News18 Odia Digital
ଭୁବନେଶ୍ୱର: ଭୁବନେଶ୍ବର ସହରାଞ୍ଚଳ ପୁଲିସ ଡି.ସି.ପି.ଙ୍କ କାର୍ଯ୍ୟାଳୟ ପରିସରରେ 'ପ୍ରାରମ୍ଭ' ( PRARAMBH - Preventive and Restorative Assistance for Rescued Adults and Minors in Bhubaneswar ) ଅଫିସ ଗୃହର ଉଦଘାଟନ ହୋଇଯାଇଛି । ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ, ସାଂସଦ ତଥା KISS & KIIT ର ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତ , ଭୁବନେଶ୍ବର ଓ କଟକର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ , ଅତିରିକ୍ତ କମିଶନର ଶ୍ରୀ ନୀତିଶେଖର , ଡି.ସି.ପି ଭୁବନେଶ୍ବର ଡ଼.ଉମାଶଙ୍କର ଦାସ , ଏସ.ଏନ.ଏମ୍ ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ପ୍ରବୋଧ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।
ବିଭିନ୍ନ ଅପରାଧରେ ସମୁଖୀନ ହେଉଥିବା ପୀଡ଼ିତାମାନଙ୍କୁ ରୋକିବା ଓ ଉଦ୍ଧାର କରିବା ପାଇଁ ମିଶନ 'ପ୍ରାରମ୍ଭ' ଏକ ପ୍ରଶଂସନୀୟ ପଦକ୍ଷେପ।"ପ୍ରାରମ୍ଭ" ଅଭିଯାନର ଲକ୍ଷ୍ୟ ହାସଲ କରିବା ନିମନ୍ତେ, ଭୁବନେଶ୍ବରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ସମ୍ପୂର୍ଣ୍ଣ ଅଭିଜ୍ଞ ଦଳ ୨୦୨୧ ମସିହା ଅକ୍ଟୋବର ମାସରୁ କାର୍ଯ୍ୟ କରିଆସୁଛନ୍ତି । ଏହି ଅଭିଯାନରେ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟାକୁ ହ୍ରାସ କରିବାରେ ଓ ବିଚରାଧୀନ ମାମଲାରୁ ଉଦ୍ଧାର ହୋଇଥିବା ପୀଡ଼ିତାଙ୍କ ସଂଖ୍ୟା ବୃଦ୍ଧିରେ ପ୍ରଗତିଶୀଳ ଫଳାଫଳକୁ ଦେଖିବା ପରେ କିସ୍ ଫାଉଣ୍ଡେସନ୍ ଏବଂ ଏସ୍.ଏନ. ମହାନ୍ତି ଚାରିଟେବୁଲ୍ ଟ୍ରଷ୍ଟର ସହାୟତାରେ ୦୯ ଏପ୍ରିଲ ୨୦୨୨ରେ 'ପ୍ରାରମ୍ଭ' ୟୁନିଟ୍ ଉଦଘାଟନ କରାଯାଇଥିଲା ।
ଗତ ବର୍ଷ ମେ ମାସରୁ ଡି.ସି.ପି ଅଫିସ , ଭୁବନେଶ୍ବରେରେ ଗଠିତ ହୋଇଥିବା Kidnapping ଓ Man Missing Cell ୨୦୦୮ ମସିହାରୁ ରାଜଧାନୀ ର ବିଭିନ୍ନ ଥାନା ମାନଙ୍କରେ ରୁଜୁ ହୋଇଥିବା ଅପହରଣ ମାମଲାର ତଦନ୍ତରେ ତଦନ୍ତକାରି ଅଫିସର ମାନଙ୍କୁ ଉଚିତ ସହାୟତା ଯୋଗାଇ ଆସୁଛି । ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ସେଲ 'ପ୍ରାରମ୍ଭ' ସହାୟତାରେ ମୋଟ ୨୪୩ଜଣ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ୧୯୮ଟି ମାମଲାର ସମାଧାନ କରିଥିଲେ । ୧୮ ବର୍ଷରୁ କମ୍ ବୟସର ନାବାଳକ ଓ ନାବାଳିକା ସ୍ବଇଚ୍ଛାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନ ଗତ ଦୃଷ୍ଟିକୋଣରୁ ଅପହରଣ ମାମଲା ରୁଜ୍ଜୁ କରାଯିବାର ପ୍ରାବଧାନ ରହିଛି ।
ଉଲ୍ଲେଖଯୋଗ୍ୟ ଯେ ବହୁତ ଜଣ ନାବାଳକ ଓ ନାବାଳିକା ସ୍ବ-ଇଛାରେ ପ୍ରେମ ସମ୍ପର୍କ କିମ୍ବା ପାରିବାରିକ ଗଣ୍ଡଗୋଳରୁ ଉତକ୍ଷିପ୍ତ ହୋଇ ଘରୁ ପଳାଇଥିଲେ। ତେଣୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ସ୍କୁଲ ଓ କଲେଜ ପିଲା ମାନଙ୍କୁ ଏହି ବାବଦରେ ସଚେତନ କରିବା ପାଇଁ 'ପ୍ରାରମ୍ଭ' ର ପ୍ରୟାସରେ ସର୍ବ ପ୍ରଥମେ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅପହରଣ ମାମଲାର ଅଭିଯୋଗକାରୀ ତଥା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପକ୍ଷରୁ ପ୍ରାରମ୍ଭ ହେଲ୍ଡଲାଇନ ନମ୍ବର ୦୬୭୪- ୨୫୪୫୪୪୫ ଜାରି କରାଯାଇଛି । ନାବାଳକ , ନାବାଳିକା କିମ୍ବା ବୟସ୍କ ବ୍ୟକ୍ତି ପ୍ରମୁଖ , ଯେଉଁମାନେ ଅପହରଣ ହୋଇଛନ୍ତି କିମ୍ଵା ନିଖୋଜ ହୋଇଯାଇଛନ୍ତି , ସେମାନଙ୍କୁ ସେମାନଙ୍କର ପରିବାରବର୍ଗଙ୍କ ପାଖକୁ ଫେରାଇ ଆଣିବା ଓ ଏପରି ପରିସ୍ଥିତିକୁ ନିରାକରଣ କରିବା ପ୍ରାରମ୍ଭର ମୁଖ୍ୟ ଉଦ୍ଦେଶ୍ୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।