ଭୁବନେଶ୍ୱରରେ ରେଳ ଷ୍ଟେସନରେ ଆତଙ୍କି ହମଲା; ମକଡ୍ରିଲରେ ଶିଖାଗଲା କବଜା କରିବାର ଉପାୟ

ଷ୍ଟେସନ୍ କିମ୍ବା ଟ୍ରେନ୍ ଭିତରେ ଯଦି କୌଣସି ସମୟରେ ଆତଙ୍କବାଦୀମାନେ ହମଲା କରନ୍ତି, ତାକୁ କିଳଭି ମୁକାବିଲା କରିବ ପୋଲିସ । ସେନେଇ ରାଜଧାନୀର ରେଳ ଷ୍ଟେସନ୍ରେ ଏହାର ଏକ ମକଡ୍ରିଲ ହୋଇଛି ।

ମକଡ୍ରିଲରେ ଆତଙ୍କବାଦୀଙ୍କ ସହ କିପରି ମୁକାବିଲା କରିହେବ ବିଭିନ୍ନ ତରିକା ପ୍ରଦର୍ଶିତ ହେଲା (ପ୍ରତୀକାତ୍ମକ ଛବି)

ମକଡ୍ରିଲରେ ଆତଙ୍କବାଦୀଙ୍କ ସହ କିପରି ମୁକାବିଲା କରିହେବ ବିଭିନ୍ନ ତରିକା ପ୍ରଦର୍ଶିତ ହେଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଷ୍ଟେସନ୍ କିମ୍ବା ଟ୍ରେନ୍ ଭିତରେ ଯଦି କୌଣସି ସମୟରେ ଆତଙ୍କବାଦୀମାନେ ହମଲା କରନ୍ତି, ତାକୁ କିଳଭି ମୁକାବିଲା କରିବ ପୋଲିସ । ସେନେଇ ରାଜଧାନୀର ରେଳ ଷ୍ଟେସନ୍‌ରେ ଏହାର ଏକ ମକଡ୍ରିଲ ହୋଇଛି । ଆର.ପି.ଏଫ୍ ଓ ଜି.ଆର.ପି ମିଳିତ ସହଯୋଗେର ଏସଓଜି ଏହି ମକଡ୍ରିଲ କରିଥିଲା । ରେଳ ଷ୍ଟେସନର ୬ନମ୍ବର ପ୍ଲାଟଫର୍ମରେ ଏହି ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

“ଯଦି କୌଣସି ସମୟରେ ଟ୍ରେନରେ କୌଣସି ଆତଙ୍କି କାର୍ଯ୍ୟକଳାପ ଦେଖାଯାଏ, ତାକୁ କିଭଳି ମୁକାବିଲା କରାଯିବ, ସେନେଇ ଏହି ମକଡ୍ରିଲ କରାଯାଇଛି । ମକଡ୍ରିଲ ପାଇଁ  ଛ’ ନମ୍ବର ପ୍ଲାଟଫର୍ମରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କୋଣାର୍କ ଏକ୍ସପ୍ରେସକୁ ମକଡ୍ରିଲରେ ବ୍ୟବହୃତ କରାଯାଇଥିଲା । ତିନିଜଣ ଆତଙ୍କବାଦୀ ଟ୍ରେନକୁ ହାଇଜାକ୍ କରିଥିବା ବେଳେ ଯାତ୍ରୀଙ୍କୁୂ ନିଜ କବଜାରେ ରଖିଥିଲେ । ତେଣୁ ଆତଙ୍କବାଦୀଙ୍କୁ କିଭଳି ମୁକାବିଲା କରାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯିବ, ତାହା ଏହି ମକଡ୍ରିଲର ମୁଳ ଉଦେଶ୍ୟ ଥିଲା” କହିଛନ୍ତି ଆର.ପି.ଏଫ୍ ଆଇ.ଆଇ.ସି କାଳୁ ସେଠୀ ।

କୋଣାର୍କ ଏକ୍ସପ୍ରେସକୁ ହାଇଜାକ କରିଥିଲେ ଆତଙ୍କବାଦୀ (ପ୍ରତୀକାତ୍ମକ ଛବି)


ତିନିଜଣ ଆତଙ୍କବାଦୀ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ପସି ୬ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା କୋଣାର୍କ ଏକ୍ସପ୍ରେସକୁ ହାଇଜାକ କରିଥିଲେ । ଟ୍ରେନ ଭିତରେ ଥିବା କିଛି ଯାତ୍ରୀଙ୍କୁ ନିଜ କବଜାକୁ ନେଇଥିଲେ । ଖବର ପାଇ ଅପରେସନ୍ ଆରମ୍ଭ କରିଥିଲା ଏସ.ଓ.ଜି । ପ୍ରାୟ ୩୦ମିନିଟ ଧରି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ପରେ ୩ଜଣ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଥିଲା ଏସଓଜି । ଷ୍ଟେସନ ଭିତର ପୁରା ଘଟଣା କାଳ୍ପନିକ ନୁହେଁ ବରଂ ସତ ପରି ମନେ ହେଉଥିଲା।

ଗୁରୁବାର ଅପରାହ୍ନ ୩ଟା ସମୟରେ ରେଳଷ୍ଟେସନରେ ମକଡ୍ରିଲ କାର୍ଯ୍ୟକ୍ରମ ହୋଇଥିଲା । ଏସଓଜିର ଦୁଇଟି ୟୁନିଟ୍ ମକଡ୍ରିଲରେ ଭାଗ ନେଇଥିଲେ । ମକ୍‌ଡ୍ରିଲ ବେଳେ ଛ’ ନମ୍ବର ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଥିଲା । ଯାତ୍ରୀ କିମ୍ବା ସାଧାରଣ ଲୋକଙ୍କୁ ଭିତରକୁ ପ୍ରବେଶ ଉପରେ କଟକଣା କରାଯାଇଥିଲା ।

ଆତଙ୍କବାଦୀମାନେ ଯାତ୍ରୀଙ୍କୁ କବଜା କରିନେଇଥିଲେ (ପ୍ରତୀକାତ୍ମକ ଛବି)


“ଏଭଳି ମକଡ୍ରିଲ ଆମ ପାଇଁ ଅତ୍ୟନ୍ତ ଆବଶ୍ୟକତା ଥିଲା । କାରଣ ଯଦି କେବେ କିଛି ଅଘଟଣ ହୁଏ, ଆମେ ହିଁ ପ୍ରଥମେ ମୁକାବିଲା କରିବୁ । ତେଣୁ ଏହି ଟ୍ରେନିଂ ଦ୍ୱାରା ଆମେ ଅନେକ କିଛି ଶିଖିବାକୁ ପାଇଲୁ । ଯାହା ଆଗାମୀ ଦିନରେ ବେଶ ସହାୟକ ହେବ,” କହିଛନ୍ତି ଜି.ଆର,ପି ଆଇ.ଆଇ.ସି ଜୟଦେବ ବିଶ୍ୱଜିତ୍ ।

ସୂଚନା ଯୋଗ୍ୟ, ବିଭିନ୍ନ ସମୟରେ ଏସ.ଓ.ଜି ପକ୍ଷରୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମକଡ୍ରିଲ କରାଯାଇଥାଏ । ଫଳରେ ଏସଓଜି ଓ ବିଭିନ୍ନ ବିଭାଗର ପୋଲିସ ସହିତ ସମନ୍ନୟ ରହିଥାଏ । ଯାହା ବେଶ ପରେ ସହାୟକ ହୋଇଥାଏ ।
Published by:Soumya Das
First published: