ବିଧାୟକ ପାଣ୍ଠି ୩କୋଟିରୁ ୧୦ କୋଟି ବୃଦ୍ଧି ପାଇଁ ବିଧାନସଭାରେ ବିଧାୟକଙ୍କ ଦାବି ।
News 18 Odia Digital
ଭୁବନେଶ୍ୱର; ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା ହୋଇଛି । ପାଣ୍ଠି ବୃଦ୍ଧି କରିବାକୁ ପ୍ରଶ୍ନକାଳରେ ଦାବି ଉଠାଇଲେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ । ୩ କୋଟିରୁ ୧୦ କୋଟି ବୃଦ୍ଧି କରିବାକୁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଜେପି ସଦସ୍ୟ ଭାସ୍କର ମଡ଼େଇ । ଅନ୍ୟ ରାଜ୍ୟ ସହ ତୁଳନା କରି ପାଣ୍ଠି ବୃଦ୍ଧି ପାଇଁ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସାଧାରଣ ପାଣ୍ଠି ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିବା ସହ ବିଧାୟକଙ୍କ ସୁପାରିଶ ଅନୁସାରେ ଖର୍ଚ୍ଚ କରିବାକୁ ଦିଆଯାଉ ।
ବିଜେଡି ବିଧାୟିକା ଲତିକା ପ୍ରଧାନ ପାଣ୍ଠି ବୃଦ୍ଧି ଦାବି କରି କହିଛନ୍ତି, ଉଚ୍ଚଶିକ୍ଷା ବିଭାଗ ପାଇଁ ଥିବା ପାଣ୍ଠି ଗାଇଡ ଲାଇନରେ କିଛି ଦ୍ଵନ୍ଦ ରହିଛି । ଅନୁଷ୍ଠାନର କିପରି ସାମଗ୍ରିକ ବିକାଶ ହୋଇ ପାରିବ ସେ ନେଇ ବ୍ୟବସ୍ଥା କରାଯାଉ । ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁ ରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ୨କୋଟି ବଦଳରେ ୩ କୋଟି କରଯାଉ ।
ସେପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ । ସମୟ ଆସିଲେ ବିଚାର କରାଯିବ । ୨୦୨୦-୨୧ ରେ ବିଧାୟକ ପାଣ୍ଠି ୧କୋଟି ରୁ ୩ କୋଟି କୁ ବୃଦ୍ଧି କରାଯାଇଥିଲା । ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨ କୋଟି ଥିବା ବେଳେ ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ୫କୋଟି ଲେଖାଏଁ ରହିଛି ।
ବାଚସ୍ପତି ଏନେଇ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ବିଧାୟକମାନେ ଯେଉଁ ପ୍ରସ୍ତାଵ ଦେଇଛନ୍ତି ତାହା କିପରି କାର୍ଯ୍ୟକାରୀ ହେବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବେ। ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।