ନବୀନ ପଟ୍ଟନାୟକଙ୍କ ସେଇ ୨୫୦ ଟଙ୍କା ସବୁ ଦିନ ପାଇଁ ସାଇତି ରଖିବେ ମୟୂରଭଞ୍ଜର କୁନି ମହାନ୍ତ

ନବୀନ ପଟ୍ଟନାୟକଙ୍କ ସେଇ ୨୫୦ ଟଙ୍କା ସବୁ ଦିନ ପାଇଁ ସାଇତି ରଖିବେ ମୟୂରଭଞ୍ଜର କୁନି ମହାନ୍ତ
ମୁଖ୍ୟମନ୍ତ୍ରୀଙ୍କ ହାତରୁ ପାଇଥିବା ୨୫୦ ଟଙ୍କା ଦେଖାଉଛନ୍ତି କୁନି ମହାନ୍ତ ।
  • News18 Odia
  • Last Updated: December 12, 2019, 5:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ହାତରୁ ପାରିଶ୍ରମିକ ରୂପେ ମିଳିଥିବା ଦୁଇଟି ନୋଟ୍‌ (ଟଙ୍କା) ସେହି ଟଙ୍କାର ବର୍ତ୍ତମାନର ବଜାର ମୂଲ୍ୟ ଠାରୁ ଯେ ସହସ୍ର ଗୁଣ ଅଧିକ, ତାହା ସେ ଟଙ୍କା ଗ୍ରହଣ କରିଥିବା ବ୍ୟକ୍ତି ହିଁ ଜାଣନ୍ତି ।

ରାଜଧାନୀର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ଷ୍ଟଲ୍‌ରୁ ଖଜୁରୀ ପତ୍ରରେ ତିଆରି ସପିଂ ବ୍ୟାଗଟିଏ କିଣିଲେ । ଗୋଷ୍ଠୀ ସଂପାଦିକା କୁନି ମହାନ୍ତଙ୍କୁ ବ୍ୟାଗ୍‌ର ଦାମ୍‌ ବାବଦରେ ୨୫୦ ଟଙ୍କା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ହାତରୁ ୨୫୦ ଟଙ୍କା ନେଇ କୁନି ଏତେ ଖୁସି ଯେ ସେ ଏଇ ଟଙ୍କାକୁ କେବେ ବି ଖର୍ଚ୍ଚ କରିବେ ନାହିଁ ବୋଲି କହିଛନ୍ତି ।

‘‘ଏଇ ଅଳ୍ପ ଟଙ୍କାତକ ଓ ସେଇ ମୁହୂର୍ତ୍ତଗୁଡ଼ିକର ମୂଲ୍ୟ ମୋ’ ପାଇଁ ଏତେ ବେଶୀ ଯେ ମୁଁ ବର୍ଣ୍ଣନା କରି ପାରିବି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ତାର୍ଳାପ ମୋ’ର ସବୁଦିନ ପାଇଁ ମନେ ରହିବ । ଯେତେ ଅସୁବିଧା ଆସୁ ପଛେ, ମୁଖ୍ୟମନ୍ତ୍ରୀ ଦେଇଥିବା ଏଇ ଅର୍ଥକୁ ମୁଁ କେବେ ବି ଖର୍ଚ୍ଚ କରିବି ନାହିଁ । ଆମ ସଙ୍ଗଠନ (ନାରୀ ଜାଗରଣ ମହିଳା ଉତ୍ପାଦ ଗୋଷ୍ଠୀ) ପାଖରେ ସବୁ ଦିନ ପାଇଁ ରହିବ ନବୀନ ପଟ୍ଟନାୟକ ମୋ’ ହାତରେ ଦେଇଥିବା ଏଇ ୨୫୦ ଟଙ୍କା,’’ କହିଛନ୍ତି କୁନି ମହାନ୍ତ ।

କୁନି ମହାନ୍ତଙ୍କ ଠାରୁ ଖଜୁରୀ ପତ୍ରରେ ତିଆରି ବ୍ୟାଗ୍ କିଣୁଛନ୍ତି ମୁଖ୍ୟମନ୍ତ୍ରୀ ।


ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ‘ନାରୀ ଜାଗରଣ ମହିଳା ଉତ୍ପାଦ ଗୋଷ୍ଠୀ’ ନାଁରେ ସ୍ୱୟଂ ସହାୟତା ସମୂହ ଚ଼ଳେଇଥିବା କୁନି ମହାନ୍ତଙ୍କ ସହିତ ବ୍ୟାଗ୍‌ କିଣିବା ବେଳେ ଅଳ୍ପ କିଛି ସମୟ କଥାବାର୍ତ୍ତା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ବ୍ୟାଗ କେଉଁଥିରେ ତିଆରି ହୋଇଛି, କେତେ ଦିନ ଲାଗୁଛି ତିଆରି କରିବାକୁ, ତାଙ୍କର କେତେ ଜଣିଆ ସମୂହ, ଏମିତି କିଛି ପ୍ରଶ୍ନ ହିନ୍ଦୀରେ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ସବୁ ପ୍ରଶ୍ନର ଉତ୍ତର ଓଡିଆରେ ଦେଇଥିଲେ କୁନି ମହାନ୍ତ ।

ତାଙ୍କ ନେତୃତ୍ୱରେ ଚାଲିଥିବା ସ୍ବଂୟ ସହାୟକ ଗୋଷ୍ଠୀରେ ୪୦ଜଣ ମହିଳା କାମ କରନ୍ତି । ହାତ ତିଆରି ବିଭିନ୍ନ ସାମଗ୍ରୀ ବନେଇ ସେମାନେ ମାସକୁ ରୋଜଗାର କରୁଛନ୍ତି ୧୦ ହଜାର ଟଙ୍କା । ଦିଲ୍ଲୀ ତଥା ସାରା ରାଜ୍ୟର ବଭିନ୍ନ ମେଳାରେ ପହଞ୍ଚି ବିକ୍ରି କରୁଛନ୍ତି ସେଇ ସାମଗ୍ରୀ ସବୁ ।

ଡିସେମ୍ବର ୫ରୁ ଚାଲିଥିବା ପ୍ରଥମ ମିଶନ ଶକ୍ତି ମେଳାରେ ୨୦୨ ଟି ଷ୍ଟଲ ପଡି଼ଛି । ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଓ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ହେବା ସହ ବିକ୍ରି ବି ହେଉଛି । ଏହି ମେଳା ଗାଁ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ ଓ ବିକ୍ରୟ ପାଇଁ ବଜାର ବ୍ୟବସ୍ତା ତଥା ଖାଉଟିମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥଗୁଡିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହେଉଛି ।

ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟାଗୀମାନଙ୍କର ପ୍ରଚେଷ୍ଟାକୁ ଭୂୟଂଶୀ ପ୍ରଶଂସା କରିବା ସହିତ ଓଡି଼ଶାର ମହିଳାମାନଙ୍କର ସାମାଜିକ ଓ ଆର୍ଥନୈତିକ ସଶକ୍ତିକରଣ ଦିଗରେ ମହିଳା ଗୋଷ୍ଠୀମାନଙ୍କର ଉଲ୍ଲେଖନୀୟ ସାମୁହିକ ଅବଦାନକୁ ଅଭିନନ୍ଦନ ଜଣାଇଥିଲେ ।

ବାର୍ଷିକ ୦% ପ୍ରତିଶତ ସୁଧହାରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଋଣ (ସୁଧ ରିହାତି ଯୋଜନା) ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।
First published: December 12, 2019, 5:47 AM IST
corona virus btn
corona virus btn
Loading