ଦେଖିଲେ ଆଖି ଲାଖି ଯିବ, କିଣିଲେ ପୂରିବ ମନ: ମିଶନ୍ ଶକ୍ତି ମେଳାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବାସ୍ନା

ଶୁଖିଲା ଫଳ ଉପରେ ନାଲି ଲାଖକୁ ଗରମ କରି ତରଳାଇ ପରସ୍ତେ ଦେବା ପରେ ତା’ ଉପରେ କରାଯାଏ ଭଳିକି ଭଳି କାରୁକାର୍ଯ୍ୟ । ଦେଖିବାକୁ ବେଶ୍ ଆକର୍ଷଣୀୟ । କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ପରି ଦକ୍ଷିଣ-ପଶ୍ଚିମ ଜିଲ୍ଲାରୁ ପ୍ରଥମ ଥର ପାଇଁ ଏସବୁ ଆସିଛି ଭୁବନେଶ୍ୱରକୁ । ଦେଖିବାକୁ ଓ କିଣିବାକୁ ମିଳୁଛି ମିଶନ ଶକ୍ତି ମେଳାରେ ।

ଦେଖିଲେ ଆଖି ଲାଖି ଯିବ, କିଣିଲେ ପୂରିବ ମନ: ମିଶନ୍ ଶକ୍ତି ମେଳାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବାସ୍ନା
ମନୋହରୀ ମାଟି ହାଣ୍ଡି ଆଟିକା
  • News18 Odia
  • Last Updated: December 11, 2019, 6:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ନଡ଼ିଆ, ଗୁଆ, ବେଲ, ଅଁଳା, ପିଢ଼ା ଓ ପେଡି଼ ଉପରେ ନାଲି ଲାଖର କୋଟିଂ । ଏହା ଉପରେ ସୁନ୍ଦର କାରୁକାର୍ଯ୍ୟ । ଦେଖିଲେ ଆଖି ଲାଖି ଯାଉଛି । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଭଳି ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ଏହି ଜିନିଷ ପୂଜା କାର୍ଯ୍ୟରେ ଲାଗୁଥିବା ବେଳେ ପ୍ରଥମ ଥର ପାଇଁ ଏସବୁ ଆସିଛି ଭୁବନେଶ୍ୱରକୁ । ଦେଖିବାକୁ ଓ କିଣିବାକୁ ମିଳୁଛି ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ପ୍ରଥମ ମିଶନ ଶକ୍ତି ମେଳାରେ ।

ଶୁଖିଲା ଫଳ ଉପରେ ନାଲି ଲାଖକୁ ଗରମ କରି ତରଳାଇ ଏକ ପରସ୍ତ ଦେବା ପରେ ତା ଉପରେ କରାଯାଏ ଭଳିକି ଭଳି କାରୁକାର୍ଯ୍ୟ । ଦେଖିବାକୁ ବେଶ୍ ଆକର୍ଷଣୀୟ । ରାୟଗଡ଼ା ଜିଲ୍ଲା ପଦ୍ମପୁରର ସସ୍ମିତା ସାହୁ ପରମ୍ପରାକୁ ଦେଖି ଗାଁ ଗାଁରେ ଜୀବନ ଜିବିକା ପାଇଁ ଏହାକୁ ବନେଇ ବିକ୍ରି କରୁଥିଲେ । ମିଶନ ଶକ୍ତି ଆସିବା ପରେ ୩୦ ଜଣ ମହିଳା ମିଶି ସ୍ବୟଂ ସହାୟିକା ଗୋଷ୍ଠି ଭାବେ କାମ ଆରମ୍ଭ କଲେ ।

ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମିଶନ ଶକ୍ତି ମେଳାର ଗେଟ୍‌


ଏଥିପାଇଁ ସ୍ବତନ୍ତ୍ର ତାଲିମ୍ ମଧ୍ୟ ନେଇଛନ୍ତି ସସ୍ମିତା । ୧୫ ହଜାର ଟଙ୍କାରୁ କାମ ଆରମ୍ଭ କରିଥିବାବେଳେ ଆଜି ବ୍ୟବସାୟ ପହଞ୍ଚିଲାଣି ଲକ୍ଷେ ଉପରେ । ୩୦ ଜଣ ମହିଳା ବିଭିନ୍ନ ସମୟରେ ବିଭିନ୍ନ ମେଳା ମହୋତ୍ସବକୁ ଯାଇ ବିକ୍ରି କରନ୍ତି ଏହି ସାମଗ୍ରୀ ।

ମାର୍ଗଶିର ମାସ ଗୁରୁବାରରେ ଏସବୁ ସାମଗ୍ରୀ ଅଧିକ ବ୍ୟବହାର ହେଉଥିବାବେଳେ ଧୀରେ ଧୀରେ ଅନ୍ୟ ସ୍ଥାନରେ ଏହାର ଚାହିଦା ବଢ଼ିବାରେ ଲାଗିଲାଣି । ଏମିତିକି ଜଣେ ଜଣେ ମାସିକ ୨୦ ରୁ ୩୦ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି ସସ୍ମିତା ।

‘‘ଉପକୂଳ ଓଡ଼ିଶାର ଲୋକେ ଏଭଳି ଜିନିଷ ପ୍ରଥମ ଥର ଦେଖୁଛନ୍ତି । ମିଶନ ଶକ୍ତି ମେଳାକୁ ଆସିବା ଦିନଠୁ ପାଖାପାଖି ୭୦ ରୁ ୮୦ହଜାର ଟଙ୍କାର ବ୍ୟବସାୟ ମୁଁ କରି ସାରିଲିଣି,’’ କହିଛନ୍ତି ସସ୍ମିତା ।

ସୁନ୍ଦର କାରୁକାର୍ଯ୍ୟରେ ଭରା ମେଳାରେ ମିଳୁଥିବା ସାମଗ୍ରୀସବୁ


ସେହିଭଳି ବଲାଙ୍ଗୀରର କାହ୍ନା ମହିଳା ସ୍ବୟଂସହାୟିକା ଗୋଷ୍ଠି ଦ୍ବାରା ତିଆରି ହାଣ୍ଡି ଆଟିକା ଉପରେ ସଭିଙ୍କ ନଜର । ହାଣ୍ଡି ମଟନ୍ ହେଉ କି ଚିକେନ୍ ହେଉ ବା ବିରିୟାନି । ମାଟି ପାତ୍ରରେ ପ୍ରସ୍ତୁତ କରି ଖାଇବାର ସ୍ବାଦ ନିଆରା । ସେଇଥି ପାଇଁ ତ ମାଟି ହାଣ୍ଡି ଆଟିକା କିଣିବାକୁ ଲାଗିଛି ଭିଡ଼ ।

ଦଶ ଜଣ ମହିଳା ମିଶି ମାଟି ହାଣ୍ଡି ବିକ୍ରି କରିବା ଆରମ୍ଭ କରିଥିଲେ । ମିଶନ୍ ଶକ୍ତିରୁ ସ୍ବତନ୍ତ୍ର ଟ୍ରେନିଂ ପାଇବା ପରେ ୫୦ହଜାର ଟଙ୍କା ଋଣ କରି ଆରମ୍ଭ କରିଥିଲେ ବ୍ୟବସାୟ । ଆଜି ୩ ଲକ୍ଷ ଟଙ୍କାରେ ପହଞ୍ଚିଛି ସେମାନଙ୍କ ବ୍ୟବସାୟ ।

‘‘ମିଶନ ଶକ୍ତି ମେଳାରେ ସ୍ବତନ୍ତ୍ର ଷ୍ଟଲ ପାଇ ଆମେ ବେଶ୍ ଖୁସି । ଏଭଳି ବଜାର ଆମେ ଆଗରୁ କେବେ ପାଇନୁ । ପାଞ୍ଚ ଦିନରେ ଲକ୍ଷେ ଟଙ୍କାର ବେପାର ହେଲାଣି । ହାଣ୍ଡି ଆଟିକା ପ୍ରତି ଏଠିକା ଲୋକଙ୍କ ଆଗ୍ରହ ବହୁତ,’’ କହିଛନ୍ତି କାହ୍ନା ସ୍ବୟଂସହାୟିକା ମହିଳା ଗୋଷ୍ଠିର ସଦସ୍ୟା ସୁତଲା ରଣା ।
First published: December 11, 2019, 6:13 PM IST