News18 Odia Digital
କଟକ: ସମଗ୍ର ରାଜ୍ୟ ଆଜି ପ୍ରେମ ଓ ଭାଇଚାରାର ପର୍ବ ହୋଲିକୁ ଏକ ଉତ୍ସବ ଭାବେ ପାଳନ କରୁଥିବା ବେଳେ କଟକ ଆଠଗଡ଼ରେ ହୋଲିରେ ପଡ଼ିଛି ରକ୍ତର ଛିଟା। ଦୁଇ ପରିବାର ମଧ୍ୟରେ ଥିବା ବିବାଦ ହିଂସାତ୍ମକ ରୂପ ନେବା ସହ ଏହି ହିଂସାକାଣ୍ଡରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇ ଜଣ ଆହତ ହୋଇଛନ୍ତି।
ଘଟଣାଟି ଘଟିଛି ଆଠଗଡ଼ ତିଗିରିଆ ଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ। ମୃତକଙ୍କ ନାଁ ହେଉଛି ଚିନ୍ତାମଣି ବେହେରା। ପେସାରେ ଜଣେ ପାଉରୁଟି ବ୍ୟବସାୟୀ ଥିବା ଚିନ୍ତାମଣି ତାଙ୍କ ମୁଣ୍ଡିଆ ସାହି ସ୍ଥିତ ବାସଭବନରେ ଥିବା ବେଳେ ଆଜି ସକାଳୁ ସକାଳୁ ସ୍ଥାନୀୟ ଏକ ପରିବାର ଚାରି ଜଣ ସଦସ୍ୟ ତାଙ୍କ ଉପରେ କଟୁରୀ ଓ ଟାଙ୍ଗିଆ ଭଳି ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଚିନ୍ତାମଣିଙ୍କ ମୃତ୍ୟୁ ହୋଇଯାଇଥିଲା।
ଚିନ୍ତାମଣିଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ତାଙ୍କ ପତ୍ନୀ ଓ ଝିଅ ଉଦ୍ୟମ କରିବାରୁ ଆକ୍ରମଣକାରୀମାନେ ସେ ଦୁଇ ହିଁଙ୍କୁ ମଧ୍ୟ କ୍ଷତାକ୍ତ କରିଥିଲେ। ବେଶ କିଛି ସମୟରେ ଧରି ରକ୍ତର ହୋଲି ଖେଳିବା ପରେ ଆକ୍ରମଣକାରୀମାନେ ସେଠାରୁ ଚାଲିଯାଇଥିଲେ। ସେପଟେ ଆହତ ହୋଇଥିବା ଦୁଇ ଜଣଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା।
ଖବର ପାଇ ତିଗିରିଆ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତ ଦେହ ଜବତ କରିବା ସହ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଛି। ତେବେ କୌଣସି ଏକ ପୂର୍ବ ଶତ୍ରୁତାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଥିଲା ଏବଂ ଏକ ନିର୍ଦ୍ଧିଷ୍ଟ କାରଣକୁ ନେଇ ଆଜି ସକାଳୁ ଏହି ବିବାଦ ତୀବ୍ର ରୂପ ନେଇଥିଲା।
"ତିଗିରିଆ ଥାନା ଅଧିକାରୀଙ୍କ ପାଖରୁ ଖବର ପାଇ ମୁଁ ଘଟଣାସ୍ଥଳରେ ପହଁଥିଲି। ଚିନ୍ତାମଣୀ ମୁଳତଃ ପାଣିକୋଇଲି ବାସିନ୍ଦା ଏବଂ ପ୍ରାୟ ୨୦ ବର୍ଷ ହେଲା ସେ ଏଠାରେ ନିଜର ପରିବାର ସହ ରହି ଆସୁଥିଲେ। କାହିଁକି ଏହି ଘଟଣା ଘଟିଲା ତା'ର ଅନୁସନ୍ଧାନ ଆରମ୍ଭ ହୋଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କୁ ଗିରଫ କରାଯିବ," କହିଛନ୍ତି କଟକ ଗ୍ରାମାଞ୍ଚଳ ପୋଲିସର ଅତିରୀକ୍ତ ଏସପି କୃଷ୍ଣଚନ୍ଦ୍ର ବେହେରା।
ପଢ଼ନ୍ତୁ ଏହି ଖବର: ନିଶ୍ବାସ ନେବାରେ ହେବ ସମସ୍ୟା; ବିଶ୍ବରେ ଆଉ ମାତ୍ର ବଞ୍ଚିଛି ଏତିକି ପ୍ରତିଶତ ବିଶୁଦ୍ଧ ବାୟୁ!ଅନ୍ୟ ପଟେ ଦୁର୍ବୃତ୍ତମାନଙ୍କ ପାରିବାରର ଦୁଇ ଜଣଙ୍କୁ ତିଗିରିଆ ପୋଲିସ୍ ଆଣି ପଚରା ଉଚରା ଜାରି ରଖିଛି । ଅନ୍ୟ ପକ୍ଷରେ କଟକ ଗ୍ରାମାଂଚଳ ଏସପି , ଆଠଗଡ଼ SDPO, ତିଗିରିଆ ଥାନା ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇ ଘଟଣାର ତଦନ୍ତ କରାଯାଇଛି । ସାଇଣ୍ଟିଫିକ୍ସି ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିବା ସହିତ ତନ ତନ କରି ଯାଞ୍ଚ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।