• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଚଳିତ ବର୍ଷ ରାଜଧାନୀରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି; ବାର୍ଷିକ ରିପୋର୍ଟରେ ଖୁଲାସା

ଚଳିତ ବର୍ଷ ରାଜଧାନୀରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି; ବାର୍ଷିକ ରିପୋର୍ଟରେ ଖୁଲାସା

କମିଶନରେଟ ପୋଲିସର ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ୨୨ଟି ଥାନାରେ ମୋଟ ୨୭୭ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି। ଖଣ୍ଡଗିରି ଥାନାରେ ସର୍ବାଧିକ ୬୮ଟି ମାମଲା ରହିଛି ।

ଚଳିତ ବର୍ଷ ରାଜଧାନୀରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି

ଚଳିତ ବର୍ଷ ରାଜଧାନୀରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଗତ ୧୧ ମାସରେ ମଧ୍ୟରେ ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି । ଯେଉଁଥିରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଜୀବନ ହାରିଛନ୍ତି ବୋଲି କମିଶନରେଟ ପୋଲିସର ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟରେ ଉଲେଖ କରାଯାଇଛି। ପୋଲିସର ତଥ୍ୟ ଅନୁସାରେ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଭୁବନେଶ୍ୱରରେ ୨୭୭ଟି ଆତ୍ମହତ୍ୟା କରିଥିବା ନେଇ ମାମଲା ରୁଜୁ ହୋଇଛି । ଯେଉଁଥିରେ ୮୭ ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ୧୯୦ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ କରିଛି ପୋଲିସ।

କମିଶନରେଟ ପୋଲିସର ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ୨୨ଟି ଥାନାରେ ମୋଟ ୨୭୭ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି। ଖଣ୍ଡଗିରି ଥାନାରେ ସର୍ବାଧିକ ୬୮ଟି ମାମଲା ରହିଛି । ଭରତପୁର ଥାନାରେ ୨୫ଟି, କ୍ୟାପିଟାଲ ଓ ଜଟଣୀ ଥାନା ୨୦ଟି ଲେଖାଏଁ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି ।

ସେହିପରି ନୂଆପଲ୍ଲୀ ଥାନା ୧୭ଟି ମାମଲା, ମଞ୍ଚେଶ୍ଵର, ସହିଦ ନଗର, ବାଲିଅନ୍ତା ଓ ବାଲିପାଟଣା ଥାନା ୧୫ଟି ଲେଖାଏଁ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଏୟାରପୋର୍ଟ ଥାନାରେ ସବୁଠୁ କମ୍ ୨ଟି ଆତ୍ମହତ୍ୟା ମାମଲା ରହିଛି।

ପୋଲିସର ବାର୍ଷିକ ରିପୋର୍ଟ


ପୋଲିସ ଜାରି କରିଥିବା ପ୍ରେସ ବିଜ୍ଞପ୍ତିର ତଥ୍ୟ ଅନୁସାରେ, ବେକରେ ଫାଶୀ ଲଗାଇ ସର୍ବାଧିକ ୧୩୫ ଜଣ ଜୀବନ ହାରିଛନ୍ତି । ସେଥିରୁ ୯୪ ଜଣ ପୁରୁଷ ଓ ୪୧ ଜଣ ମହିଳା ଅଛନ୍ତି । ବିଷ ଖାଇ ମୋଟ ୧୧୯ ଜଣ ଆତ୍ମହତ୍ୟା କରିଛନ୍ତି । ଏଥିରେ ମଧ୍ୟ ସର୍ବାଧିକ ୭୭ ଜଣ ପୁରୁଷ ଥିବା ବେଳେ ୪୨ ଜଣ ମହିଳା । ନଈ କିମ୍ବା ପୋଖରୀକୁ ଡେଇଁ ୨୩ ଜଣ ପ୍ରାଣ ହାରିଛନ୍ତି। ଯେଉଁଥିରେ ସର୍ବାଧିକ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଖଣ୍ଡଗିରି ଥାନା ଅଧୀନରେ ସର୍ବାଧିକ ୫୬ ଜଣ ବିଷ ଖାଇଥିବା ବେଳେ ଜଟଣୀ ଥାନାରେ ଅଧିକ ୧୪ ଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପାଣିରେ ବୁଡ଼ିବା ଯୋଗୁଁ ବାଲିପାଟଣା ଥାନା ଅଞ୍ଚଳରେ ସର୍ବାଧିକ ୮ ଜଣଙ୍କ ପ୍ରାଣ ଯାଇଛି।

"ଚଳିତ ବର୍ଷ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ୨୨ ଟି ଥାନାରେ ୩୧.୧୧.୨୦୨୧ ସୁଦ୍ଧା ୧, ୫୫୪ଟି ଅପମୃତ୍ୟୁ ମାମଲା ପଞ୍ଜୀକୃତ ହୋଇଛି । ୨୦୧୯ ଓ ୨୦୨୦ ମସିହାରେ ଏହି ସଂଖ୍ୟା ଯଥାକ୍ରମେ ୧,୪୮୩ ଓ ୧,୫୮୩ ଥିଲା । ଖଣ୍ଡଗିରି ଥାନାରେ ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ସର୍ବାଧିକ ୩୪୭, ୩୯୬ ଓ ୨୪୬ ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏହି ତିନି ବର୍ଷରେ ନନ୍ଦନକାନନ ଥାନାରେ ସର୍ବନିମ୍ନ ୭, ୯ ଓ ୮ଟି ଅପମୃତ୍ୟୁ ମାମଲା ପଞ୍ଜୀକୃତ ହୋଇଛି । ଏହି ବର୍ଷ ପଞ୍ଜୀକୃତ ହୋଇଥିବା ସମୁଦାୟ ଅପମୃତ୍ୟୁ ମାମଲାରୁ ୫୫୯ ଟି ମାମଲାର ତଦନ୍ତ ଶେଷ ହୋଇଛି । ରୁଜୁ ହୋଇଥିବା ୧,୫୫୪ଟି ଅପମୃତ୍ୟୁ ମାମଲାରୁ ୨୭୭ ଟି ମାମଲା ଆତ୍ମହତ୍ୟା ଜନିତ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମାଶଙ୍କର ଦାଶ୍ ।

ସ୍ମାର୍ଟ ସିଟିରେ ଆତ୍ମହତ୍ୟା ପ୍ରବଣତା ବଢ଼ିବା ପଛରେ ଅନେକ କାରଣ ରହିଛି। ମନସ୍ତତ୍ତ୍ବବିତଙ୍କ କହିବା ଅନୁସାରେ, ଆତ୍ମହତ୍ୟାର ଅନେକ କାରଣ ରହିଛି । କୋଭିଡ ପରେ କିଏ ଚାକିରି ହରାଇ ଆତ୍ମହତ୍ୟା କରିଛନ୍ତି । ଅନେକ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରୁଥିବା ବେଳେ , ପାରିବାରିକ କଳହ, ପରକୀୟ ପ୍ରୀତି, ଦୀର୍ଘଦିନ ରୋଗରେ ପଡ଼ିବା, ବାପା ମା'ଙ୍କ ତାଗିଦ ପାଇଁ ଅଧିକାଂଶ ଛୋଟ ପିଲା ଆତ୍ମହତ୍ୟା କରୁଛନ୍ତି । ଗ୍ରାମାଞ୍ଚଳରେ ଯୌଥ ପରିବାରରେ ରହୁଥିବା ଘରର ସମସ୍ତ ସଦସ୍ୟ ପରସ୍ପର ମଧ୍ୟରେ ହସଖୁସୀ କରି ସମୟ ଦେଉଛନ୍ତି । ଯାହା ମନରେ କିଛି ଅବଶେଷ ରହୁଥିଲା ତାହା ପରିବାର ଲୋକଙ୍କୁ କହୁଛନ୍ତି । ତାହାକୁ ପରିବାର ମଧ୍ୟରେ ବୁଝାବୁଝି କରି ସମାଧାନ କରୁଛନ୍ତି । କିନ୍ତୁ ସହରରେ ସମସ୍ତ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସନ୍ଧ୍ୟାରେ ଘରକୁ ଆସିବା ପରେ ସ୍ମାର୍ଟଫୋନ୍‌ରେ ସମୟ ବିତାଉଛନ୍ତି । ଯେଉଁଥି ପାଇଁ କେହି କାହା ମନ କଥା ବୁଝୁନାହାଁନ୍ତି । ଫଳରେ ଅନେକ ଏକଲା ଅନୁଭବ କରି ଆତ୍ମହତ୍ୟା କରୁଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Published by:Lipina Das
First published:
)}