ବଜାୟ ରହିବ ମୋକିମଙ୍କ ବିଧାୟକ ପଦ; ହାଇକୋର୍ଟଙ୍କ ରାୟ ପରେ ମିଳିଲା ବଡ଼ ଆଶ୍ୱସ୍ତି

ମୁଁ କୌଣସି ଭୁଲ କରିନାହିଁ। କେସରେ ଆମର କୌଣସି ସମ୍ପୃକ୍ତି ନାହିଁ ଓ କୌଣସି ଅନିୟମିତତା ହୋଇ ନାହିଁ। ଆମେ ନିଶ୍ଚିତ ଭାବେ ନ୍ୟାୟ ପାଇବୁ ବୋଲି କହିଛନ୍ତି ମହମ୍ମଦ ମୋକିମ ।

ମହମ୍ମଦ ମୋକିମ (ପ୍ରତୀକାତ୍ମକ ଛବି)

ମହମ୍ମଦ ମୋକିମ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ବଜାୟ ରହିବ ମୋକିମଙ୍କ ବିଧାୟକ ପଦ। ହାଇକୋର୍ଟଙ୍କ ରାୟ ପରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ହାଇକୋର୍ଟଙ୍କ ରହିତାଦେଶ ଏବେ ମୋକିମ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆଣି ଦେଇଛି ଖୁସି।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ସମେତ ତିନି ଜଣଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ନିଜର ରାୟ ଶୁଣାଇଥିଲେ। ଭାରତ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବିଧାୟକ, ସାଂସଦ ଯେକୌଣସି ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ସଶ୍ରମ କାରାଦଣ୍ଡାଦେଶ ପାଇଲେ ସେମାନଙ୍କର ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯିବ। ତେବେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋକିମ। କୋର୍ଟ ମୋକିମଙ୍କ ଆବେଦନ ଉପରେ ବିଚାର କରି ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ଏବେ ରହିତାଦେଶ ଜାରି କରିଛନ୍ତି।

"ଏହି କେସ ପାଇଁ ମୋର ସଦସ୍ୟତା ପଦ ରଦ୍ଦ ହେବାର ଆଶଙ୍କା ରହିଥିଲା। କିନ୍ତୁ ଏବେ ମୁଁ ଆଶ୍ୱସ୍ତ ହୋଇଛି। ଆଜିର ନିର୍ଦ୍ଦେଶ ପାଇଁ ମୁଁ କୋର୍ଟଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଆଜି କହିବାକୁ କୁଣ୍ଠାବୋଧ କରୁନାହିଁ ଯେ ଏହି କେସରେ ଆମର କୌଣସି ସମ୍ପୃକ୍ତି ନାହିଁ, କୌଣସି ଅନିୟମିତତା ହୋଇ ନାହିଁ ଓ ମୁଁ କୌଣସି ଭୁଲ କରି ନାହିଁ। ଯେତେବେଳେ ଏହି କେସର ବିଚାର ହାଇକୋର୍ଟରେ ହେବ ଆମେ ନିଶ୍ଚିତ ଭାବେ ନ୍ୟାୟ ପାଇବୁ," କହିଛନ୍ତି ମହମ୍ମଦ ମୋକିମ ।

ହାଇକୋର୍ଟ ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାରେ ଉଭୟ ପକ୍ଷକୁ ଶୁଣିବା ପରେ ଗତ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ। ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନରେ ଯାଇ ପାରିବେ ବୋଲି କୋର୍ଟ ସର୍ତ୍ତ ରଖିଥିଲେ। ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ଋଣ ନେବା ସମୟରେ ମୋକିମ ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ନଥିବା ସହ ସେ ବିଧାନସଭାର କୌଣସି ପଦ ପଦବୀରେ ମଧ୍ୟ ନଥିଲେ ବୋଲି କୋର୍ଟରେ ଯୁକ୍ତି ବାଢ଼ିଥିଲେ ମୋକିମଙ୍କ ଓକିଲ। ଏହା ସହ ଜୁଲାଇ ୧୦, ୨୦୧୩ ମସିହାରେ ଲିଲି ଥୋମାସ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଥିଲେ ପିତାମ୍ବର। ତେବେ ଏ ସବୁ ମାମଲାର ବିଚାର କରି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

ଓଆରଏଚଡିସି ମାମଲାରେ ପ୍ରକୃତରେ ମୋକିମ ଦୋଷୀ ଅଛନ୍ତି କି ନାହିଁ ତା ଶୁଣାଣୀ ହାଇକୋର୍ଟରେ ଜାରି ରହିବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ୨୨,୨୦୨୩ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
Published by:Soumya Das
First published: