧି ଭଳି ମାଡ଼ି ଚାଲିଛି। ଜିଲ୍ଲାରେ ପ୍ରତିଦିନ କୌଣସି ନା କୌଣସି ଗାଁରେ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ଆସୁଛି।

ଗତ ଦୁଇ ମାସ ହେଲା ଜିଲ୍ଲାରେ ସାମାଜିକ ବାସନ୍ଦ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଅଜାତିରେ ବିବାହକୁ ନେଇ ବାସନ୍ଦ ତ ଆଉ କେଉଁଠି ରାଜନୈତିକ ଉଦ୍ଦେଶ୍ୟ ରଖି ବାସନ୍ଦ ଦେଖିବାକୁ ମିଳିଛି। ସେହିପରି ଶୁକ୍ରବାର ପୁଣି ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜାରେ ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେପଟେ ଯେଉଁମାନେ ଏଭଳି ବାସନ୍ଦ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ଏସପି।

ବର୍ତ୍ତମାନର ଆଧୁନିକ ଯୁଗରେ ବି ଗଞ୍ଜାମ ଜିଲ୍ଲାରେ ରାଜ କରୁଛି ସାମାଜିକ ବାସନ୍ଦ। ଏଭଳି କହିବାର କାରଣ ଗତ ଦୁଇ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦ରୁ ଅଧିକ ସାମାଜିକ ବାସନ୍ଦ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ବାସନ୍ଦକୁ ରୋକିବା ନିମନ୍ତେ ଅନେକ ପଦକ୍ଷେପ ନେଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଯାହାଫଳରେ ଆଜି ପୁଣି ଶୁକ୍ରବାର ଏକ ସାମାଜିକ ବାସନ୍ଦ ନେଇ ଅଭିଯୋଗ ହୋଇଛି। ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗାଁର କାଳୁଚରଣ ବେହେରାଙ୍କ ଝିଅ ରୋଜାଲିନ ଅନ୍ୟ ଜାତିରେ ଗତ ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ।

‘‘ଅନ୍ୟ ଜାତିରେ ବିବାହ କରିଥିବା ହେତୁ ମୋ ପରିବାରକୁ ନିଜ ଗାଁର କୁଳ ସମାଜ ଗାଁରୁ ସାମାଜିକ ବାସନ୍ଦ କରିଥିବା ନେଇ ଅଭିଯୋଗ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ମୁଁ ମୌଳାଭଞ୍ଜା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନରେ ପ୍ରତିଦ୍ବିନ୍ଦିତା କରିଥିବା ବେଳେ ପ୍ରଚାର ସମୟରେ ନିଜ ବାପା ଘରକୁ ଯାଇଥିଲି। ମୁଁ ଅନ୍ୟ ଜାତିରେ ବିବାହ କରୁଥିବା ସତ୍ତ୍ବେ ନିଜ ଘରକୁ ଆସିଥିଲି ତାହାକୁ କେନ୍ଦ୍ର କରି କୁଳ ସମାଜ ମୋ ପରିବାର ଲୋକଙ୍କୁ ଗତ ମାର୍ଚ୍ଚ ମାସରୁ ବାସନ୍ଦ କରିଥିବା ନେଇ ଅଭିଯୋଗ କରୁଛି,’’ କହିଛନ୍ତି ରୋଜାଲିନ ବେହେରା।

‘‘ଏପରିକି ଗାଁରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଭାଗ ନେବାକୁ ବାରଣ କରିଛି କୁଳ ସମାଜ। ଏହାକୁ ପ୍ରତିବାଦ କରି ମୁଁ ଥାନାରେ ଅଭିଯୋଗ କରିବା ପରେ ଥାନାରେ କୁଳ ସମାଜର ସଭାପତିଙ୍କୁ ଡ଼ାକି ଘଟଣାକୁ ନେଇ ଆଲୋଚନା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିଲାନାହିଁ। ତେଣୁ ରୋଜାଲିନ ଓ ମୋ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ସାକ୍ଷାତ କରିଥିଲୁ। ରୋଜାଲିନଙ୍କ ଅନ୍ୟ ଜାତିରେ ବିବାହ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଛୁ,‘‘ କହିଛନ୍ତି କୁଳରୁ ବାସନ୍ଦ ହୋଇଥିବା କାଳୁଚରଣ ବେହେରା।

‘‘ସାମାଜିକ ବାସନ୍ଦ ପ୍ରର୍ଥା ଦିନକୁ ଦିନ ବୃଦ୍ଧି ହେବା ଏହା ସଭ୍ୟ ସମାଜ ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ । କୌଣସି ଭୁଲ କାରଣରୁ ହେଉ ଅଥବା ଅନ୍ୟ କୌଣସି କାରଣକୁ ନେଇ ଜଣଙ୍କୁ ସାମାଜିକ ବାସନ୍ଦ କରିବା ଯୁକ୍ତିଯୁକ୍ତ ନୁହେଁ । ବରଂ ଗ୍ରାମ୍ୟ କମିଟି ହେଉ ଅଥବା କୁଳ ସାମାଜିକ ବାସନ୍ଦ କରିବା ପରିବର୍ତ୍ତେ କିଭଳି ଭାବେ ଆପୋଷେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ । ସାମାଜିକ ବାସନ୍ଦ ରୋକିବା ନିମନ୍ତେ ସମସ୍ତ ଜନସାଧାରଣ, କୁଳ, ଗ୍ରାମ୍ୟ କମିଟି ଅଧିକ ସଚେତନ ରହିବା ଆବଶ୍ୟକ । ପୋଲିସ ଓ ପ୍ରଶାସନ ସାମାଜିକ ବାସନ୍ଦ ରୋକିବା ନିମନ୍ତେ ଅନେକ ପଦକ୍ଷେପ ନେଉଥିବା ବେଳେ ଜନସାଧାରଣ ଏଥିପ୍ରତି ସଚେତନ ରହିଲେ ହିଁ ସାମାଜିକ ବାସନ୍ଦକୁ ରୋକାଯାଇପାରିବ ବୋଲି କହିଛନ୍ତି,‘‘ ବୁଦ୍ଧିଜୀବୀ ପ୍ରଶାନ୍ତ ପାତ୍ର ।

ସାମାଜିକ ବାସନ୍ଦକୁ ନେଇ ଅଭିଯୋଗ ବର୍ତ୍ତମାନ କିଛି ଦିନ ହେଲା ବୃଦ୍ଧି ପାଇବାରେ ଲାଗିଛି। ଏଥି ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାକୁ ଏନେଇ ଆଲର୍ଟ ରହିବାକୁ କୁହାଯାଇଛି। ଯେଉଁମାନେ ସାମାଜିକ ବାସନ୍ଦ କରୁଥିବେ ଅଥବା ଏହାକୁ ପ୍ରସୟ ଦେଉଥିବା ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ଯେଉଁମାନେ ସାମାଜିକ ବାସନ୍ଦର ଶୀକାର ହେଉଛନ୍ତି ସେମାନେ ନିକଟସ୍ଥା ଥାନାରେ ଏନେଇ ଅଭିଯୋଗ କରିବା ଆବଶ୍ୟକ ଅଛି। ଅଭିଯୋଗ ଆସିବା ପରେ ସମ୍ପୃକ୍ତ କୁଳ ହେଉ ଅଥବା ବ୍ୟକ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ।

ସାମାଜିକ ବାସନ୍ଦ ପ୍ରଥାକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରୁଛି ସତ କିନ୍ତୁ ତାହା ଗ୍ରାମାଞ୍ଚଳରେ ସଫଳ ହୋଇପାରୁନାହିଁ। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଏହା ବୃଦ୍ଧି ପାଉଛି। ତେଣୁ ଏହାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।
Published by:Lipina Das
First published: