News 18 Odia Digital
ପୁରୀ; ଚତୁର୍ଥ ଜିଲ୍ଲାପରିଷଦ ବୈଠକରେ ହୋ ହଲ୍ଲା। ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅସମ୍ମାନ। ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ (Minister Samir ranjan dash) ଅସମ୍ମାନ କରିଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ( District Council Member) କୁଞ୍ଜଲତା ସାମଲ। ୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇନଥିଲା ତାହାକୁ ନେଇ ପ୍ରଶ୍ନ କରିଥିଲେ କୁଞ୍ଜଲତା। ହେଲେ ଜିଲ୍ଲାପାଳ ଉତ୍ତର ରଖିବା ପୂର୍ବରୁ ମନ୍ତ୍ରୀ ସମୀର ନିଜ ଆଡୁ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ସାମ୍ନାରେ ତାଚ୍ଛଲ୍ୟ କରିବା ସହ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି କୁଞ୍ଜଲତା। ତାଙ୍କୁ ବୈଠକରେ କହିବାକୁ ସୁଯୋଗ ନଦେବାରୁ ଅସମ୍ମାନିତ ହୋଇ ବୈଠକକୁ ବର୍ଜନ କରିଥିଲେ।
ତେବେ ସମୀର ଦାସ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ୨୦୨୨ପଞ୍ଚାୟତ ନିର୍ବାଚନରେ ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥିନୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ। ପୁଣି ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ଓ୍ୱର୍କ ଅର୍ଡର ଆଣିବାକୁ ସକ୍ଷମ ହେଲେ ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ। ଏଭଳି ପରିସ୍ଥିତିରେ ମନ୍ତ୍ରୀ ସମୀର ଦାସ କାହିଁକି ସେହି ବ୍ୟକ୍ତିଙ୍କ ପାଇଁ ବାହାରି କୁଞ୍ଜଲତାଙ୍କୁ ବିରୋଧ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ। ତେବେ ଆଜିର ଘଟଣା ନେଇ କୁଞ୍ଜଲତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣଶିକ୍ଷା ମନ୍ତ୍ରୀଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଜଣାଇବେ। ନିମାପଡା ବ୍ଲକରେ ସଂପୃକ୍ତ ମନ୍ତ୍ରୀଙ୍କ ଯୋଗୁଁ ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି କୁଞ୍ଜଲତା। ସେପଟେ ଅଯଥା ପ୍ରସଙ୍ଗକୁ ନେଇ ଯୁକ୍ତି ସହ କୌଣସି ଦୁର୍ବ୍ୟବହାର ହୋଇନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ପ୍ରସଙ୍ଗ ଉପସ୍ଥାପନ କଲେ ହେଲେ ଅଭାବନୀୟ ଘଟଣା ଘଟିବାରୁ କୁଞ୍ଜଲତା ରାଗିକି ପଳେଇଲେ ବୋଲି କହିଛନ୍ତି ଅନ୍ୟ ଜିଲା ପରିଷଦ ସଦସ୍ୟ ।
ଆଜି ଚତୁର୍ଥ ଜିଲ୍ଲାପରିଷଦ ବୈଠକରେ ହୋହାଲ୍ଲା ହେବାରୁ ଅନେକ ଜିଲ୍ଲା ପରିଷଦ ସଦସ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ ଅଦ୍ୟାବଧି ବିଭିନ୍ନ ଯୋଜନାର ୩୨୬୫.୦୮ ଲକ୍ଷ ଟଙ୍କା ସମୁଦାୟ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ସେତିକି କାର୍ଯ୍ୟ ହୋଇଛି କି ନାହିଁ ତାର ଅନୁଧ୍ୟାନ କରାଯାଉ ବୋଲି କହିଥିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୫୮୨.୦୬ ଲକ୍ଷ ଟଙ୍କା ୧୦୦ ଭାଗ ଖର୍ଚ୍ଚ ହୋଇଥିବା କୁହାଯାଇଥିବାକୁ ନେଇ ଅନେକ ଜିଲା ପରିଷଦ ସଦସ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । କୃଷି ବିଭାଗ , ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ଜଳସେଚନ ବିଭାଗ ଆଦି ୯୭ ପ୍ରତିଶତ ଖର୍ଚ୍ଚ ହୋଇଥିବା କହୁଥିବା ବେଳେ ବାସ୍ତବିକ ସେତେ ଖର୍ଚ୍ଚ ହୋଇଛି କା ନାହିଁ ତା ଉପରେ ଅଧିକାରୀଙ୍କୁ ତାଗିଦ କରିଥିଲେ ଜିଲାପାଳ । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ୨୨-୨୩ ଆର୍ଥିକ ବର୍ଷରେ ୭୫୯୪ ଲକ୍ଷ ଅନୁଦାନ ରାଶିର ୪୫୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଦ୍ୟୁତ ବିଭାଗର ଅହେତୁକ ଅବହେଳା ଯୋଗୁଁ ଚାଷୀମାନେ ଏବେ ଧାନ ଅମଳ ସମୟରେ ହଇରାଣ ହେଉଛନ୍ତି । ଏହା ଉପରେ ଜିଲାପାଳ ଓ ଜିଲା ପରିଷଦ ଅଧ୍ୟକ୍ଷ ଏବଂ ଡିଆରଡିଏ ତଦନ୍ତ କଲେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପୁରୀ ବିଧାୟକ ।
ଜିଲା ପରିଷଦ ବୈଠକରେ ଜିଲାପାଳଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର , ପୁରୀର ସମସ୍ତ ବିଧାୟକ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶାସକ ଦଳର ମନ୍ତ୍ରୀ ପୁଣି ନିମାପଡାର ବିଜେଡି ନେତା ଓ ଶାସକ ଦଳର ନିମାପଡାର ଜିଲା ପରିଷଦ ସଦସ୍ୟାଙ୍କ ମଧ୍ୟରେ ବୈଠକରେ ପାଟିତୁଣ୍ଡକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି ।
ପଢ଼ନ୍ତୁ ଅଧିକ ଖବର-
http://୨୨-୨୩ ଆର୍ଥିକ ବର୍ଷ ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।