News18 Odia Digital
ଓଡ଼ିଶା: ଜୁନ୍ ୪ରେ କେରଳ ସ୍ପର୍ଶ କରିବ ମୌସୁମି। ଜୁନ ପ୍ରଥମ ସପ୍ତାହରେ କେରଳ ଛୁଁଇବା ପରେ ଜୁନ ଦ୍ବିତୀୟ ସପ୍ତାହ ବେଳକୁ ଓଡ଼ିଶା ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ । ସେପଟେ ଏଥର ସ୍ବାଭାବିକ ବର୍ଷା ନେଇ ପୂର୍ବରୁ ଆକଳନ କରିସାରିଛି ଭାରତୀୟ ପାଣିପାଗ ବିଭାଗ। ଆଉ ଆଜି କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ଏବଂ ୧୯ ତାରିଖ ଯାଏ ଜାରି ରହିବ ଏଭଳି ସ୍ଥିତି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବା ନେଇ ଆକଳନ ହୋଇଛି।
ଜୁନ ପ୍ରଥମ ସପ୍ତାହରେ ଆସିବ ମୌସୁମି। ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ। ମୌସୁମି ଆସିବାରେ ଏଥର ଟିକେ ବିଳମ୍ବ ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ ମୌସୁମି ବାୟୁ। ହେଲେ ଏଥର ୪ ଦିନ ବିଳମ୍ୱ ହେବ। ୨୦୨୨ରେ ୨୭ ମେରେ କେରଳ ଛୁଇଁବା ନେଇ ଆକଳନ ହୋଇଥିବା ବେଳେ ୨୯ ମେରେ ଆସିଥିଲା ମୌସୁମି। ସେହିଭଳି ୨୦୨୧ରେ ଜୁନ୍ ୩, ୨୦୨୦ରେ ୧ ଜୁନ୍, ୨୦୧୯ରେ ୮ ଜୁନ୍ ଓ ୨୦୧୮ରେ ୨୯ ମେରେ କେରଳ ଛୁଇଁଥିଲା ମୌସୁମି। ଏଥର ସାମାନ୍ୟ ବିଳମ୍ୱରେ ଆସିବା ପରେ ଅଗ୍ରସର ହୋଇ ଜୁନ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସିପାରେ ମୌସୁମି। ସେପଟେ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଆକଳନ କରିସାରିଛି ଭାରତୀୟ ପାଣିପାଗ ବିଭାଗ।
ସେପଟେ ରାଜ୍ୟରେ ହଠାତ୍ ବଦଳିଛି ପାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ହଟ୍ ୱେଦର ସ୍ଥିତି ଜାରି ରହିଥିବା ବେଳେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି, ଫଳରେ କିଛି ଜିଲ୍ଲାରେ ବର୍ଷା ହୋଇଛି। ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ଯାଏ ଲମ୍ବିଛି ଏକ ଟ୍ରପ ଲାଇନ୍। ଫଳରେ କାଳବୈଶାଖୀ ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହାସହ ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, କେନ୍ଦୁଝର, ମୟୁରଭଂଜ ଓ ଢେ଼ଙ୍କାନାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆଉ ୧୯ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।
ଏବେ ୨ ଦିନ ଧରି ଉପକୂଳରେ ତାତିରୁ ସାମାନ୍ୟ ନିସ୍ତାର ମିଳିବ। କାରଣ ଦୁଇ ଦିନ ଧରି କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ଫରକ୍ ପଡ଼ିବ ନାହିଁ। ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ବା ତାଠାରୁ ଅଧିକ ରହିବ।
ପଢନ୍ତୁ ଏହି ଖବର :
Phone under Rs.3,000: କମ୍ ଟଙ୍କାରେ ସବୁଠୁ ଭଲ ଫୋନ୍...୩ ହଜାର ଟଙ୍କାରେ ୪ଜି ଫୋନ୍ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।