News 18 Odia Digital
ବରଗଡ଼; ପଞ୍ଚଭୂତରେ ବିଲୀନ ହେଲେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ବିଧାୟକଙ୍କ ପାର୍ଥିବ ଶରୀର ଆଜି ପଦ୍ମପୁରରେ ଏକ ବିଶାଳ ଶୋଭାଯାତ୍ରା ବାହାରି ରାଜଘାଟରେ ପହଞ୍ଚିଥିଲା । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ ଏଡିଏମ ନବୀନ ପଟେଲ, ପୋଲିସ ପ୍ରଶାସନ ପକ୍ଷରୁ ଏଏସପି ପ୍ରଦ୍ୟୁମ୍ନ ମିଶ୍ର ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା ।

ବିଧାୟକଙ୍କ ଅନ୍ତିମ ଦର୍ଶନରେ ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନିରଞ୍ଜନ ପୂଜାର, ଭଟଲି ବିଧାୟକ ସୁଶାନ୍ତ ସିଂ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା, ଅଞ୍ଚଳବାସୀ ସାମିଲ ହୋଇଥିଲେ । ଦିନ ୧ଟା ୫୦ମିନଟରେ ପୁଅ ଭୋଜରାଜ ସିଂ ବରିହା ମୁଖାଗ୍ନି ଦେଇଥିଲେ ।
ଜେଏନୟୁରୁ ରାଜନୀତି ବିଜ୍ଞାନରେ ଏମଏ ପାଠ ପଢ଼ିବା ପରେ ବିଜୟ ବରିହା ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ସାମିଲ ହୋଇଥିଲେ । ବିଜୟ ବାବୁ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୫ ( ଜନତା ଦଳ ) , ୨୦୦୦ , ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ ।
ସୂଚନାଯୋଗ୍ୟ, ବିଜୟ ବାବୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ୱାଇଁ ଥିଲେ । ବିଜୟ ବାବୁ ପରିବାରର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ । ଆଉ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ଏହି ବିବାହରେ ବିଜୁ ବାବୁ ନିଜେ ସାମିଲ ହୋଇ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ ।
ବିଧାୟକ ବିଜୟ ବାବୁ ବିଜେଡି ଦଳର ସଂଗଠନ ଓ ସଂଗ୍ରାମର ସାଥୀ ଥିଲେ । ସାଧାରଣ ମଣିଷର ସ୍ୱର ଥିଲେ ବିଜୟ ବାବୁ । ପଦ୍ମପୁର ଅଞ୍ଚଳର ଲୋକଙ୍କ ଅଭାବ, ଅସୁବିଧା ବିଭିନ୍ନ ସମସ୍ୟା ପାଇଁ ଜୀବନବ୍ୟାପି ବ୍ରତି ଥିଲେ । ବିଜୟ ବାବୁ ଥିଲେ ଜଣେ ନିର୍ଭିକ, ସ୍ପଷ୍ଟବାଦୀ ନେତା । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଅଞ୍ଚଳବାସୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।