ସେବାର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ ଏମକେସିଜିର ଷ୍ଟାଫ ନର୍ସ ଶିବାନୀ ଦାଶ

ସେବାର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଷ୍ଟାଫ ନର୍ସ ଶିବାନୀ ଦାଶ । ଶରୀରରେ ଶେଷ ନିଶ୍ୱାସ ଥିବା ଯାଏଁ ସେବା ଜାରୀ ରହିବ କହିଲେ ଶିବାନୀ ।

ସେବାର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ ଏମକେସିଜିର ଷ୍ଟାଫ ନର୍ସ ଶିବାନୀ ଦାଶ

ସେବାର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ ଏମକେସିଜିର ଷ୍ଟାଫ ନର୍ସ ଶିବାନୀ ଦାଶ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; କରୋନା ସମୟରେ ସମସ୍ତେ ଘରୁ ବାହାରିବାକୁ ଭୟ କରୁଥିଲେ । କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ଶହ ଶହ ରୋଗୀଙ୍କୁ ଭଲ କରି ମେଡ଼ିକାଲରୁ ଘରକୁ ପଠାଇବା । ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ଭାବେ ରୋଗୀ ସେବାରେ ଲାଗିଯାଇଥିଲେ । ଯାହାଫଳରେ ଆଜି ତାଙ୍କୁ ମିଳିଛି ସେବାର ଶ୍ରେଷ୍ଠ ସମ୍ମାନ । ସେ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ନର୍ସ ଶିବାନୀ ଦାଶ । ନର୍ସ ଶିବାନୀଙ୍କୁ ମିଳିଛି ଫ୍ଲୋରେନ୍ସନାଇଟ୍‌ ଏଙ୍ଗେଲ ପୁରସ୍କାର । ଆଉ ଏହି ପୁରସ୍କାର ରାଷ୍ଟ୍ରପତି ନିଜେ ତାଙ୍କୁ ପ୍ରଦାନ କରିଛନ୍ତି । ପୁରସ୍କାର ପାଇ ବ୍ରହ୍ମପୁରକୁ ଫେରିବା ପରେ ତାଙ୍କ ସହକର୍ମୀଙ୍କଠାରୁ ଆରମ୍ଭ କରି ନର୍ସମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି ।



ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଶିବାନୀ । କାରଣ ଏହି ପୁରସ୍କାର ଏମକେସିଜି ମେଡ଼ିକାଲର ଇତିହାସରେ ପ୍ରଥମ । ଗତ ୭ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସ ଶିବାନୀଙ୍କୁ ଏହି ପୁରସ୍କାର ଦେଇଛନ୍ତି । ଲୋଚାପଡ଼ା ମେଇନରୋଡ଼ର ବାସିନ୍ଦା ହେଉଛନ୍ତି ନର୍ସ ଶିବାନୀ ଦାଶ । ୨୦୦୭ ମସିହାରୁ ସେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ନର୍ସ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଏହା ପୂର୍ବରୁ ସେ କଲିକତାରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ ।



ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କୁ ସେବା ଯୋଗାଇ ଦେବାରେ ସର୍ବଦା ଆଗରେ ରହୁଥିବା ଶିବାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଶିବାନୀ କୋରୋନା ସମୟରେ ନିଜର ନିରନ୍ତର ସେବା ପାଇଁ ବେଶ ଚର୍ଚ୍ଚାରେ ରହି ଆସିଥିଲେ । ଶୀତଳାପଲ୍ଳୀ କୋଭିଡ଼ ହସ୍‌ପିଟାଲରେ ଦିନ ରାତି ଏକ କରି କୋଭିଡ଼ ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । ନିଜେ ସୁରକ୍ଷିତ ରହି ମହାମାରୀରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଅନେକ ରୋଗୀଙ୍କୁ ସୁସ୍ଥ ମଧ୍ୟ କରିଥିଲେ । ଏହାସହିତ ଏମକେସିଜି କୋଭିଡ଼ ହସ୍‌ପିଟାଲରେ କୋରୋନା ରୋଗୀଙ୍କ ଦାଢ଼ି କାଟିବା, ମୁଣ୍ଡ କୁଣ୍ଡାଇଦେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା କରିଥିଲେ ଶିବାନୀ । ସେହିପରି ଏମକେସିଜି ମେଡ଼ିକାଲର ବିଭିନ୍ନ ଓ୍ବାର୍ଡ଼ରେ ରହିଥିବା ଅସହାୟ ରୋଗୀଙ୍କୁ ସେ ଉଚିତ ଚିକିତ୍ସା ସେବା ଯୋଗାଇଦେଉଥିଲେ ।

‘‘ନିଷ୍ଠାପର ସେବା ରୋଗୀଙ୍କୁ ଯୋଗାଇ ଦେଇଥିବା ଯୋଗୁଁ ବର୍ତ୍ତମାନ ଏଭଳି ସମ୍ମାନଜନକ ନେସନାଲ୍‌ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ମିଳିଛି । ଏହି ପୁରସ୍କାର ମନୋବଳକୁ ଆହୁରି ଦୃଢ଼ କରିଛି । ଏଭଳି ସେବା ଚାକିରୀ ଜୀବନ ଶେଷ ହେବା ପରେ ମଧ୍ୟ ଜାରି ରଖିବି ଓ ଶରୀରରେ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଏଭଳି ସେବା ଲୋକଙ୍କୁ ଯୋଗାଇ ଆସୁଥିବି ବୋଲି କହିଛନ୍ତି,‘‘ ନର୍ସ ଶିବାନୀ ଦାଶ । ନର୍ସ ଶିବାନୀ ଦିଲ୍ଲୀରୁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବା ପରେ ତାଙ୍କୁ ବ୍ରହ୍ମପୁର ସହରରେ ତାଙ୍କ ସହକର୍ମୀ ଓ ଅନ୍ୟ ନର୍ସ ମାନେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଶିବାନୀଙ୍କ ସହ ରହୁଥିବା ସହକର୍ମୀ ଜି. ପଦ୍ମାବତୀ ଦୋରା ।
‘‘ଶିବାନୀଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଏଭଳି ପୁରସ୍କାର ମିଳିବା କେବଳ ଯେ ଶିବାନୀଙ୍କ ପାଇଁ ଗର୍ବର କଥା ତାହା ନୁହେଁ । ବରଂ ଏମକେସିଜି ମେଡ଼ିକାଲ ଓ ନର୍ସ ମାନଙ୍କ ପାଇଁ ମଧ୍ୟ ଗର୍ବର କଥା । କାରଣ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ଏମକେସିଜି ମେଡ଼ିକାଲର ଇତିହାସରେ ପ୍ରଥମ । ଶିବାନୀଙ୍କ ଏଭଳି ସେବା ଦ୍ବାରା ପୁରସ୍କାର ପାଇବାକୁ ଦେଖି ଅନ୍ୟ ନର୍ସ ମାନେ ତାଙ୍କ ଦ୍ବାରା ନିଶ୍ଚିତ ଭାବେ ପ୍ରେରଣା ପାଇବେ ।
Published by:Soubhagya Mishra
First published: