ବିଧାୟକ ସୌଧ ନିର୍ମାଣ ପାଇଁ କଟା ଯାଉଥିବା ଗଛକୁ ନେଇ ଜୋରଦାର ହେଉଛି ବିରୋଧ
News18 Odia Digital
ଭୁବନେଶ୍ବର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସାଦ ତଥାଗତ ଶତପଥୀ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା ଓ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ୨୭୫ କୋଟି ଟଙ୍କାରେ ତିଆରି ହେବ ବହୁତଳ ପ୍ରାସାଦ। ଗୋଟିଏ ହେବ ୧୦ ମହଲା ଅନ୍ୟଟି ୧୧ ମହଲା। ୩୦୦ଟି ସୌଖୁନୀ କୋଠରୀରେ ରହିବେ ମନ୍ତ୍ରୀ, ବିଧାୟକ ଓ ଧଳା ହାତୀ।
ଏସି ଲାଗିବ, ଚକାଚକ ଫ୍ଲାଟରେ ଆରାମରେ ରହିବା ପାଇଁ ଏବେ ଚାଲିଛି ଅମ୍ଳଜାନ ଶୋଷିବା ପ୍ରକ୍ରିୟା ମାନେ ଗଛ କଟା ଅଭିଯାନ। ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ। ନିର୍ମାଣ ହେବ ବିଧାୟକଙ୍କ ଲାଗି ବହୁତଳ ସରକାରୀ କ୍ୱାର୍ଟର୍ସ। ସେଥିପାଇଁ ଗଡୁଛି ଗୋଟେ ପରେ ଗୋଟେ ମହାଦ୍ରୁମ। ଗୋଟିଏ କି ଦୁଇଟି ନୁହେଁ, ଶହ ଶହ ମହାଦ୍ରୁମକୁ କାଟି ସଫା କରାଯାଇଛି। ଟାର୍ଗେଟ ଅଛି ୮୭୦ ଗଛ ଗଡ଼ିବ। ସେଥିରୁ ପାଖାପାଖି ୪୦୦ ଉର୍ଦ୍ଧ୍ବ ଗଛ କଟା ଯାଇଥିବା ବେଳେ ଆହୁରି ପ୍ରାୟ ୨୦୦ ସହ କଟାଯିବ।
ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ବହୁ ପୁରାତନ ପୁରୁଣା ଏହି ଦ୍ରୁମ କାଟି ଚାଲିଛି ଜଙ୍ଗଲ ବିଭାଗ । ବିଧାନସଭା ପାଖରେ ନିର୍ମାଣ ହେବ ଏମଏଲ୍ଏ କ୍ୱାର୍ଟର୍ସ। ବହୁତଳ ଆପାର୍ଟମେଣ୍ଟରେ ରହିବେ ବିଧାୟକଗଣ। ଯେଉଁ ଗଛ ବଢ଼ି ମହାଦ୍ରୁମ ହେବାକୁ ଦୀର୍ଘ ବର୍ଷ ଲାଗିଥିଲା ତାକୁ ବଳି ଦେଇ ବିଧାୟକଙ୍କ ସୌଧ ଗଢ଼ାଯିବ। ଓଏମସି ସମ୍ନାରେ ଥିବା ଏମଏଲ୍ଏ କଲୋନୀ ପାର୍କରେ ଏବେ ମାରାଥନ୍ ଗଛ କଟା ଚାଲିଛି। ଗଛ କାଟି ସଫା କରିବାକୁ ଖୋଦ୍ ଜଙ୍ଗଲ ବିଭାଗ କର୍ମଚାରୀମାନେ ରାତିଅଧିଆ ଲାଗି ପଡ଼ିଛନ୍ତି। ଇଲେକ୍ଟ୍ରିକ ଚେନ୍ ସ’ ମେସିନ୍ କାମ କରୁନି ବୋଲି ଜେସିବିରେ ତାଡ଼ି ପକାଉଛନ୍ତି।
ଯାହାକୁ ନେଇ ଆଜି ବିଧାୟକ କଲୋନୀରେ ପ୍ରତିବାଦ ସହିତ ଗଛକୁ ଧରି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ପରିବେଶବିତ୍। ଏ ନେଇ ତଥାଗତ ଶତପଥୀ କହିଛନ୍ତି, "ମୋତେ କାଇଁ ଲାଗୁନି ଗଛ କଟା ବନ୍ଦ ହୋଇଯିବ। ଯୋଉଟା ଠିକ ସେଥିପାଇଁ ଆମେ ତା ପାଇଁ ପ୍ରତିବାଦ କରୁଛୁ। ଏଥିପାଇଁ ସରକାର ଓ ଆମେ ଦାୟୀ। ଏବେ ଯାହା କୁହାଯାଉଛି ଆମେ ଖୋଲା ଜାଗାରେ ଜଙ୍ଗଲ ସୃଷ୍ଟି କରୁଛୁ। କନ୍ଧମାଳ ଓ ପାତ୍ରପଡ଼ାରେ ଗଛ ଲଗାଉଛୁ। ତେବେ ଏ ଜାଗା ଛାଡ଼ି ସେହି ଖୋଲା ଜାଗାରେ ପ୍ରାସାଦ କରାଯାଉ ନାହିଁ କାହିଁକି?’’
ବିଧାୟକ ସୁରେଶ ରାଉତରାୟ କହିଛନ୍ତି,"ମୁ ଜଣେ ବିଧାୟକ। ଦରକାର ନାହିଁ ଏହି ଘର। ଯେଉଁଠି ଗଛ କାଟିକି ଘର କରାଯାଉଛି ସେଠାରେ ସେ ଘରର ଆଵଶ୍ୟକତା ନାହିଁ। ଖୋଲା ଜାଗା ଓ ଦୂର ଜାଗାରେ ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ଘର କରାଯାଉ।"
ସାମାନ୍ୟ ତାତିରେ ରାଜଧାନୀ ଜଳୁଛି। ପରିବେଶ ସନ୍ତୁଳନ ବିଗଡ଼ି ଗଲାଣି। ଏହାର ପରିଣାମ ଭୟଙ୍କର ଆଡ଼କୁ ଗଲାଣି। ହେଲେ ଯେଉଁମାନେ ଆଇନ ପ୍ରଣେତା ସେମାନଙ୍କ ନାଁରେ ଗଛକଟା ମିଶନ୍ ଚାଲିଛି । ୟୁନିଟ୍-୪ରେ ଥିବା ଏହି ୩ଟି ପାର୍କରେ ବହୁ ମୂଲ୍ୟବାନ ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ଲିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ରାଧାଚୁଡ଼ା, ଚମ୍ପା, ବରକୋଳି, ଅଶୋକା ଭଳି ବହୁ ଗଛ କାଟି ସଫା କରାଯାଉଛି।
ପୁରାତନ ଏମଏଲେ କଲୋନୀରେ ପ୍ରାୟ ୨ ହଜାରରୁ ଅଧିକ ଗଛ ରହିଥିଲା। ଫନି ବାତ୍ୟାରେ ପ୍ରାୟ ୧୨ ଶହ ଗଛ ଉପୁଡ଼ି ପଡିଥିଲା। ବାକି ହଜାରେ ଗଛ କାଟିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଏହି ହଜାରେ ଗଛର କ୍ଷତି ପୂରଣ ବାବଦ ଅର୍ଥ ୬୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ ଲିମିଟେଡ୍(ଓବିସିସି)। ଗଛ କଟା କ୍ଷତି ପୂରଣ ବାବଦରେ ଜଙ୍ଗଲ ବିଭାଗ ପାଖରେ ଓବିସିସି ମାତ୍ର ୬୮ ଲକ୍ଷ ଟଙ୍କା ଜମା କରିଛି।
ଏମଏଲଏ କ୍ୱାର୍ଟର୍ସ ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗକୁ ଗତ ଜାନୁୟାରୀ ମାସରେ ଓବିସିସି ଗଛ କାଟିବାକୁ ଅନୁମତି ମାଗିଥିଲା। ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଓ ଓବିସିସିର ମିଳିତ ଟିମ୍ ଅନୁଧ୍ୟାନ କରିବା ପରେ ଗଛ କାଟିବାକୁ ଅନୁମତି ଦିଆଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ସେଠାରେ ଗଛ କାଟୁଛି। ଯେତିକି ଗଛ କଟାଯାଇଛି ତା'ର ଦଶ ଗୁଣା ଗଛ ଲଗାଇବାକୁ ସର୍ତ୍ତ ରହିଛି। ଗୋଟିଏ ଗଛ ଲଗାଇବା ପାଇଁ ୭୬୭ ଟଙ୍କା ଖର୍ଚ୍ଚ ହେଉଛି। ୮୭୦ ଗଛ କଟା ଯିବାର ଥିବାରୁ ଏହାର ଦଶ ଗୁଣା ଅଧିକ ଗଛ ଲଗାଯିବ। ଖୁବ୍ ଶୀଘ୍ର ଜାଗା ଚିହ୍ନଟ ପରେ ଗଛ ଲଗାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ବନ ବିଭାଗର ଏହି ପ୍ରତିଶୃତିକୁ ନା ପସନ୍ଦ କରିଛନ୍ତି ପରିବେଶବିତ୍ ଓ ପୂର୍ବତନ ପ୍ରଶାସକ।
ପ୍ରେରଣାର ଅଧକ୍ଷ ଡକ୍ଟର ଦିଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ ଗଛ କଟା ବନ୍ଦ ନ ହେଲେ ଆଗକୁ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କହିଛନ୍ତି ଯେ ଆମ ପାଇଁ ଏବେ ଗଛ ପଛ ଘର ଆଗ ହୋଇପଡ଼ିଛି। ଏଭଳି ମାନସିକତାରୁ ସମସ୍ତେ ଖ୍ୟାନ୍ତ ରହିବା ଉଚିତ।ଗୋଟିଏ ବଡ଼ ଦ୍ରୁମ ଦିନକୁ ୧୦ ଜଣ ଲୋକଙ୍କୁ ଅମ୍ଳଜାନ ଦିଏ। ଏବେ ପ୍ରାୟ ୩୦୦ ଗଛ କଟିଛି। ୮୭୦ ଗଛ କତାଯିବାକୁ ଲକ୍ଷ୍ୟ। ତେବେ ୮ ହଜାର ୭୦୦ ଲୋକଙ୍କ ଅମ୍ଳଜାନ ଶୋଷି ହୋଇଯିବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।