‘‘ସୀମା ବିବାଦ ପଛରେ BJPର ଆଜେଣ୍ଡା ଅଛି; BJP ପଡ଼ୋଶୀ ରାଜ୍ୟକୁ ଉସକାଉଛି’’: ମନ୍ତ୍ରୀ ସୁଶାନ୍ତ ସିଂ
ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସୀମାରେ ଥିବା ଦୟନୀୟ ସ୍ଥିତି ବିଷୟରେ ଅବଗତ କରାଇଛନ୍ତି । ‘‘ମନ୍ତ୍ରୀ ସୁଶାନ୍ତ ସିଂ କଣ କୁହନ୍ତି ନିଜେ ବୁଝନ୍ତି ନାହିଁ,’’ ସେ କହିଛନ୍ତି ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ; (ଡାହାଣ) ବିଜେପି ସାଂସଦ ସୁରେଶ ପୂଜାରୀ
- News18 Odia
- Last Updated: April 5, 2021, 11:58 PM IST
ଭୁବନେଶ୍ୱର: ରାଜ୍ୟର ସୀମା ବିବାଦ ପ୍ରସଙ୍ଗରେ ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି । ସୀମା ବିବାଦ ‘‘ବିଜେପିର ଏକ ରାଜନୈତିକ ଆଜେଣ୍ଡା’’ ବୋଲି ବିଜେଡି କହିବା ସହ ଖୋଦ୍ ବିଜେପି ପଡ଼ୋଶୀ ରାଜ୍ୟକୁ ଉସକାଇ ଏଭଳି ବିବାଦ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
ଏପରିକି ପଶ୍ଚିମ ବଙ୍ଗ ଭଳି ଓଡ଼ିଶାରେ ଅସ୍ଥିରତା ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ସୁଶାନ୍ତ ସିଂ । ସୀମା ବିବାଦ ପ୍ରସଙ୍ଗକୁ ବିଜେପି ରାଜ୍ୟପାଳଙ୍କ ପାଖରେ ପହଞ୍ଚାଇଛି । ବିଜେପି ସାଂସଦ ସୁରେଶ ପୂଜାରୀ ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ତାଙ୍କ ହସ୍ତକ୍ଷେପ ଲୋଡି଼ଛନ୍ତି । ଅନ୍ୟ ବିରୋଧୀ ଦଳ କଂଗ୍ରେସ ଏ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛି ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନି

ରାଜ୍ୟପାଳ ଗଣେଶୀ ଲାଲ
ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟ ସୀମାରେ ଦୟନୀୟ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ପଶ୍ଚିମ ବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ଓଡି଼ଶା ସୀମାରେ ସବୁଠି ବିବାଦ ଲାଗିରହିଛି ଓ ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର ଓ ଝାରବନ୍ଧ ଅଞ୍ଚଳର କିଛି ଗ୍ରାମବାସୀ ଅଭିମାନରେ ଛତିଶଗଡ଼ ସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଜଣେଇଥିବା କହିଛନ୍ତି ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
‘‘ନବୀନ ସରକାର ଏତେ ବର୍ଷ ଶାସନରେ ରହିବା ପରେ ମଧ୍ୟ ସୀମାବର୍ତ୍ତୀ ଗାଁଗୁଡି଼କରେ ନ୍ୟୁନତମ ସୁବିଧା ନାହିଁ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ପିଇବା ପାଣି, ଗମନାଗମନ କ୍ଷେତ୍ରରେ ଏ ଅଞ୍ଚଳ ପଛୁଆ ରହିଛି । ମହାମହିମ ରାଜ୍ୟପାଳ ଏ ଉତ୍କଟ ସମସ୍ୟା ବିଷୟରେ ମୁଖ୍ୟ ମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ,’’ କହିଛନ୍ତି ସୁରେଶ ପୂଜାରୀ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ପୂଜାରୀ କହିଛନ୍ତି, ‘‘ମନ୍ତ୍ରୀ ସୁଶାନ୍ତ ସିଂ କଣ କୁହନ୍ତି ନିଜେ ବୁଝନ୍ତି ନାହିଁ । ସେ ମୋ’ ସହ ସୀମାଞ୍ଚଳକୁ ଥରେ ଚାଲନ୍ତୁ । ମୁଁ ମୁଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଆହ୍ୱାନ କରୁଛି ଯେ ସେ ନିଜେ ଯାଆନ୍ତୁ କିମ୍ବା ଏକ ସର୍ବଦଳୀୟ ଟିମ୍ ଗଠନ କରି ସେଠାକୁ ପଠାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ସରକାର ନିଜ ମୁହଁ ଦର୍ପଣରେ ଦେଖିବା ଦରକାର ।’’ କରୋନା ସ୍ଥିତି ପରେ ଥରେ ରାଜ୍ୟପାଳ ନିଜେ ରାଜ୍ୟର ସୀମାଗୁଡ଼ିକୁ ଯାଇ ସ୍ଥିତି ଦେଖିବାକୁ ପୂଜାରୀ ତାଙ୍କୁ ଅନୁରୋଧ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
କଂଗ୍ରେସ ଏ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛି । ‘‘ପୂର୍ବରୁ କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ପ୍ରଦେଶ ଏବେ ସେଠାରେ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଯାଉଛି । ଏଭଳି ସ୍ଥିତିରେ ଓଡ଼ିଶା ସରକାର କିଛି ନ କରି ଅନ୍ୟକୁ ଦୋଷ ଦେଇ ଖସିଯିବା ନୀତି ଆପଣେଇଛନ୍ତି,’’ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଓଡ଼ିଶାର ସୀମାରେ ପଡ଼ୋଶୀ ରାଜ୍ୟମାନେ ଧୀରେ ଧୀରେ ଆଡ୍ଡା ଜମାଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ସବୁ ମହଲରୁ ଦାବି ଜୋର୍ ଧରିଛି । ଏଭଳି ସ୍ଥିତିରେ ବିଜେଡି ଓ ବିଜେପି ମୁହାଁମୁହିଁ ହେବା ଘଟଣାକୁ ଜଟିଳ କରିଛି ବୋଲି ମତଦେଇଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକମାନେ ।