ବିଜୁଳି ତାର ଅଘଟଣ ବଢ଼ୁଛି: ଗଞ୍ଜାମରେ ଜେଜିମା’ ଓ ନାତିର ମୃତ୍ୟୁ; ରାୟଗଡ଼ାରେ ଛାତ୍ର ଗୁରୁତର

ରାୟଗଡ଼ାରେ ସ୍କୁଲ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରର ଗୋଡ, ହାତ ଓ ଶରୀରର ଅନ୍ୟ କିଛି ଅଂଶ ପୋଡ଼ିଯାଇଥିଲା । ବିଦ୍ୟୁତ ତାର ଯୋଗୁଁ ପିଲାମାନଙ୍କୁ ଥିବା ବିପଦ ବିଷୟରେ ବିଦ୍ୟୁତ ବିଭାଗକୁ ଅନେକ ଥର ଜଣାଇବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ।

ବିଜୁଳି ତାର ଅଘଟଣ ବଢ଼ୁଛି: ଗଞ୍ଜାମରେ ଜେଜିମା’ ଓ ନାତିର ମୃତ୍ୟୁ; ରାୟଗଡ଼ାରେ ଛାତ୍ର ଗୁରୁତର
ରାୟଗଡ଼ାରେ ଆହତ ଛାତ୍ରର ଚ଼ିକିତ୍ସା କରାଯାଉଛି ।
  • News18 Odia
  • Last Updated: February 12, 2020, 9:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର/ରାୟଗଡ଼ା: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ମେଣ୍ଡରାଜପୁରରେ ବିଦ୍ୟୁତ ତାର ଲାଗି ବସ୍ ଜଳିଯିବା ଓ ୧୦ ଜଣ ଲୋକ ପ୍ରାଣ ହରେଇବା ଘଟଣା ପରେ ରାଜ୍ୟରେ ବିଦ୍ୟୁତ ତାର ଜନିତ ଅଘଟଣ ବଢ଼ୁଥିବା ପରି ଲାଗୁଛି । ସେହି ଗଞ୍ଜାମ ଜିଲ୍ଲାରେ ଆଜି ବିଦ୍ୟୁତ ଆଘାତରେ ଜଣେ ବୟସ୍କା ମହିଳା ଓ ତାଙ୍କ ନାତିଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରେ ଜଣେ ଛାତ୍ର ଗୁରୁତରଭାବେ ଆହତ ହୋଇଛି ।

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା କୋକଲୁଣ୍ଡା ଗାଁରେ ନିଜ ଘର ଦାଣ୍ଡରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ମହିଳା ଶିଶୁଳା ଜେନା ଓ ତାଙ୍କ ନାତି ରାଜେଶ ଜେନା । ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବକୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ ତାର କେମିତି ଏତେ ତଳକୁ ଆସିଲା ତାକୁ ନେଇ ଚାଲିଛି ଖୋଳତାଡ । ଗାଁରେ ଯାଇଥିବା ବିଦ୍ୟୁତ ତାର ସହ ଲୁଗା ଶୁଖାଇଥିବା ତାର କେମିତି ଚ଼ାର୍ଜ ହେଲା ତାହା କେହି ଠିକରେ କହି ପାରୁନାହାନ୍ତି ।

ରାୟଗଡ଼ାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି‌ ଜଣେ ଛାତ୍ର ଗୁରୁତରଭାବେ ଆହତ ହୋଇଛି । କୋଲନରା ବ୍ଲକ ଅନ୍ତର୍ଗତ ଡୁମୁରିଗୁଡ଼ା ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଏହି ଛାତ୍ରକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଛାତ୍ର ପ୍ରବୀଣ ହୁଇକା ମଧ୍ୟାହ୍ନ ଭୋଜନ ପରେ ଖେଳୁଥିବା ବେଳେ ସ୍କୁଲ ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ତାକୁ ଅଘାତ ଲାଗିବା ସହ ତା’ର ବାମ ଗୋଡ, ହାତ ଓ ଶରୀରର ଅନ୍ୟ କିଛି ଅଂଶ ପୋଡ଼ିଯାଇଛି । ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରକୁ ହସ୍ପିଟାଲକୁ ଆଣି ଚ଼ିକିତ୍ସା ବ୍ୟବସ୍ଥା କରାଇଛନ୍ତି ।

ତେବେ ସ୍କୁଲ ଉପର ଦେଇ ବିଦ୍ୟୁତ ତାର ଯାଇଥିବା ଯୋଗୁଁ ପିଲାମାନଙ୍କୁ ସର୍ବଦା ରହୁଥିବା ବିପଦ ବିଷୟରେ ସ୍କୁଲ୍‌ କର୍ତ୍ତୃପକ୍ଷ ବିଦ୍ୟୁତ ବିଭାଗକୁ ଅନେକ ଥର ଜଣାଇଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ସ୍କୁଲ୍‌ ଉପରୁ ତାର ତୁରନ୍ତ ହଟାଇବା ଓ ଏ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
First published: February 12, 2020, 9:06 PM IST
corona virus btn
corona virus btn
Loading