News18 Odia Digital
ଭୁବନେଶ୍ବର: ଆସୁଛି ମୌସୁମୀ। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ସକ୍ରିୟ ରହିଲେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା କରାଇବା ନେଇ ଆକଳନ ହୋଇଛି। ଏହାସହ କମୁଛି ତାପମାତ୍ରା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ନେଇ ସୂଚନା।
ମୌସୁମୀ ନେଇ ଆସିଲା ଖୁସି ଖବର। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୧୪ କିମ୍ବା ୧୫ ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ମୌସୁମୀ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ପରିଲକ୍ଷିତ ହେଉଥିବାବେଳେ ଦୁଇ ତିନି ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଆର. କେ. ଜେନାମଣି।
ଗତକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଯେଉଁଥି ପାଇଁ ତାପମାତ୍ରା ହ୍ରାସ ପାଇଛି। ମୌସୁମୀର ଗତି ଟିକେ ଧିମେଇ ଯାଇଛି, କିନ୍ତୁ ଭଲ ରହିଛି। ଆସନ୍ତା ୪ରୁ ୫ ଦିନ ପୂରା ଓଡ଼ାଶାକୁ ଛୁଇଁବ ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚି ସାରିଛି।
ମୁମ୍ବାଇରେ ବର୍ଷା ଆରମ୍ଭ ହୋଇଯାଇଛି। ଏହା କ୍ରମେ ଆଗକୁ ଅଗ୍ରସର ହେବ। ଏହା ସହ ରାଜ୍ୟରେ ଆସନ୍ତାକାଲି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ ସକ୍ରିୟ ରହିବ। ଆସନ୍ତାକାଲି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜରେ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
"ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପାଣିପାଗ ଅନୁକୂଳ ହୋଇଛି। ଆସନ୍ତା ୩ ଦିନ ମଧ୍ୟରେ ଏହା ସକ୍ରିୟ ହୋଇ ୪ ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ପରେ ଉତ୍ତର ଓଡ଼ିଶାର କିଛି ଅଂଶରେ ଏହାର ପ୍ରଭାବ ପଡ଼ିବ" କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଲକ୍ଷ୍ମୀକାନ୍ତ ଗିରି।
ଗତ ୨ ଦିନ ହେବ ଓଡ଼ିଶା ଉପରି ଭାଗରେ ରହିଥିବା ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ କୋହଲା ପାଗ ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆସ୍ୱସ୍ତି ମିଳିଛି। ସେପଟେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତତଲାଗଡ଼ ପାଲଟିଥିବା ଟିଟିଲାଗଡ଼ ୪୫ ଡିଗ୍ରୀରୁ ହ୍ରାସ ପାଇ ୩୧ ଡିଗ୍ରୀ ହୋଇଛି। ଆଗକୁ ତାପମାତ୍ରା ବିଶେଷ ବୃଦ୍ଧି ପାଇବନାହିଁ ବୋଲି ଆକଳନ କରାଯାଉଛି।
ଆସନ୍ତା ୩ ମଧ୍ୟରେ ଦିନର ତାପମାତ୍ରାରେ ପରିବର୍ତ୍ତନ ହେବାହିଁ। ଏହାପରେ ଆଉରି ମଧ୍ୟ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗତକାଲି ଗଞ୍ଜାମ, କଳାହାଣ୍ଡି ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇଥିବାବେଳେ ପୁରୀ, ରାୟଗଡା, ଖୋର୍ଦ୍ଧା, ବଲାଙ୍ଗୀରରେ ମାଧ୍ୟମ ଧରଣର ବର୍ଷା ହୋଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।