• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି କଣ କଥା ହେଲେ BJDର ହେଭିୱେଟ ନେତା ପ୍ରଣବ ପ୍ରକାଶ; ବରିଷ୍ଠ ସାମ୍ବାଦିକ ରଖିଲେ ମତ

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି କଣ କଥା ହେଲେ BJDର ହେଭିୱେଟ ନେତା ପ୍ରଣବ ପ୍ରକାଶ; ବରିଷ୍ଠ ସାମ୍ବାଦିକ ରଖିଲେ ମତ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼୍ଡିଙ୍କୁ ରାଜ୍ୟ ଅତିଥି ଭବନରେ ଭେଟିଛନ୍ତି ବିଜେଡିର ହେଭିୱଟ ନେତା ପ୍ରଣବ ପ୍ରକାଶ ଦାସ। ପ୍ରଣବ କେଉଁ ପ୍ରସଙ୍ଗରେ ଜଗନଙ୍କ ସହିତ କଥା ହୋଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ପ୍ରଣବ ପ୍ରକାଶ କଥା ହୋଇଛନ୍ତି (ପ୍ରତୀକାତ୍ମକ ଛବି)

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ପ୍ରଣବ ପ୍ରକାଶ କଥା ହୋଇଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ଗସ୍ତରେ ଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱଇଏସ ଜଗନ ମୋହନ ରେଡ଼୍ଡିଙ୍କୁ ରାଜ୍ୟ ଅତିଥି ଭବନରେ ଭେଟିଛନ୍ତି ବିଜେଡିର ହେଭିୱଟ ନେତା ପ୍ରଣବ ପ୍ରକାଶ ଦାସ। ପ୍ରଣବ କେଉଁ ପ୍ରସଙ୍ଗରେ ଜଗନଙ୍କ ସହିତ କଥା ହୋଇଛନ୍ତି ତାହା ଗଣମାଧ୍ୟମକୁ ଆସିନଥିଲେ ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ହୋଇ ଥିବା ସ୍ଵଳ୍ପ ଆଲୋଚନାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପହଞ୍ଚିବାର ୧୫ ମିନିଟ ପରେ ପହଞ୍ଚି ଥିଲେ ପ୍ରଣବ ପ୍ରକାଶ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅତିଥି ଭବନ ଛାଡିବା ପର୍ଯ୍ୟନ୍ତ ପ୍ରଣବ ପ୍ରକାଶ ଅତିଥି ଭବନରେ ରହିଥିଲେ।

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି,"ପ୍ରଣବ କୋରାପୁଟ ଜିଲ୍ଲାର ବିଜେଡିର ପର୍ଯ୍ୟବେକ୍ଷକ ଅଛନ୍ତି। ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ରହିଛି କୋଟିଆ ଗ୍ରାମପୁଞ୍ଜ ସମୂହ। କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି। ଏପରିକି ସେଠାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଛି। ଏହା ବିରୋଧରେ ରାଜ୍ୟ ସରକାର ଆଇନଗଣ ଲଢ଼େଇ ଲଢୁଛନ୍ତି। ଯଦି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହେଲେ ଦୁଇ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାଇ ରହିବ। ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରୁଛନ୍ତି।ଏହାର ସମାଧାନ ନେଇ କଥା ହୋଇଥାଇପାରନ୍ତି।"

ତେବେ ଏ ନେଇ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନଥିଲେ ବି ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ବିବୃତ୍ତି ଅନୁସାରେ ଦୁଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମୁଖ୍ୟତଃ ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଭାବେ ଏକାଠି କାମ କରିବାକୁ ସହମତି ହୋଇଛନ୍ତି। ସେହିପରି ମାଓବାଦୀ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ଏସବୁ ବ୍ୟତୀତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲଗୁ ଭାଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ତେଲଗୁ ଭାଷା ଚେୟାର ସ୍ଥାପନ ଓ ଅନୁରୂପ ଭାବେ ଶ୍ରୀକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଦୁଇ ରାଜ୍ୟ ସରକାର କାମ କରିବେ । ସେହିପରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ, ଭାଷା ପରୀକ୍ଷା କରାଇ ଭାଇଚାରାକୁ ପ୍ରୋତ୍ସାହିତ କରାଯିବ ।

ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଞ୍ଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ କାମ କରିବେ । ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ୱାର୍ଥରେ ସମାଧାନ ଖୋଜିବାକୁ ପ୍ରୟାସ କରାଯିବ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।
Published by:Soumya Das
First published: