News18 Odia Digital
Monsoon to arrive late: ଜୁନ ପ୍ରଥମ ସପ୍ତାହରେ ଆସିବ ମୌସୁମି (Monsoon)। ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ। ମୌସୁମି ଆସିବାରେ ଏଥର ଟିକେ ବିଳମ୍ବ ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ତେବେ ବିଳମ୍ବରେ ମୌସୁମୀ ଆସିଲେ ମଧ୍ୟ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାରେ ସାମାନ୍ୟ ବିଳମ୍ବ ଘଟିବ । କେରଳ ଉପକୂଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ।
ସାଧାରଣତଃ ଜୁନ୧ରେ କେରଳ ଛୁଇଁଥାଏ ମୌସୁମି ବାୟୁ। ହେଲେ ଏଥର ୪ ଦିନ ବିଳମ୍ୱ ହେବ। ୨୦୨୨ରେ ୨୭ ମେରେ କେରଳ ଛୁଇଁବା ନେଇ ଆକଳନ ହୋଇଥିବା ବେଳେ ୨୯ ମେରେ ଆସିଥିଲା ମୌସୁମି।
ସେହିଭଳି ୨୦୨୧ରେ ଜୁନ୍ ୩, ୨୦୨୦ରେ ୧ ଜୁନ୍, ୨୦୧୯ରେ ୮ ଜୁନ୍ ଓ ୨୦୧୮ରେ ୨୯ ମେରେ କେରଳ ଛୁଇଁଥିଲା ମୌସୁମି। ଏଥର ସାମାନ୍ୟ ବିଳମ୍ୱରେ ଆସିବା ପରେ ଅଗ୍ରସର ହୋଇ ଜୁନ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସିପାରେ ମୌସୁମି। ସେପଟେ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଆକଳନ କରିସାରିଛି ଭାରତୀୟ ପାଣିପାଗ ବିଭାଗ।
ମୌସୁମୀ ବର୍ଷାର ପ୍ରଭାବ ଏଲନିନୋ ଉପରେ ନିର୍ଭର କରିଥାଏ। ଏଲନିନୋର ପ୍ରଭାବ ପଡ଼ିଲେ ବର୍ଷା କମ ହୋଇଥାଏ। ଯଦି ଦକ୍ଷିଣ ଓ ପଶ୍ଚିମ ଭାରତରେ ଏଲନିନୋର ପ୍ରଭାବ ପଡ଼େ ତେବେ ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହୋଇପାରେ। ସାଧାରଣତଃ ମୌସୁମୀ ଉପରେ ଚାଷୀମାନେ ନିର୍ଭର କରୁଥିବାରୁ ସେମାନେ ଭଲ ବର୍ଷାକୁ ଅପେକ୍ଷା କରିଛନ୍ତି।
ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଏଲନିନୋର ପ୍ରଭାବ ଶକ୍ତିଶାଳୀ ରହିବ ତେବେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ସେପଟେ ରାଜ୍ୟରେ ହଠାତ୍ ବଦଳିଛି ପାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ହଟ୍ ୱେଦର ସ୍ଥିତି ଜାରି ରହିଥିବା ବେଳେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି, ଫଳରେ କିଛି ଜିଲ୍ଲାରେ ବର୍ଷା ହୋଇଛି। ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ଯାଏ ଲମ୍ବିଛି ଏକ ଟ୍ରପ ଲାଇନ୍। ଫଳରେ କାଳବୈଶାଖୀ ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହାସହ ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, କେନ୍ଦୁଝର, ମୟୁରଭଂଜ ଓ ଢେ଼ଙ୍କାନାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆଉ ୧୯ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।
ଏବେ ୨ ଦିନ ଧରି ଉପକୂଳରେ ତାତିରୁ ସାମାନ୍ୟ ନିସ୍ତାର ମିଳିବ। କାରଣ ଦୁଇ ଦିନ ଧରି କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ଫରକ୍ ପଡ଼ିବ ନାହିଁ। ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ବା ତାଠାରୁ ଅଧିକ ରହିବ।
ପଢ଼ନ୍ତୁ ଏହି ଖବର:
Matric Result: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ତାରିଖ ଘୋଷଣା କଲା ବୋର୍ଡ଼ଗତକାଲି ଭୁବନେଶ୍ୱର ୩୮.୬ ଓ କଟକ ୩୮ ଡିଗ୍ରୀ ସେଲସିୟସ୍ ଥିଲା। ଆହୁରି ୫ ଦିନ ତାତି ଏମିତି କଳବଲ କରିବ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ବିଶେଷ କିଛି କାମ ନଥିଲେ ସକାଳ ୧୧ଟା ପରେ ଏବଂ ଅପରାହ୍ନ ୩ଟା ପୂର୍ବରୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ପଶ୍ଚିମ ଓଡ଼ିଶାରେ ତାପାମତ୍ରା ୪୫ ଡିଗ୍ରୀରୁ ଅଧିକ ହେବ କିମ୍ବା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢିବାର ଆକଳନ କରାଯାଉଛି। ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।