News18 Odia Digital
ଢେଙ୍କାନାଳ: ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଫିଲ୍ମ ଦେଖିବା ପରେ ଅପହଞ୍ଚ ଇଲାକାରେ ପହଞ୍ଚିଲେ ଡାକ୍ତରୀ ଟିମ। କାମାକ୍ଷାନଗର ଗୁଣ୍ଡିଚାନାଳୀ ଗାଁରେ ପହଞ୍ଚି ମ୍ୟାଲେରିଆ ନିରାକରଣ ପାଇଁ ଚିକିତ୍ସା କଲେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ।
ଏଥିପାଇଁ ଡାକ୍ତରୀ ଟିମକୁ ରାମିଆଳ ନଦୀ ପାର ହୋଇ ଦୁଇ କିଲୋମିଟର ପାଦରେ ଚାଲି ଚାଲି ଯିବାକୁ ପଡ଼ିଛି। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଫିଲ୍ମ ଅଦ୍ଭୁତ ପୂର୍ବ ସଫଳତା ପାଇବା ପରେ ସେଥିରେ ଉତ୍ସାହିତ ହୋଇ ରିଅଲ ଲାଇଫରେ କାମରେ ଲାଗିପଡ଼ିଛନ୍ତି ସ୍ୱାସ୍ଥ୍ୟ ବିଭାଗ।
ଅପହଞ୍ଚ ଇଲାକାକୁ ଯାଇ ମ୍ୟାଲେରିଆ ନିରାକରଣ ପାଇଁ ଲୋକଙ୍କ ଚିକିତ୍ସା କରିବା ସହ ସେବା କରୁଛନ୍ତି ଡାକ୍ତରୀ ଟିମ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର ଅପହଞ୍ଚ ଇଲାକା ଗୁଣ୍ଡିଚା ନାଳୀ ମାଝି ସାହିରେ ପହଞ୍ଚିଛନ୍ତି ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ। ଆଦିବାସୀ ଅଧ୍ୟୁଷିତ ଏହି ଅପହଞ୍ଚ ଇଲାକାରେ ଡାକ୍ତରୀ ଟିମର ମ୍ୟାଲେରିଆ ନିରାକରଣ ପାଇଁ ‘ମିଶନ ଦମନ’ ଏବେ ସବୁଠି ପ୍ରଶଂସା ସାଉଁଟୁଛି।
ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମେଡିକାଲ ଅଫିସର ପ୍ରମିଲ ପ୍ରଧାନଙ୍କ ନେତୃତ୍ୱରେ ଏହି ଟିମ ଅପହଞ୍ଚ ଇଲାକାରେ ‘ମିଶନ ଦମନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କାମାକ୍ଷାନଗର ଉପଖଣ୍ଡ କାର୍ଯାଳୟ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ଗୁଣ୍ଡିଚାନାଳୀ ଗ୍ରାମ। ଗାଁ ଭିତରକୁ ଯିବାକୁ ହେଲେ ରାମିଆଳ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ। ଆଉ ବର୍ଷା ଦିନ ଆସିଲେ ଏହି ଗ୍ରାମଟି ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼େ।
ମ୍ୟାଲେରିଆ ନିରାକରଣ ପାଇଁ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ ଏହି ରାମିଆଳ ନଦୀ ପାର ହୋଇଥିଲେ। ପରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଗୁଣ୍ଡିଚାନାଳୀ ଗ୍ରାମର ମାଝି ସାହିରେ ପହଞ୍ଚି ଥିଲେ। ଏଠାରେ ବସବାସ କରୁଥିବା ୭୫ଟି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଘରେ ଘରେ ମ୍ୟାଲେରିଆ ନିରାକରଣ ପାଇଁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେଇଛି ଏହି ଡାକ୍ତରୀ ଟିମ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ଢେର ପ୍ରଶଂସା ସାଉଁଟିଛି ଡାକ୍ତରୀ ଦଳ।
ଦୀର୍ଘ ବର୍ଷ ହେବ ଏଠିକାର ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ସାଜିଛି ରାମିଆଳ ନଦୀ। ନଦୀ ଉପରେ ପୋଲ ଖଣ୍ଡେ ନଥିବାରୁ ବର୍ଷା ଦିନେ ବିପଦଜନକ ଭାବରେ ଉଛୁଳା ନଦୀ ପାର ହେବାକୁ ପଡ଼ିଥାଏ। ପାଖ ବାଉଁଶପାଳ ଦେଇ ଅନ୍ୟ ଏକ ରାସ୍ତା ଥିଲେ ମଧ୍ୟ ତାହା ବହୁ ଦୁର ଓ ପଥୁରିଆ ଦୁର୍ଗମ ରାସ୍ତା ହୋଇଥିବାରୁ ସେହି ବାଟ ଦେଇ ଯାତାୟାତ କରିବା ଅସମ୍ଭବ ବୋଲି କହିଛନ୍ତି ଗ୍ରାମବାସୀ। ଏଭଳି ଅବସ୍ଥାରେ ଦିନ କାଟୁଥିବା ମାଝି ସାହି ବାସିନ୍ଦାଙ୍କ ନିକଟରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା କରାଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମାଝି ସାହି ବାସିନ୍ଦା।
ରାମିଆଳ ନଦୀ ଉପରେ ଏକ ସେତୁ ପାଇଁ ଗୁଣ୍ଡିଚାନାଳୀ ମାଝି ସାହି ବାସିନ୍ଦା ବାରମ୍ବାର ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା କହିଛନ୍ତି ଗ୍ରାମବାସୀ। ଯେଉଁଥି ପାଇଁ ଜରୁରୀକାଳୀନ ମେଡିକାଲ ସେବା ପାଇବାରୁ ସେମାନେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ରାମିଆଳ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ସେମାନେ ଦାବୀ କରିଛନ୍ତି।
୨୦୧୭ରୁ ସରକାରଙ୍କ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଏହି ମିଶନ ଦମନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚି ଚିକିତ୍ସା ଯୋଗାଇ ଦିଆଯାଉଛି। ଯାହା ଦ୍ୱାରା ମେଡିକାଲ ପର୍ଯ୍ୟନ୍ତ ସୁବିଧାରେ ପହଞ୍ଚି ପାରୁ ନଥିବା ଲୋକମାନେ ଏହାର ସୁବିଧା ପାରୁଛନ୍ତି ବୋଲି କହିଛନ୍ତି ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡକ୍ଟର ପ୍ରମିଲ ପ୍ରଧାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।