News 18 Odia Digital
ଭୁବନେଶ୍ୱର; ଝାରସୁଗୁଡା ଖେରୁଆଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Health minister Naba das) ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଶୋକାକୁଳ ପରିସ୍ଥିତିରେ ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେଇଛନ୍ତି । ହିନ୍ଦୁ ନୀତି ନିୟମ ଅନୁସାରେ କାର୍ଯ୍ୟ କରାଯିବା ପରେ ନବ ଦାସଙ୍କ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ।
ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ତେନା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରେ ପହଞ୍ଚିବା ପରେ କାରରୁ ଓହ୍ଲାଇବା ସମୟରେ ନବଙ୍କୁ ଖୁବ ଧୁମଧାମରେ ସ୍ୱାଗତ କରାଯିବା ସହ ଫୁଲମାଳ ପିନ୍ଧାଇ ପାଛୋଟି ନେବା ସମୟରେ କୌଣସି କାରଣରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ପ୍ରଥମେ ଝାରସୁଗୁଡାର ନିକଟସ୍ଥ ହସ୍ପିଟାଲରେ ନବଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚାଯାଇ ବିମାନବନ୍ଦରରୁ ଗୀନ କରିଡର ମଧ୍ୟରେ ଆମ୍ୱୁଲାନ୍ସ ମାଧ୍ୟମରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୫ ଜଣିଆ ଡାକ୍ତରୀ ଟିମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସାରେ ଲାଗିପଡିଥିଲେ । ଅନେକ ନେତା ମନ୍ତ୍ରୀଙ୍କ ସମେତ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲରେ ପହଞ୍ଚି ତଦାରଖ କରିଥିଲେ । ନବ ଦାସଙ୍କ ପରିବାର ସଦସ୍ୟ ମଧ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ । ନବଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ସନ୍ଧ୍ୟା ସମୟରେ ଡାକ୍ତର ନବ ଦାସଙ୍କୁ ମୃତ ଘୋଷଣା କରିଥିଲେ । ନବଙ୍କ ମୃତ୍ୟୁ ପରେ ସମଗ୍ର ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତ୍ୟୁ ପରେ କ୍ୟାପିଟାଲ ହସ୍ପିଟାଲରେ ନବଙ୍କର ଶବ ବ୍ୟବଚ୍ଛେଦ କରାଯାଇ ବିଧାନସଭା ପରିସରକୁ ନିଆଯାଇଥିଲା । ବିଧାନସଭାରେ ସମସ୍ତ ନେତା, ମନ୍ତ୍ରୀ ନବ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ନିଜର ପ୍ରିୟ ସାଥିଙ୍କୁ ହରାଇ ଖୁବ ଧର୍ଯ୍ୟହରା ହୋଇଥିଲେ କିଛି ନେତା । ପରେ ଭୁବନେଶ୍ୱର ସରକାରୀ ବାସ ଭବନରେ ନବ ଦାସଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜି ନବଙ୍କ ପାର୍ଥିବ ଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ନିଆଯାଇ ପରିକ୍ରମା କରାଯିବା ସହ ଖେରୁଆଳରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମଗ୍ର ରାଜ୍ୟରେ ୩ଦିନିଆ ଶୋକ ଉତ୍ସବ ପାଳନ କରାଯାଉଛି । ଏହି ସମୟରେ କୌଣସି ସରକାରୀ ମନୋରଞ୍ଜନ ଜନିତ କାର୍ଯ୍ୟକ୍ରମ କରାଯିବ ନାହିଁ । ଏଥିସହ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।
ଏହି ଖବର ପଢ଼ନ୍ତୁ -
http://କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ପାରିବାରିକ ବିବାଦରେ ନୂଆ ମୋଡPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।