‘ମିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ, କେବଳ ମହିଳା ସ୍ୱୟଂ ସହାୟତା ସମୂହ ପାଇଁ କାମ କରିବ

ଅପହଞ୍ଚ ଇଲାକାରେ ପୁଷ୍ଟି ସାଧନର ପ୍ରଗତି ପାଇଁ ‘ସୋପାନ’ ନାଆଁରେ ଏକ ଆଧୁନିକ ଯୋଜନା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ରାଜ୍ୟର ୨୨ଟି ଜିଲ୍ଲାରେ ୧୨୫ଟି ପ୍ରକଳ୍ପରେ ଏହି ବ୍ୟବସ୍ଥା କାମ କରିବ ।

‘ମିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ, କେବଳ ମହିଳା ସ୍ୱୟଂ ସହାୟତା ସମୂହ ପାଇଁ କାମ କରିବ
ଏକ ସ୍ୱୟଂ ସହାୟତା ସମୂହରେ କାର୍ଯ୍ୟରତ ମହିଳା
  • News18 Odia
  • Last Updated: March 9, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟର ମହିଳାମାନଙ୍କୁ ସ୍ବତନ୍ତ୍ର ଉପହାର ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ମହିଳାମାନଙ୍କର ସ୍ୱୟଂ ସହାୟତା ସମୂହଗୁଡ଼ିକର (ଏସ୍‌.ଏଚ୍‌.ଜି.) ବିକାଶ ପାଇଁ କାମ କରୁଥିବା ସରକାରୀ ଯୋଜନା ତଥା ସଂସ୍ଥା ‘ମିଶନ ଶକ୍ତି’କୁ ଏକ ସ୍ବତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି ସେ ।

ଲୋକସେବା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହରେ ଏହି ଘୋଷଣା କରି ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ୭୦ ଲକ୍ଷ ଏସ୍‌.ଏଚ୍‌.ଜି. ମହିଳାଙ୍କ ବିକାଶ ପାଇଁ ଏଣିକି ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ମିଶନ ଶକ୍ତି ବିଭାଗ ।  ଏହି ଘୋଷଣା ପରେ ମହିଳାଙ୍କ ଏସ୍‌.ଏଚ୍‌.ଜି. ପାଇଁ ସ୍ବତନ୍ତ୍ର ବିଭାଗ ଖୋଲିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ପାଇଛି । ‘ମିଶନ ଶକ୍ତି’ ଯୋଜନା ରାଜ୍ୟରେ ମହିଳାଙ୍କ ସଶକ୍ତିକରଣରେ ପ୍ରମୁଖ ଭୂମିକା ନିଭେଇଛି ।

ମିଶନ ଶକ୍ତି ବିଭାଗ ସ୍ବୟଂ ସହାୟକ ମହିଳାଙ୍କ ଆର୍ଥିକ ବିକାଶ, ମାର୍କେଟ ଲିଙ୍କେଜ୍‌ ସହ ସରକାରରେ କିପରି ମହିଳାଙ୍କ ଭାଗୀଦାରୀ ବଡ଼ିବ ସେ ନେଇ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ।  ଅପହଞ୍ଚ ଇଲାକାରେ ପୁଷ୍ଟି ସାଧନର ପ୍ରଗତି ପାଇଁ ‘ସୋପାନ’ ନାଆଁରେ ଏକ ଆଧୁନିକ ଯୋଜନା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ । ରାଜ୍ୟର ୨୨ଟି ଜିଲ୍ଲାରେ ୧୨୫ଟି ପ୍ରକଳ୍ପରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ ।

୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ୬ ବର୍ଷରୁ କମ୍‌ ଶିଶୁ ଓ ଗର୍ଭବତୀ ତଥା ପ୍ରସୂତି ମହିଳାଙ୍କୁ ସୋପାନ ମାଧ୍ୟମରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ଥା, ୩ ବର୍ଷରୁ କମ ଶିଶୁଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟିଗତ ପରିଚାଳନା, ଘରକୁ ଦିଆଯାଉଥିବା ଖାଦ୍ୟ ଓ ରନ୍ଧା ଖାଦ୍ୟକୁ ଅଧିକ ଭିଟାମିନ ଓ ପୁଷ୍ଟିଯୁକ୍ତ କରାଇବା, ପୁଷ୍ଟିହୀନତା ବିରୋଧରେ ଲୋକଙ୍କୁ ସଚେତନ କରାଇବା, ଅପହଞ୍ଚ ଇଲାକା ପାଇଁ ‘ପୁଷ୍ଟି ସଖୀ’ ନାମରେ ଗୋଷ୍ଠୀଗତ ମାନବ ସମ୍ବଳ ମୁତୟନ କରି ପୁଷ୍ଟି ସାଧନରେ ଉନ୍ନତି ଆଣିବା, ପୁଷ୍ଟି ସାଧନରେ ପଞ୍ଚାୟତକୁ ସାମିଲ କରି ଉନ୍ନତ ପଞ୍ଚାୟତକୁ ପୁରସ୍କାର ଦେବା ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁଷ୍ଟି ସାଧନରେ ସାମିଲ କରିବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଆଇ.ସି.ଡ଼ି.ଏସ୍‌. ପ୍ରକଳ୍ପ ସହିତ ‘ସୋପାନ’ କାର୍ଯ୍ୟକ୍ରମ ଚାଲୁ ରହିବ  ।

‘ମିଶନ ଶକ୍ତି’କୁ ଏକ ସ୍ବତନ୍ତ୍ର ବିଭାଗ ଭାବେ ଘୋଷଣା କରୁଛନ୍ତି ନବୀନ ପଟ୍ଟନାୟକ ।


‘‘ଚଳିତ ବର୍ଷ ଆମ ସରକାର ନ୍ୟୁଟ୍ରିସନ ବଜେଟ ଆଣିଛି, ଯେଉଁଥିରେ ମହିଳା ଓ ଶିଶୁଙ୍କୁ ଫୋକସ୍‌ କରାଯାଇଛି । ମହିଳା ସଶକ୍ତିକରଣରେ ଓଡ଼ିଶା ଆଗୁଆ ହୋଇ ପାରିଛି । ୭୦ ଲକ୍ଷ ମହିଳାଙ୍କ ପାଇଁ ଏସ୍‌.ଏଚ୍‌.ଜି. ତିଆରି ହୋଇଛି ଓ ୫୦ ପ୍ରତିଶତ ସଂରକ୍ଷଣ ସେମାନଙ୍କୁ ଶସକ୍ତ କରିଛି । ଦୁତି ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ପରି ଓଡ଼ିଆ ନାରୀ ରାଜ୍ୟ ପାଇଁ ଗୌରବ ଆଣିବା ସହ ସାରା ଦେଶର ମହିଳାଙ୍କ ପାଇଁ ଆଦର୍ଶ ହୋଇଛନ୍ତି । ମହିଳାଙ୍କ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧତାର ସହ କାମ କରୁଛି ଓ ଆଗକୁ କାମ କରିବ,’’ ଏହି ରାଜ୍ୟସ୍ତରୀୟ ସମାରୋହରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ମିଶନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତିକେୟନ କହିଛନ୍ତି: ‘‘ରାଜ୍ୟରେ ମିଶନ ଶକ୍ତି ଏକ ବିପ୍ଳବରେ ପରିଣତ ହୋଇଛି । କେବଳ ମହିଳାଙ୍କ ଆର୍ଥିକ ବିକାଶ ନୁହେଁ, ସରକାରଙ୍କ ସବୁ କାର୍ଯ୍ୟରେ କିପରି ମହିଳାଙ୍କୁ ସାମିଲ କରାଯାଇ ପାରିବ ସେ ନେଇ ଉଦ୍ୟମ କରାଯାଉଛି ।’’

କାର୍ଯ୍ୟକ୍ରମ ଶେଷରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ତିନିଟି ଜିଲ୍ଲାକୁ – କେନ୍ଦ୍ରାଞ୍ଚଳରୁ ମୟୁରଭଞ୍ଜ, ଉତ୍ତରାଞ୍ଚଳରୁ ଢ଼େଙ୍କାନାଳ ଓ ଦକ୍ଷିଣାଞ୍ଚଳରୁ ଗଜପତି – ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ତିନିଟି ସ୍ବୟଂ ସହାୟକ ଗୋଷ୍ଠୀକୁ ବି ପୁରସ୍କୃତ କରିଥିଲେ ମୁଖ୍ୟ ମନ୍ତ୍ରୀ ।
First published: March 9, 2020, 12:16 AM IST