ମୌସୁମୀ ବାୟୁ ଆସିବାରେ ହେବ ବିଳମ୍ବ; ଜୁନ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ

ପୂର୍ବରୁ ମେ ୨୭ରେ କେରଳ ଓ ଜୁନ ୩ ସୁଦ୍ଧା ଓଡ଼ିଶା ଆସିବ ମୌସୁମୀ ବୋଲି ଆକଲନ ହୋଇଥିଲା। ହେଲେ ଏବେ ବିଳମ୍ବ ନେଇ ପୂର୍ବାନୁମାନ। କେରଳ ଛୁଇଁବାକୁ ଆଉରି ୩ ଦିନ ଲାଗିବ।

ମୌସୁମୀ ବାୟୁ ଆସିବାରେ ହେବ ବିଳମ୍ବ

ମୌସୁମୀ ବାୟୁ ଆସିବାରେ ହେବ ବିଳମ୍ବ

  • Share this:
News18 Odia Digital

ଭୁବନେଶ୍ବର: ବିଳମ୍ବରେ ପହଞ୍ଚିବ ମୌସୁମୀ। ଜୁନ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ ବୋଲି ପୂର୍ବାନୁମାନ କରାଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ସମୁଦ୍ରରେ ନାହିଁ କୌଣସି ସିଷ୍ଟମ। ଏହା ସାଙ୍ଗକୁ ଉତ୍ତର ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ବିଳମ୍ବ ହେଉଛି ମୌସୁମୀ ଆଗମନରେ। ପ୍ରଭାବରେ ଆଗକୁ ପ୍ରବଳ ଖରା ସାଙ୍ଗକୁ ଗ୍ରୀଷ୍ମ ଲହରୀ ଭଳି ସ୍ଥିତି ହେବ ବୋଲି ଆକଳନ ହେଉଛି।

୨୦୧୭ରେ ୧୨ ଜୁନ, ୨୦୧୮ରେ ୮ ଜୁନ, ୨୦୧୯ରେ ୨୧ ଜୁନ, ୨୦୨୦ରେ ୧୧ ଜୁନ ଓ ୨୦୨୧ରେ ୧୦ ଜୁନରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ଓଡ଼ିଶାକୁ ସଅଳ ଆସିବ ମୌସୁମୀ ବାୟୁ ବୋଲି ପୂର୍ବରୁ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଆଣ୍ଡାମାନ ସାଗରରେ ମେ ୧୫ ତାରିଖରେ ମୌସୁମୀ ବାୟୁ ପହଞ୍ଚିବା ପରେ ମେ ୨୭ରେ କେରଳ ଓ ଜୁନ ୩ ତାରିଖ ସୁଦ୍ଧା ଓଡ଼ିଶା ଆସିବା ନେଇ ଆକଳନ ହୋଇଥିଲା।

ହେଲେ ଏବେ ଆକଳନ ବଦଳିଛି। ବିଳମ୍ବ ହେଉଛି ମୌସୁମୀ ଆଗମନରେ। ବର୍ତ୍ତମାନ ସ୍ଥିତିରେ ଦକ୍ଷିଣ ଗୋଲାର୍ଦ୍ଧରୁ ଯେଉଁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହିତ ହୁଏ ତାହା କମ ରହିଛି। ବଙ୍ଗୋପସାଗର କିମ୍ବା ଆରବ ସାଗରରେ କୌଣସି ଲଘୁଚାପ ବର୍ତ୍ତମାନ ନାହିଁ ଯାହା କି ଦକ୍ଷିଣ ପଶ୍ଚିମ ବାୟୁକୁ ସକ୍ରିୟ କରିବ। ଏହା ବ୍ୟତୀତ ବର୍ତ୍ତମାନ ଉତ୍ତର ପଶ୍ଚିମ ବାୟୁ ରାଜ୍ୟକୁ ପ୍ରବେଶ କରିବା ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି। ଜୁନ ପ୍ରଥମ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ହେବ ବୋଲି ବିଶେସଜ୍ଞ କହିଛନ୍ତି। ଏଭଳି କି କିଛି ସ୍ଥାନରେ ହିଟ ୱେଭ ସ୍ଥିତି ଉପୁଜୀବ। ସମୁଦ୍ର ଆଡୁ ସ୍ଥଳାଭାଗକୁ ପବନ କମ ଆସିବା ଯୋଗୁ ଜଳବାୟୁରେ ଆର୍ଦ୍ରତା କମିବ। ଫଳରେ ଗୁଳୁଗୁଳି କମିବ ଓ ଟାଣ ଖରା ଅନୁଭୂତ ହେବ। ଉପକୂଳରୁ ଆଭ୍ୟନ୍ତରିଣ ସବୁଠି ପାରଦ ୪୪ ଡିଗ୍ରୀ ଓ ଅଧିକ ରହିବା ସମ୍ଭାବନା ରହିଛି।

‘‘ବର୍ତ୍ତମାନର ମଡେଲ ଯାହା ଇଣ୍ଡିକେଟ କରୁଛି ଯେ ମୌସୁମୀ ଆସିବାରେ ବିଳମ୍ବ ହେବ ଓ ବର୍ଷାର ପରିମାଣ କମିବ। ଯେଉଁ ସବୁ ପାଣିପାଗ ମୌସୁମୀ ପାଇଁ ଅନୁକୂଳ ରୁହେ ବା ମୌସୁମୀ ବାୟୁ କୁ ସକ୍ରିୟ କରାଏ ତାହା ବର୍ତ୍ତମାନ ନାହିଁ। ଏଣୁ କେରଳ ଆସିବା ପରେ ସଠିକ କହି ହେବ ଯେ କେବେ ଓଡ଼ିଶା ଆସିବ ମୌସୁମୀ ବାୟୁ" କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

ବର୍ତ୍ତମାନ ଦକ୍ଷିଣ ଆରବ ସାଗଗରେ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଉକ୍ତ ସ୍ଥାନରେ ପଶ୍ଚିମା ପବନ ଶକ୍ତିଶାଳୀ ହେଉଛି। ଫଳରେ କେରଳ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ବାଦଲ ଖଣ୍ଡ ସୃଷ୍ଟି ହେଉଛି। ଯାହା ପ୍ରଭାବରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାଯାଇଛି। ଅନ୍ୟପଟେ ରାଜ୍ୟରେ ଖରା ଗରମ ଲାଗି ରହିଥିବାବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆକଳନ କରାଯାଇଛି। କାଳବୈଶାଖୀ ଅଭାବ କମ ରହିବା ଯୋଗୁ ପାଗ ଶୁଖିଲା ରହିବ ଓ ଟାଣ ଖରା ଅନୁଭୂତ ହେବ।

ମୌସୁମୀ ବାୟୁ କେରଳ ଛୁଇଁବା ପରେ ସ୍ପଷ୍ଟ ହେବ ଯେ ଓଡ଼ିଶା କେବେ ଆସିବ। ସାଧାରଣତଃ ଜୁନ ୮ ତାରିଖ ସୁଦ୍ଧା ମୌସୁମୀ ପ୍ରବେଶ କରେ , ହେଲେ ଚଳିତ ଥର ଏହା କେବେ ଆସୁଛି ଓ ବର୍ଷା କିଭଳି ରହିବ ତାହା ଦେଖିବା ବାକି ଅଛି।
Published by:Lipina Das
First published: