News 18 Odia Digital
ଭୁବନେଶ୍ୱର: ଏବର୍ଷ ସାରା ଦେଶରେ ସ୍ବାଭାବିକ ରହିବ ମୌସୁମି ବର୍ଷା (rain) । ଭାରତୀୟ ପାଣିପାଗ ବିଭାଗ (indian weather department) କରିଛି ଏଭଳି ପୂର୍ବାନୁମାନ । ମୌସୁମି ସମୟ ଜୁନ୍ରୁ ସେପ୍ଟେମ୍ବର ଭିତରେ ସାରା ଦେଶରେ ପ୍ରାୟ ୮୩.୦୫ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଙ୍ଗ୍ ପିରିଅଡ୍ ଆଭରେଜ୍ ରେନ୍ ବା ଦୀର୍ଘ ଅବଧି ହାରାହାରି ବର୍ଷାର ୯୬ ପ୍ରତିଶତ ବର୍ଷା ଏଥର ହୋଇପାରେ । ଯାହା ସ୍ବାଭାବିକ ବୋଲି କୁହାଯାଇପାରିବ । ଦୀର୍ଘ ଅବଧି ହାରାହାରି ବର୍ଷା ହେଲା- ୧୯୭୧ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସାରା ଦେଶରେ ହୋଇଥିବା ବର୍ଷାର ହାରାହାରି ପରିମାଣ । ଦୀର୍ଘ ଅବଧି ହାରାହାରି ବର୍ଷାର ପରିମାଣ ପ୍ରାୟ ୮୭ ସେଣ୍ଟିମିଟର । ଏହାର ୯୬ ପ୍ରତିଶତ ମୌସୁମି ବର୍ଷା ଅର୍ଥାତ୍ ୮୩.୫ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ଅନୁମାନ କରିଛି IMD ।
IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷାର ଅନୁମାନ କରାଯାଇଛି । କିନ୍ତୁ ଦେଶର ପଶ୍ଚିମ-କେନ୍ଦ୍ର ଏବଂ ଉତ୍ତର-ପଶ୍ଚିମ ଭାଗରେ ସ୍ବାଭାବିକଠାରୁ କମ୍ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଓଡ଼ିଶାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି ଯେ ସାଧାରଣତଃ ବର୍ଷାର ପରିମାଣ ତିନିଟି ଫ୍ୟାକ୍ଟର ଉପରେ ନିର୍ଭର କରେ । ଗୋଟିଏ ହେଲା ଏଲ୍-ନିନୋ, ଦ୍ବିତୀୟଟି-ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ଏବଂ ତୃତୀୟ ହେଲା ସ୍ନୋ କଭର ଏରିଆ । ଏଥର ମୌସୁମୀ ଋତୁର ଦ୍ବିତୀୟାର୍ଦ୍ଧରେ ଏଲ୍-ଲିନୋ ପ୍ରଭାବ ଅଧିକ ରହିବା ଅନୁମାନ କରାଯାଉଛି । ଏଲ୍-ନିନୋ ପ୍ରଭାବ ଅଧିକ ରହିଲେ, ବର୍ଷାର ପରିମାଣ କମ୍ ହୋଇପାରେ । କିନ୍ତୁ ପୂର୍ବର କିଛି ବର୍ଷରେ ଦେଖାଯାଇଛି ଯେ ଏଲ୍-ନିନୋ ପ୍ରଭାବ ଅଧିକ ଥାଇ ମଧ୍ୟ ସ୍ବାଭାବିକ ବର୍ଷା ହୋଇଛି । ତାଛଡ଼ା ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ପଜିଟିଭ୍ ରହୁଥିବାରୁ ବର୍ଷାର ପରିମାଣ ସ୍ବାଭାବିକ ରହିବା ଅନୁମାନ କରାଯାଉଛି । ସେହିପରି ୟୁରୋପ ଏବଂ ଏସିଆ ବା ନର୍ଥନ ହେମିସ୍ପିଅର ଅଞ୍ଚଳରେ ସ୍ନୋ-କଭର ଏରିଆ କମ୍ ରହିଥିବାରୁ ବର୍ଷାର ପରିମାଣ ସ୍ବାଭାବିକ ରହିପାରେ ବୋଲି କହିଛନ୍ତି ଆଇଏମଡି ଡିଜି ।
ଯେଉଁ ମଡେଲ ଆଧାରରେ ଏହି ପୂର୍ବାନୁମାନ କରାଯାଇଛି, ସେଥିରେ ୫ ପ୍ରତିଶତ ଏରର୍ ରହିପାରେ । ଅର୍ଥାତ୍ ବର୍ଷା ପୂର୍ବାନୁମାନରେ ୫ ପ୍ରତିଶତ ଏପାଖ ସେପାଖ ହୋଇପାରେ । ଦୀର୍ଘ ଅବଧି ହାରାହାରି ବର୍ଷାର ୯୧ ପ୍ରତିଶତ କିମ୍ବା ୧୦୧ ପ୍ରତିଶତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ଏହି ଖବର ପଢ଼ନ୍ତୁ -
ଝାରସୁଗୁଡା ଉପନିର୍ବାଚନ: ବାଜି ଜିତିବାକୁ ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।